ETV Bharat / state

୨୯ରୁ ଶିକ୍ଷକ ଆନ୍ଦୋଳନ ! ଦାବି ପୂରଣ ପାଇଁ ୨୭ଯାଏଁ ଡେଡ୍ ଲାଇନ ଦେଲା ସଂଘ

author img

By ETV Bharat Odisha Team

Published : Jan 14, 2024, 4:08 PM IST

Primary Teachers to Stage Protest: ଆସନ୍ତା ୨୯ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ୧ ଲକ୍ଷରୁ ଅଧିକ ଶିକ୍ଷକ । ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲଇବା ନେଇ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

primary school teachers
୨୯ରୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

୨୯ରୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ବର: ଆସନ୍ତା ୨୯ରୁ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ । ୧ ଲକ୍ଷରୁ ଅଧିକ ଶିକ୍ଷକ ଦେବେ ରଣହୁଙ୍କାର । ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ପ୍ରାଥମିକ ଶିକ୍ଷକ ସଂଘ । ବିଭିନ୍ନ ଦାବିକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ କୌଣସି ସଫଳତା ମିଳିପାରିନାହିଁ । ଯାହାକୁ ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛନ୍ତି ପ୍ରାଥମିକ ଶିକ୍ଷକ ।

ଏନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି,"ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କୁ ୬ ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ଇନକ୍ରିମେଣ୍ଟ ପ୍ରଦାନ ସହ ମୂଳ ଚାକିରୀରେ ଗଣନା କରି ସେମାନଙ୍କୁ ନିୟମିତ କରାଗଲା । ବର୍ତ୍ତମାନ ସୁଦ୍ଧା ପ୍ରାଥମିକ ଶିକ୍ଷାରୁ ନା ଉଠିଲା ଠିକା ନିଯୁକ୍ତି ନା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରାଗଲା । ଯେଉଁ ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ୨୦୦୧ ମସିହାରୁ ଆଜି ପର୍ଯ୍ୟନ୍ତ କମ୍ ଟଙ୍କା ପାଇ ରାଜ୍ୟ ସରକାରଙ୍କ ରାଜକୋଷକୁ ଭରଣା କରିଥିଲେ ସେମାନଙ୍କର ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରାଗଲା ନାହିଁ।"

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟର ପ୍ରାଥମିକ ଶିକ୍ଷକ କେନ୍ଦ୍ରୀୟ ହାରରେ ଦରମା ପାଉଥିବାବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକ ୨୨ଶହ ଗ୍ରେଡ୍ ପେ ଅନୁସାରେ ଦରମା ପାଉଛନ୍ତି । ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବାବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ସରକାର ବହୁ ଭାଗରେ ବିଭକ୍ତ କରି ଶୋଷଣ କରୁଛନ୍ତି । ଏକ୍ସ-କ୍ୟାଡର ମାନଙ୍କୁ କ୍ୟାଡରଭୁକ୍ତ କରୁନାହାନ୍ତି ଓ କଳା, କ୍ରୀଡା ଶିକ୍ଷକମାନଙ୍କର କ୍ୟାରିଅର ଆଡ଼ଭାନ୍ସମେଣ୍ଟ ପଲିସି କରୁନାହାନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହାଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ଶିକ୍ଷକମାନଙ୍କୁ ସେଥରେ ବିଶେଷ କିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ।"

ଏହା ମଧ୍ୟ ପଢନ୍ତୁ...ମତ୍ସ୍ୟଜୀବୀଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

"ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ, ସେମାନଙ୍କୁ ୫୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି । ଯାହାଦ୍ଵାରା ଅବସରର ଅବଶିଷ୍ଟ ଜୀବନକାଳ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି। ତେବେ ବିଗତ ଦିନରେ ପ୍ରାଥମିକ ଶିକ୍ଷକ ୨୦୨୨ ନଭେମ୍ବରରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କ ସହିତ ଦୁଇ ଥର ଆଲୋଚନା ଓ ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା। କିନ୍ତୁ ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କଲେ" ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି । ଯଦି ରାଜ୍ୟ ସରକାର ଆସନ୍ତା ୨୭ ତାରିଖ ସୁଦ୍ଧା ଦାବି ପୂରଣ ନକରିବେ, ତେବେ ପ୍ରାଥମିକ ଶିକ୍ଷକମାନେ ଆସନ୍ତା ୨୯ ତାରିଖ ଦିନ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.