ETV Bharat / state

ଖୋର୍ଦ୍ଧାରେ ଇଡ଼କୋ ଜମି ଅଧିଗ୍ରହଣକୁ ନେଇ ଜନ ଶୁଣାଣି

author img

By

Published : Apr 26, 2023, 8:06 AM IST

ଖୋର୍ଦ୍ଧାରେ ଇଡକୋ ଜମି ଅଧିଗ୍ରହଣକୁ ନେଇ ଜନ ଶୁଣାଣି ଅନୁଷ୍ଠିତ । ଶିଳ୍ପ ହେଲେ କିପରି ସ୍ଥାନୀୟ ଅଞ୍ଚଳର ବିକାଶ ସହ ନିଯୁକ୍ତି ସୃଷ୍ଟି ହେବ ଜଣାଇଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଇଡ଼କୋ ଜମି ଅଧିଗ୍ରହଣକୁ ନେଇ ଜନ ଶୁଣାଣି
ଖୋର୍ଦ୍ଧାରେ ଇଡ଼କୋ ଜମି ଅଧିଗ୍ରହଣକୁ ନେଇ ଜନ ଶୁଣାଣି

ଖୋର୍ଦ୍ଧାରେ ଇଡ଼କୋ ଜମି ଅଧିଗ୍ରହଣକୁ ନେଇ ଜନ ଶୁଣାଣି

ଖୋର୍ଦ୍ଧା: ବେଗୁନିଆ ବ୍ଲକ କୁଶପଲ୍ଲା ଗ୍ରାମରେ ଥିବା ୩୨୯ ଏକର ସରକାରୀ ଜାଗା ଇଡ଼କୋକୁ ଦେବାପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଥିଲା । କୁଶପଲ୍ଲା ମୌଜାରେ ଶିଳ୍ପ ପାଇଁ ଇଡ଼କୋ ପୂର୍ବରୁ ଜମି ଚିହ୍ନଟ କରିସାରିଛି । ମାତ୍ର ଚିହ୍ନଟ ଜମିରେ ଗ୍ରାମର ପୋଖରୀ, ଶ୍ମଶାନ, ଖେଳ ପଡିଆ ଓ କାଜୁ ବଗିଚା ରହିଥିବା କାରଣରୁ ଏହି ଅଧିଗ୍ରହଣକୁ ବିରୋଧ କରି ଆସୁଛନ୍ତି କୁଶପଲ୍ଲା ଗ୍ରାମବାସୀ । ଏହି ପରିପ୍ରେକ୍ଷୀରେ ଗତକାଲି(ମଙ୍ଗଳବାର) ବେଗୁନିଆ ପଞ୍ଚାୟତ ସଭାଗୃହରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ କୁଶପଲ୍ଲା ଗ୍ରାମ୍ୟ କମିଟି ସହ ସ୍ଥାନୀୟ ବାସିନ୍ଦା, ବେଗୁନିଆ ତହସିଲଦାର, ବିଡ଼ିଓ, ଇଡକୋ ଅଧିକାରୀ, ବେଗୁନିଆ ପୋଲିସ ଓ ବେଗୁନିଆ ସରପଞ୍ଚ ଉପସ୍ଥିତିରେ ଆଲୋଚନା କରାଯାଇଛି ।

ଶିଳ୍ପ ହେଲେ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ ହେବ ତାହା ଉପରେ ଉପଜିଲ୍ଲାପାଳ ଆଲୋଚନା କରିଛନ୍ତି । ସେହିପରି ଗ୍ରାମ୍ୟ କମିଟି ଚିହ୍ନଟ ଜମିରେ ବହୁ ପରିମାଣର କାଜୁ ଗଛ ଥିବାବେଳେ ଏହାଦ୍ୱାରା ଅମ୍ଳଜାନ ମିଳିବା ସହ ଗ୍ରାମର ପୋଖରୀ, ଶ୍ମଶାନ, ଖେଳ ପଡିଆ ଯାଉଥିବା କହିଛନ୍ତି । ସରକାରୀ ଜାଗାରେ କେତେକ ଭୂମିହୀନ ବସବାସ କରୁଥିବାରୁ ସେମାନଙ୍କ ଥଇଥାନ ପାଇଁ ଜନ ଶୁଣାଣିରେ ଆଲୋଚନା କରାଯାଇଛି । ଏନେଇ ବେଗୁନିଆ ତହସିଲଦାର କହିଛନ୍ତି ଯେ, ଉକ୍ତ ଅଧିବାସୀମାନେ ଭୂମିହୀନ ହୋଇଥିଲେ ସେମାନଙ୍କୁ ସରକାରୀ ବିଧି ବ୍ୟବସ୍ଥାରେ ଥଇଥାନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଶ୍ମଶାନ, ଖେଳ ପଡିଆ ଓ ପୋଖରୀ ଥିବା ସ୍ଥାନକୁ ବାଦ୍ ଦିଆଯିବ । ଜନ ଶୁଣାଣିରେ ଗ୍ରାମବାସୀଙ୍କ ସହ ଆଲୋଚନା ସଫଳ ହୋଇଛି । ବେଗୁନିଆ ପଞ୍ଚାୟତର କୁଶପଲ୍ଲା ଓ ଭୂଇଁପୁର ମୌଜାରେ ଇଡ଼କୋ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ତହସିଲଦାର କହିଛନ୍ତି ।

ଅନ୍ୟପଟେ କୁଶପଲ୍ଲା ଗ୍ରାମ୍ୟ କମିଟି ସଭାପତି କହିଛନ୍ତି ଯେ, ଆଲୋଚନାରେ ଆମ କଥାକୁ ଗୁରୁତ୍ୱ ଦିଆଯାଉନାହିଁ । ଚିହ୍ନଟ ଜମି ଗୋଚର କିସମର ଅଟେ ଏବଂ ଏହି ଗୋଚର ଜମି ଉପରେ ଆଖପାଖ ଗ୍ରାମର ଗୋରୁଗାଈ ଆସି ଚରିଥାନ୍ତି । ଜମି ଅଧିଗ୍ରହଣ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କମିଟି ସଭାପତି ଜଣାଇଛନ୍ତି । ଇଡ଼କୋକୁ ଜମି ଦେବାକୁ ବିରୋଧ କରି ବିଗତ ଦିନରେ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏହି ଜମିରେ ଶିଳ୍ପ କରାଇ ନଦେବାକୁ ଆନ୍ଦୋଳନ କରିଥିଲେ । ଏପରିସ୍ଥଳେ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଶିଳ୍ପ ଗଢିବାରେ କେତେ ସହାୟକ ହେବ ତାହା ଆଗାମୀ ଦିନରେ ଜଣାପଡିବ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.