ETV Bharat / state

ମହିଳା ସଂରକ୍ଷଣ ବିଲ୍ ଶ୍ରେୟ କାହାର ? ଶ୍ରେୟ ନେବାକୁ ଜୋର ଧରିଲାଣି ରାଜନୀତି

author img

By ETV Bharat Odisha Team

Published : Sep 20, 2023, 8:05 PM IST

Updated : Sep 20, 2023, 9:45 PM IST

ମହିଳା ସଂରକ୍ଷଣ ବିଲ୍ ଶ୍ରେୟକୁ ନେଇ ରାଜନୀତି ଜୋରଦାର । ସବୁ ଶ୍ରେୟ ସୋନିଆ ଗାନ୍ଧୀଙ୍କୁ ଯାଉଛି କହିଲା ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ

ମହିଳା ସଂରକ୍ଷଣ ବିଲ୍ ଶ୍ରେୟ ରାଜନୀତି
ମହିଳା ସଂରକ୍ଷଣ ବିଲ୍ ଶ୍ରେୟ ରାଜନୀତି

ମହିଳା ସଂରକ୍ଷଣ ବିଲ୍ ଶ୍ରେୟ ରାଜନୀତି

ଭୁବନେଶ୍ବର: ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଯଦି ବିଲ୍ ପାସ୍ ହୁଏ ଏହାର ଶ୍ରେୟ କିଏ ନେବ ତାକୁ ନେଇ ଜୋର ଧରିଛି ରାଜନୀତି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମହିଳା ସଂରକ୍ଷଣ ବିଲର ପୁରା ଶ୍ରେୟ କଂଗ୍ରେସ ଏବଂ ସୋନିଆ ଗାନ୍ଧିଙ୍କୁ ଯାଉଛି । ୨୦୧୦ ମସିହାରେ ମନମୋହନ ସିଂହଙ୍କ ୟୁପିଏ ସରକାର ସମୟରେ ରାଜ୍ୟସଭାରେ ଏହି ବିଲ ଆଗତ ହୋଇଥିଲା । ସମୟ ଅବଧି ନଥିବାରୁ ଏହା ଲୋକସଭାରେ ଉପସ୍ଥାପିତ ହୋଇପାରିନଥିଲା । ଏବେ ଯଦି ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳେ, ତାହେଲେ ଏହାର ପୁରା ଶ୍ରେୟ ସୋନିଆ ଗାନ୍ଧୀଙ୍କୁ ଯାଉଛି । ରାଜୀବ ଗାନ୍ଧୀଙ୍କର ଏହା ଅଧୁରା ସ୍ବପ୍ନ ଥିଲା । ସୋନିଆ ଗାନ୍ଧୀ ଏହି ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ ଆରମ୍ଭ କରିଥିଲେ । ତେଣୁ ସମସ୍ତ ଶ୍ରେୟ ସୋନିଆ ଗାନ୍ଧୀଙ୍କୁ ଯାଉଛି ବୋଲି କହିଛନ୍ତି ପିସିସି ସଭାପତି ।

ଅନ୍ୟପଟେ ବିଜେଡି ମଧ୍ୟ ମହିଳା ସଂରକ୍ଷଣ ବିଲ୍‌ର ସବୁ ଶ୍ରେୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛି । ବିଜେଡି କହିଛି, ଲୋକସଭାରେ ମହିଳା ବିଲ ଉପସ୍ଥାପିତ ପଛରେ ଓଡ଼ିଶା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଲ ମଡେଲ । ଏଥିରେ କେହି ଦ୍ବିମତ ହେବେନାହିଁ । ମହିଳାଙ୍କ ପାଇଁ ସଂରକ୍ଷଣ ନେଇ ବିଧାନସଭାରୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଦାବି ଉଠିଛି । ଏହାର ଅଧିକ ଶ୍ରେୟ ନବୀନ ସରକାର ଓ ବିଜୁ ଜନତା ଦଳର । କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ ଆଣିଥିବାରୁ ମହିଳା ଭୋଟ ବିଜେପି ସପକ୍ଷରେ ଯିବ ନା ନାହିଁ ତାହା ତର୍କର ବିଷୟ । କିନ୍ତୁ ବିଜେଡି ଭୋଟ ବ୍ୟାଙ୍କ ଉପରେ ଏହା କିଛି ପ୍ରଭାବ ପକାଇବ ନାହିଁ ।

