ETV Bharat / state

Power Outage In Odisha: ଡିସକମଙ୍କୁ ମୁଖ୍ୟ ଶାସନ ସଚିବଙ୍କ ତାଗିଦ; ବିଦ୍ୟୁତ ବିଭ୍ରାଟ ରୋକ

author img

By

Published : Jun 12, 2023, 10:52 PM IST

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଯାହା ଦ୍ବାରା ବିଦ୍ୟୁତ ବାଧାପ୍ରାପ୍ତ ହୋଇପାରେ । ତେଣୁ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମ ଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ

ଡିସକମଙ୍କୁ ମୁଖ୍ୟ ଶାସନ ସଚିବଙ୍କ ତାଗିଦ; ବିଦ୍ୟୁତ ବିଭ୍ରାଟ ରୋକ
ଡିସକମଙ୍କୁ ମୁଖ୍ୟ ଶାସନ ସଚିବଙ୍କ ତାଗିଦ; ବିଦ୍ୟୁତ ବିଭ୍ରାଟ ରୋକ

ଭୁବନେଶ୍ବର: କାଳବୈଶାଖୀ ଓ ବଜ୍ରପାତ ପରେ ବିଦ୍ୟୁତ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ବିତରଣ କମ୍ପାନୀମାନଙ୍କ ପ୍ରସ୍ତୁତିର ସମୀକ୍ଷା । ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଲୋକସେବା ଭବନରେ ବସିଥିବା ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଓଇଆରସିର ନିୟାମକ ନିର୍ଦ୍ଦେଶକ, ଡିସକମର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ମୁଖ୍ୟ ଅପରେଟିଂ ଅଫିସର, ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ଏବଂ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଯାହା ଦ୍ବାରା ବିଦ୍ୟୁତ ବାଧାପ୍ରାପ୍ତ ହୋଇପାରେ । ତେଣୁ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମ ଗୁଡ଼ିକ ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଏବଂ ସାମଗ୍ରୀ ସଂଗ୍ରହ ବିଷୟରେ ଡିସକମର ସିଇଓମାନେ ଅବଗତ କରାଇଛନ୍ତି । ସୋସିଆଲ ମିଡିଆରେ ଗ୍ରାହକଙ୍କ ଅଭିଯୋଗର ଉତ୍ତର ଦେବା ପାଇଁ ନିୟୋଜିତ କଷ୍ଟମର କଲ ସେଣ୍ଟର ଏବଂ ଉତ୍ସର୍ଗୀକୃତ ଟିମର କ୍ଷମତା ବୃଦ୍ଧି ବିଷୟରେ ମଧ୍ୟ ବିଦ୍ୟୁତ ବିତରଣ କମ୍ପାନୀମାନେ ସୂଚନା ଦେଇଛନ୍ତି । ଡିସକମ ତରଫରୁ କୁହାଯାଇଛି ଯେ, ସିଷ୍ଟମ ମଜବୁତ କରିବା ପାଇଁ କ୍ୟାପେକ୍ସ ପ୍ରସ୍ତାବ ଓଇଆରସି ଅନୁମୋଦନ ପାଇଁ ଦାଖଲ କରାଯାଏ ।

ସେହିପରି ପ୍ରବଳ ଗରମ ଏବଂ ଅଧିକ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ ବିଭିନ୍ନ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ଡିସକମଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଡିସକମ ଗୁଡ଼ିକୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ପ୍ଲାଟଫର୍ମରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ଶୀଘ୍ର ଓ ନିର୍ଦ୍ଦିଷ୍ଟ ହେବା ଉଚିତ ବୋଲି ସେ କହିଛନ୍ତି । ଆସନ୍ତା ୧୦-୧୫ ବର୍ଷର ବିଦ୍ୟୁତ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରାନ୍ସମିସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ପ୍ଲାନ ପ୍ରସ୍ତୁତ କରିବାକୁ ଓପିଟିସିଏଲ ଓ ଡିସକମମାନଙ୍କୁ ପରାମର୍ଶ ଦିଆଯାଇଛି । ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମମାନଙ୍କୁ ୩ରୁ ୫ ବର୍ଷ ପାଇଁ ବହୁବର୍ଷିଆ କ୍ୟାପେକ୍ସ ପ୍ଲାନ ଦାଖଲ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।

ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ପ୍ରାକ ମୌସୁମୀ ଗଛ କାଟିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶକ୍ତି ବିଭାଗ ଡିସକମ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଯାହା ଦ୍ବାରା ବାତ୍ୟା ଓ କାଳବୈଶାଖୀ ଜନିତ କ୍ଷୟକ୍ଷତିକୁ କମ କରାଯାଇପାରିବ । ଉପକୂଳବର୍ତ୍ତୀ ଅଞ୍ଚଳରେ ଉନ୍ନତମାନର ଇନସୁଲେଟର ଲଗାଇବା ଏବଂ କ୍ଷତିଗ୍ରସ୍ତ ଇନ୍ସୁଲେଟରଗୁଡିକୁ ବଦଳାଇବାକୁ ଡିସକମ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଯାହା ଦ୍ବାରା କଣ୍ଡକ୍ଟର ନଷ୍ଟ ବା କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇପାରିବ । ଭୁବନେଶ୍ବର, କଟକ, ପୁରୀ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ ଆକଳିତ ଲୋଡ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଡିସକମ ମାନଙ୍କୁ ପରାମର୍ଶ ଦିଆଯାଇଛି ।

ଡିସକମ ଗୁଡ଼ିକ ସେମାନଙ୍କ କ୍ୟାପେକ୍ସ ଯୋଜନା ଅଧୀନରେ ବିଭିନ୍ନ ସିଷ୍ଟମ ଉନ୍ନତି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଛନ୍ତି । ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଏହାକୁ ତତ୍ପରତାର ସହ ଧ୍ୟାନ ଦେଇ ଆବଶ୍ୟକ ଅନୁମୋଦନ ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି । ରଥଯାତ୍ରା ଅବସରରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବାକୁ ଡିସକମ ମାନଙ୍କୁ ପରାମର୍ଶ ଦିଆଯାଇଛି । ବିଜନେସ ଆସୋସିଏଟ୍ସ ଦ୍ବାରା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଡିସକମ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚଳାଇବା ଉଚିତ । ସେମାନେ ପର୍ଯ୍ୟାପ୍ତ ମାନବ ସମ୍ବଳ ଏବଂ ଉପକରଣ ଯଥା ପୋଲ ଇରେକ୍ଟର/ପୋଲ ମାଷ୍ଟର, ଡିଜି ସେଟ, ଇନଫ୍ଲେଟେବଲ ଟାୱାର ଲାଇଟ କାର୍ଯ୍ୟ ପାଇଁ ପାଳିରେ ଡ୍ୟୁଟି କରିବା ଆବଶ୍ୟକ । ଡିସକମମାନଙ୍କରେ ରହିଥିବା ଡିଭିଜନ, ସବ ଡିଭିଜନ ଏବଂ ସେକ୍ସନଗୁଡ଼ିକର କାର୍ଯ୍ୟ ଦକ୍ଷତା ନିୟମିତ ଭାବେ ତଦାରଖ କରାଯିବା ସହ ବ୍ୟବସ୍ଥାରେ ଥିବା ଅକ୍ଷମତାକୁ ଦୂର କରିବାକୁ ହେବ । ବିଳମ୍ବିତ ସମାଧାନ ଆବଶ୍ୟକ କରୁଥିବା ନିର୍ଦ୍ଦିଷ୍ଟ ସମସ୍ୟା ଥିଲେ ଉପଭୋକ୍ତାଙ୍କୁ ଆଗୁଆ ପର୍ଯ୍ୟାପ୍ତ ସୂଚନା ଦିଆଯାଇପାରିବ । ତେବେ ଏଭଳି ପରିସ୍ଥିତିକୁ ଏଡ଼ାଇ ବା ସର୍ବନିମ୍ନ ସ୍ତରକୁ ହ୍ରାସ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.