ETV Bharat / state

ପରସ୍ପର ବିରୋଧରେ ରାଜରାସ୍ତାରେ ବିଜେପି ଓ ବିଜେଡି, କଂଗ୍ରେସ କହିଲା ଡ୍ରାମା କରୁଛନ୍ତି

author img

By

Published : Feb 14, 2023, 9:57 PM IST

ଭୁବନେଶ୍ବରରେ ପରସ୍ପର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜେପି ଓ ବିଜେଡି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ PMGKAYରେ ଗରିବଙ୍କ ଚାଉଳ ବନ୍ଦ ହେବାକୁ ବିରୋଧ କରିଛି ବିଜେଡି । ସେପଟେ ଉଭୟ ଦଳ ଡ୍ରାମା କରୁଥିବା ଅଭିଯୋଗ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

BJP and BJD Protest in Bhubaneswar
ଭୁବନେଶ୍ବରରେ ବିଜେପି ଓ ବିଜେଡିର ଆନ୍ଦୋଳନ

Political leaders reaction over BJP and BJD Protest

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ଦୁଇ ପ୍ରମୁଖ ରାଜନୈତିକ ଦଳ । ଗୋଟିଏ ପଟେ ବିଜେଡିର ଚାଉଳ ରାଜନୀତି । ସେପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । ଆଜିଠାରୁ ୩ ଦିନିଆ ପ୍ରତିବାଦରେ ଉଭୟ ବିଜେପି ଓ ବିଜେଡି ପରସ୍ପର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଧାନକିଣା ନୀତି ଓ ଚାଉଳ କାଟ୍ ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡି ଗର୍ଜନ କରୁଥିବା ବେଳେ । ସେହିପରି ବିଜେପି ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ନେଇ ରାଜରାସ୍ତାରେ ପ୍ରତିବାଦ କରିଛି ।

ଏନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ଯେତେବେଳେ ବିଜେଡି ଲୋକଙ୍କ ପେଟ ପାଟଣା ପାଇଁ ରାଜରାସ୍ତାକୁ ଓହ୍ଲାଏ, ବିରୋଧି ବିଜେପି ତାହାକୁ ଲୋକଙ୍କ ନଜରରୁ ହଟାଇବା ପାଇଁ ଏଭଳି ରାସ୍ତାରୋକ କରିଥାଏ । ରାଜ୍ୟରେ ଆଇନ ଶୃଙ୍ଖଳା ଓ ସୁରକ୍ଷା କଥା କହୁଥିବା ବିଜେପି ନିଜେ ଆଇନକୁ ହାତକୁ ନେଉଛି । ଏହା ହେଉଛି ବିଜେପିର ପଲିସି ।" ସେହିପରି ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି, "ଓଡିଶାରେ ଚାଷୀକୂଳ ପାଇଁ ଆମେ ରାଜରାସ୍ତାରେ ଓହ୍ଲାଇଛୁ । କେରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯେଉଁ ୫ କେଜି ଚାଉଳ ଯୋଗାଇ ଦିଆଯାଉଥିଲା, ତାହା ବନ୍ଦ କରାଯାଇଛି । ଏହାର ପ୍ରତିବାଦରେ ଆମେ ଆଜି ଧାରଣା ଦେବା ସହିତ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛୁ । ଆଇନ ଶୃଙ୍ଖଳାକୁ ନେଇ ବିଜେପି ପ୍ରତିବାଦ କରୁଛି । ତାଙ୍କର ଗଣତାନ୍ତ୍ରିକ ଅଧିକାର ଅଛି ।"

ସେପଟେ ବିଜେପି କଡ଼ା ଭାଷାରେ ବିଜେଡିକୁ ଟାର୍ଗେଟ କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ହନୁ ମଲାବେଳେ ସତ କହେ । ବିଜେଡି ସତ କହିଛି । ଟଙ୍କିକିଆ ଚାଉଳ ନବୀନ ପଟ୍ଟନାୟକ ଦେଉଛନ୍ତି କିନ୍ତୁ ଯେତେବେଳେ କେନ୍ଦ୍ର ସରକାର ମାଗଣାରେ ଚାଉଳ ଗୋଟିଏ ବର୍ଷ ଦେବା ପାଇଁ ଘୋଷଣା କରିଥିଲେ ସେ ସମୟରେ ଟଙ୍କିକିଆ ଚାଉଳ ବନ୍ଦ ହୋଇଗଲା । ତାକୁ ଆଧାର କରି ସରକାର ସ୍ବୀକାର କଲେ ଯେ ଚାଉଳ କେନ୍ଦ୍ର ସରକାର ଦେଉଥିଲେ । ଆଜି ବିଜେଡି ଅଭିନୟ କରୁଛି ଏଥିରୁ ବର୍ତ୍ତିବା ପାଇଁ ।"

ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ବିଜେଡି ଓ ବିଜେପି ହାଇଡ୍ରାମା କରୁଛନ୍ତି । ଏମାନଙ୍କ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ । କେବଳ ନିର୍ବାଚନ ହିଁ ଏମାନଙ୍କ ପ୍ରସଙ୍ଗ । ଚାଉଳକୁ ନେଇ ଯେଉଁ ଡ୍ରାମା ଚାଲିଛି, ବାସ୍ତବରେ ତାହା ବିଜେଡି କି ବିଜେପି ଦେଉନି । UPA ସରକାର ଅମଳରୁ ଏହା ସାମ୍ବିଧାନିକ ବ୍ୟବସ୍ଥା ହୋଇଛି । ଯିଏ ବି ସରକାରକୁ ଆସିବ, ସିଏ ଚାଉଳ ଦେବ । ଉଭୟ ଦଳ କେହି କାହାଠୁ କମ ନୁହନ୍ତି । ଚାଷୀ ପ୍ରସଙ୍ଗରେ ଉଭୟ ବିଜେପି ଓ ବିଜେଡି କେବଳ ଡ୍ରାମା କରୁଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ନବ ଦାସଙ୍କ ହତ୍ୟାକୁ ଆଉ କିଛିଦିନ ପରେ ମାସେ ପୁରିଯିବ । ମାତ୍ର କ୍ରାଇମବ୍ରାଞ୍ଚ କଣ ତଦନ୍ତ କରୁଛି ସମସ୍ତେ ଜାଣି ସାରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.