ETV Bharat / state

ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ: ଯୋଗ ଦେଲେନି ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ

author img

By

Published : Mar 24, 2023, 7:05 AM IST

୨୯ରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ସମନ୍ୱୟ ବୈଠକରେ ଯୋଗ ଦେଲେନି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ । ଅଧିକ ପଢନ୍ତୁ

ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ
ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ରଥଯାତ୍ରା ସହ ବାହୁଡା ଯାତ୍ରା କିଭଳି ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳାର ସହ ଆୟୋଜିତ ହେବ ସେନେଇ ଗୁରୁବାର ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଛି । ଏଥିରେ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରାର ନୀତି ନିର୍ଘଣ୍ଟ ବିଷୟରେ ଆଲୋଚନା ହୋଇଛି । ସମନ୍ୱୟ ବୈଠକରେ ମନ୍ତ୍ରୀଙ୍କ ସମେତ ମେୟର ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ସ୍ବାଇଁ, ମନ୍ଦିର ନିଯୋଗର ଖୁଣ୍ଟିଆ ସେବାୟତଙ୍କ ସମେତ ବିଜୁଳି ବିଭାଗ ଅଧିକାରୀ, ୱାଟକୋ ବିଏମସି ଓ ପୋଲିସର ଅଧିକାରୀ ଯୋଗ ଦେଇଥିଲେ । ହେଲେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗର ସେବାୟତମାନେ ଏଥିରେ ସାମିଲ ହୋଇନଥିଲେ ।

ବୈଠକରେ ଚଳିତ ବର୍ଷ ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା କରାଯିବା ନେଇ ଆଲୋଚନା ହୋଇଛି । ସବୁ ବିଭାଗର ସମନ୍ଵୟରେ ସହଯୋଗରେ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ଚଳିତ ଥର ରଥ କାଠର ଯେଉଁ ସମସ୍ୟା ଦେଖାଯାଇଥିଲା ଓ ବିଳମ୍ବରେ ପହଞ୍ଚିଥିଲା ସେନେଇ ଆଲୋଚନା ହୋଇଥିବାବେଳେ ନୟାଗଡ଼ରୁ ଆସି କାଠ ପହଞ୍ଚିଛି । ସବୁ ପ୍ରକାର ବ୍ୟତିକ୍ରମ ଓ ବିଳମ୍ବ ସତ୍ତ୍ବେ ବି ଜଙ୍ଗଲ ବିଭାଗର ହସ୍ତକ୍ଷେପ ପରେ ରଥ ପହଁଚିଥିବାରୁ ସଠିକ୍ ସମୟରେ ରଥ ପ୍ରସ୍ତୁତ ହେବ ବୋଲି ମହାରଣା ଓ ସେବାୟତ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମନ୍ତ୍ରୀ ।

ପ୍ରଭୁଙ୍କ ରଥଯାତ୍ରାରେ ସେବାୟତମାନଙ୍କ ପ୍ରମୁଖ ଭୂମିକା ରହିଥିବାବେଳେ ବାରମ୍ୱାର ସେମାନେ ଅସହଯୋଗ କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ । ରୁକୁଣା ରଥଯାତ୍ରାରୁ ସୂଚାର ରୂପେ ସମ୍ପନ୍ନ କରିବାରେ ସବୁ ସେବାୟତମାନେ ସହଯୋଗ କରିବେ ଓ ସବୁ କାର୍ଯ୍ୟ ସୁରୁଖୁରୁରେ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ବୈଠକରେ ଖୁଣ୍ଟିଆ ସେବାୟତ ଯୋଗ ଦେଇ ସମସ୍ତେ ସହଯୋଗ କରିବେ ବୋଲି ଜଣାଇଛନ୍ତି । ଖୁଣ୍ଟିଆ ସେବାୟତ କହିଛନ୍ତି, ପ୍ରଶାସନ ନିକଟରେ କିଛି ଦାବି ପୂରଣକୁ ନେଇ ଅନ୍ୟ କେତେକ ସେବାୟତ ରାଗିକି ଆସିନାହାନ୍ତି ସତ କିନ୍ତୁ ପ୍ରଭୁଙ୍କ ନୀତିକାନ୍ତିରେ ଯୋଗ ଦେଇ ନିଜର କାର୍ଯ୍ୟ ସମାପନ କରିବେ ବୋଲି ମୋର ଆଶା । ପ୍ରଶାସନ ଉପରେ ଅଭିମାନ ପାଇଁ ସେମାନେ ଅସହଯୋଗ କରିଛନ୍ତି । ମାତ୍ର ପ୍ରଭୁଙ୍କ ନୀତିକାନ୍ତିରେ ସେବାୟତ ଭାବେ କାର୍ଯ୍ୟ କରିବେ ।

ମାର୍ଚ୍ଚ ୨୯ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବଳେ ଏପ୍ରିଲ ୨ରେ ପ୍ରଭୁଙ୍କ ବାହୁଡା ଯାତ୍ରା ପାଳିତ ହେବ । ପ୍ରତ୍ୟେକ ବର୍ଷ ଭଳି ଚଳିତ ଥର ସମସ୍ତ ନୀତିକାନ୍ତି ପାଳନ ହେବ । ୨୯ ତାରିଖ ଭୋର୍ ୫ଟା ସମୟରେ ପ୍ରଭୁଙ୍କ ମଙ୍ଗଳ ଆଳତୀ କରାଯିବ । ପ୍ରାୟ ୧:୩୦ଟା ସମୟରେ ମହାପ୍ରଭୁଙ୍କୁ ରଥାରୂଢ଼ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥିସହ ରଥଯାତ୍ରା ଓ ବାହୁଡା ସମୟରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବ । ଜନସାଧାରଣଙ୍କ ସୁବିଧା ପାଇଁ ୨ଟି ଦମକଳ ଗାଡି, ଆମ୍ବୁଲାନ୍ସ ଗାଡି, ମୋ ବସ୍ ସେବା ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.