ଏହାମଧ୍ୟ ପଢନ୍ତୁ: ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ସଂରକ୍ଷଣ; ସ୍ୱର ଉଠାଇଥିଲା ଓଡିଶା, ଶୁଣିଲା ଦେଶ

ବିଜେପି କହିଛି, ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଏକ ଐତିହାସିକ ନିର୍ଣ୍ଣୟ ଏବଂ ଯୁଗାନ୍ତକାରୀ ପଦକ୍ଷେପ । ଦେଶ ବଦଳୁଛି । ମୋଦି ସରକାର ସବୁବେଳେ ମହିଳାମାନଙ୍କ ସଶକ୍ତିକରଣ, ସୁରକ୍ଷା ଏବଂ ତାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ତୃଣମୂଳ ସ୍ତରରୁ କାମ କରିଆସିଛନ୍ତି । ଉଜ୍ବଳା ଯୋଜନା, ଘରେ ଘରେ ପଇଖାନା ପହଞ୍ଚିବା, ଏସଏଚଜି ଗ୍ରୁପ ମାଧ୍ୟମରେ ଆର୍ଥିକ ସହାୟତା ପହଞ୍ଚିବା, ଜନଧନ ଯୋଜନାରେ ମହିଳାମାନଙ୍କୁ ଯୋଡିବା ଆଦି ପଦକ୍ଷେପ ନେଇଛନ୍ତି । ମହିଳାଙ୍କ ମନର କଥା ମହିଳାମାନେ ବୁଝିପାରିବେ । ମହିଳାମାନଙ୍କ ପାଇଁ ଏହା ଏକ ଟର୍ଣ୍ଣିଂ ପଏଣ୍ଟ ।

ଏହି ଶ୍ରେୟ ରାଜନୀତି ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାରେ ବେଶ ସହାୟକ ହେବ ମହିଳା ସଂରକ୍ଷଣ ବିଲ୍ । ତେଣୁ ସଂସଦରେ ବିତର୍କ ଚାଲିଥିବା ବେଳେ ସବୁ ରାଜନୈତିକ ଦଳ ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି । ଡିଏମକେ, ଶିବସେନା ଏବଂ ବିଜେପିର କହିବା ହେଲା ଏହା ସେମାନଙ୍କର ଦୀର୍ଘଦିନର ଦାବି ଥିଲା । ବିଜେପି ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଉଛି ।

ଅନ୍ୟପଟେ ବିଜେଡି ଏ ସମ୍ପର୍କିତ ଏକ ସଂକଳ୍ପ ବିଧାନସଭାରେ ପାରିତ କରିଥିବା କହୁଛି । ଯାହାକି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି । ତେଣୁ ଶ୍ରେୟ ବିଜେଡି ଆଡକୁ ଯିବ । ଆଗକୁ ନିର୍ବାଚନ ଆସୁଥିବାରୁ ସବୁ ରାଜନୈତିକ ଦଳ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାରେ ଏହା ସହାୟକ ହେବାକୁ ଯାଉଛି । ସେଥିପାଇଁ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । ତେବେ ଏହି ବିଲ ପାରିତ ହେବା ପରେ ଜଣାପଡିବ ଏହା ଲୋକମାନଙ୍କୁ ଆଗାମୀ ନିର୍ବାଚନରେ କେତେ ପ୍ରଭାବିତ କରିପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 20, 2023, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.