ETV Bharat / state

ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

author img

By ETV Bharat Odisha Team

Published : Oct 20, 2023, 8:02 AM IST

Updated : Oct 20, 2023, 8:34 AM IST

ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ଆଜିଠୁ ରାଜ୍ଯରେ ବସ ଧର୍ମଘଟ । ଘରୋଇ ବସ ଚଳାଚଳ ବନ୍ଦ । ଅଧିକ ପଢ଼ନ୍ତୁ

Bus strike in Odisha
Bus strike in Odisha

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍‌ । ସାରା ରାଜ୍ୟରେ ବସ୍‌ ଧର୍ମଘଟ ଡାକାରା ଦେଇଛି ଘରୋଇ ବସ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଳାଇଛି ସଂଘ । ଫଳରେ ସକାଳୁ ସକାଳୁ ଘରୋଇ ବସ ରାସ୍ତାରେ ଚଳାଚଳ କରୁନଥିବା ଦେଖିବାକୁ ମିଳିଛି । ସକାଳ 6ଟାରୁ ଘରୋଇ ବସ୍‌ ଧର୍ମଘଟ ଆରମ୍ଭ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଜାରି ରହିବ । ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଧର୍ମଘଟ ଡାକରା ଦେଇଥିଲା ବସ ମାଲିକ ସଂଘ ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନାକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ଆଜି ଆନ୍ଦୋଳନକୁ ଓହ୍ଳାଇଛି । ଲକ୍ଷ୍ମୀ ଯୋଜନା ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା ହୋଇଥିଲା । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲିବ ନାହିଁ ବୋଲି ସରକାର କହିଥିଲେ । କିନ୍ତୁ ଯୋଜନା ଆରମ୍ଭ ଦିନରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚଳାଚଳ କରିଥିଲା । ତେଣୁ ଆଜିଠାରୁ ବସ ଧର୍ମଘଟ ନେଇ ଜେନେରାଲ ବଡି ମିଟିଂ ଡାକି ସଂଘ ଘୋଷଣା କରିଥିଲା ।

ଏହା ମଧ୍ୟ ପଢନ୍ତୁ- ଆସନ୍ତାକାଲି ବସ ଧର୍ମଘଟ, ନେତାଜୀ ବସ ଟର୍ମିନାଲରେ ଲାଗିଛି ଯାତ୍ରୀଙ୍କ ଭିଡ

ସେହିପରି ସମାନ ସମୟରେ ଲକ୍ଷ୍ମୀ ଓ ଘରୋଇ ବସ ଚଳାଚଳ କରୁଛି । ଗୋଟେ ଷ୍ଟପେଜରେ ଦୁଇ ଘରୋଇ ବସ ଚଳାଚଳ ବ୍ୟବଧାନ 5 ମିନିଟ ରହୁଛି । ଏଥିସହ ଲକ୍ଷ୍ମୀ ବସ ଭଡା କମ ଥିବାରୁ ଲୋକେ ଘରୋଇ ବସରେ ଯିବାକୁ ନାପସନ୍ଦ କରୁଛନ୍ତି । ତେଣୁ ବସ୍‌ ମାଲିକ କ୍ଷତି ସହୁଛି ବୋଲି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ମତ ରଖିଥିଲେ ।

ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ଚଳିତ ମାସ 31 ତାରିଖରୁ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗତ 9 ତାରିଖରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା । 31 ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘର କର୍ମକର୍ତ୍ତା ଘୋଷଣା କରିଥିଲେ । କିନ୍ତୁ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ପୁଣି ଥରେ ଧର୍ମଘଟକୁ ଓହ୍ଲାଇଛି ଘରୋଇ ବସ୍‌ ମାଲିକ ସଂଘ ।

ବସ ଧର୍ମଘଟ ଗୋଟିଏ ଦିନ ପୂର୍ବରୁ କଟକ ନେତାଜୀ ବସ୍‌ ଟର୍ମିନାଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଧର୍ମଘଟ ଖବର ଶୁଣିବା ପରେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଟର୍ମିନାଲରେ ଯାତ୍ରୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ରାତ୍ରିକାଳୀନ ବସ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବହୁ ଗୁଣିତ ହୋଇଥିବାରୁ ଅନେକ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରି ନଥିଲେ । ଏହାବ୍ୟତୀତ ବସ୍‌ର ଅହେତୁକ ଭଡ଼ା ବୃଦ୍ଧି କରିବା ଅଭିଯୋଗ କରିଥିଲେ ଯାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Oct 20, 2023, 8:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.