ETV Bharat / state

ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By ETV Bharat Odisha Team

Published : Jan 14, 2024, 1:54 PM IST

Updated : Jan 14, 2024, 3:39 PM IST

Makara sankranti 2024: ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅଧିକ ପଢନ୍ତୁ

ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି
ମକର ମେଳା ପାଇଁ ଚଳଚଞ୍ଚଳ ଅଟ୍ରି

ସୁରକ୍ଷା ବ୍ୟବସ୍ଥା କଡାକଡି

ଖୋର୍ଦ୍ଧା: ରାତି ପାହିଲେ ମକର ସଂକ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧାର ପ୍ରସିଦ୍ଧ ବାବା ହଟକେଶ୍ୱର ମନ୍ଦିର । ପ୍ରତିବର୍ଷ ଏହି ମନ୍ଦିର ପରିସରରେ ମକର ମେଳା ଓ ମହୋତ୍ସବ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ମକର ମେଳା ଓ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମକର ସଂକ୍ରାନ୍ତି ଠାରୁ 7 ଦିନ ଧରି ଏହି ମେଳାର ଆୟୋଜନ କରାଯାଉଥିବା ବେଳେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ ।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଅଧିନ ଅଟ୍ରିରେ ପ୍ରସିଦ୍ଧ ବାବା ହଟକେଶ୍ୱରଙ୍କ ମନ୍ଦିର ରହିଥାଏ ବେଳେ ମକର ମେଳା ଓ ମହୋତ୍ସବ ପାଇଁ ପ୍ରତିବର୍ଷ ବେଶ ଚଳଚଞ୍ଚଳ ହୋଇଉଠିଥାଏ ଏହି ମନ୍ଦିର । ବିଶ୍ୱାସ ରହିଛି ପ୍ରଭୁ ହଟକେଶ୍ୱରଙ୍କର ମନ୍ଦିର ନିକଟରେ ଥିବା ଅଟ୍ରିରେ ମକର ସଂକ୍ରାନ୍ତି ଦିନ ମାନସିକ କରି ବୁଡ ପକାଇ ଗୁଆ ଖାଇଲେ ସନ୍ତାନ ପ୍ରାପ୍ତି ହୋଇଥାଏ । ଯେଉଁଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ଅପୁତ୍ରିକ ନାରୀ ମାନେ ଆସି ବୁଡ଼ ପକାଇ ମାନସିକ କରିଥାନ୍ତି । ମକର ସଂକ୍ରାନ୍ତି ଠାରୁ ହଟକେଶ୍ୱରଙ୍କ ଠାରେ ଦୀର୍ଘ 7ଦିନ ଧରି ଚାଲୁଥିବା ଏହି ମେଳାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ.. ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ, ପୁଷ୍ପ ଅଳଙ୍କାରରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ମକର ସଂକ୍ରାନ୍ତି ପାଇଁ ହଟକେଶ୍ୱରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ରୀତିନୀତି ଅନୁସାରେ ମାନସିକଧାରୀମାନେ ରାତି ପ୍ରାୟ 3ଟା ସମୟରୁ ମାନସିକ କରି ଗୁଆ ଖୋଜିବେ । ଏନେଇ ମାନସିକ କୁଣ୍ଡ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସେହିପରି ମକର ସଂକ୍ରାନ୍ତିଠାରୁ ଅଟ୍ରି ଉଷ୍ମ ପ୍ରସବଣ ପରିସରରେ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ପାଞ୍ଚଦିନ ବ୍ୟାପି ମକର ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରବଳ ଜନ ସମାଗମକୁ ଦୃଷ୍ଟିରେ ରଖି ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମେଳାକୁ ଆସୁଥିବା ଜନସାଧାରଣଙ୍କ ପାଇଁ ମିନାବଜାର, ଚଟପଟି ଖାଦ୍ୟ, ଘରକରଣା ସାମଗ୍ରୀ, ଦୋଳିର ଆସର ଜମିଥିବା ଦେଖିବାକୁ ମିଳିଛି । ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟକ୍ଷ ତତ୍ୱାବଧାନତାରେ 2 ଜଣ ଡ଼ିଏସପି, 3 ଜଣ ଇନ୍ସପେକ୍ଟର, 6 ଜଣ ସବଇନ୍ସପେକ୍ଟର, 11 ଜଣ ଅତିରିକ୍ତ ସବ ଇନ୍ସପେକ୍ଟର, 4 ଜଣ ହାବିଲଦାର, 6 ମହିଳା କନେଷ୍ଟବଳ, 28 କନେଷ୍ଟବଳ, 44 ଜଣ ହୋମଗାର୍ଡ ଏବଂ ଦେଢ଼ ପ୍ଲାର୍ଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସେହିପରି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଉଷ୍ମ ପ୍ରସବଣ ଭିତରେ ଏବଂ ହଟକେଶ୍ୱର ମନ୍ଦିର ପରିସରରେ ଦୁଇଟି ଅସ୍ଥାୟୀ ଫାଣ୍ଡି କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ପାନୀୟଜଳ, ସୂଚନାକେନ୍ଦ୍ର, ଅଗ୍ନି ନିରାପତ୍ତା ସୁବିଧା ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jan 14, 2024, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.