ETV Bharat / state

ରାସନ ରାଜନୀତି: ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକ ପରେ ରାଜ୍ୟ ବିଜେପି ଉତଫୁଲ୍ଲିତ, ବଢିବ ଭୋଟ୍ ବ୍ୟାଙ୍କ୍ !

author img

By ETV Bharat Odisha Team

Published : Nov 30, 2023, 7:03 PM IST

2024 ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମାଗଣା ଚାଉଳ' ମାଷ୍ଟର ଷ୍ଟ୍ରୋକ୍ । ଆଉ ପାଞ୍ଚ ବର୍ଷ ପାଇଁ 80 କୋଟି ଜନତାଙ୍କୁ ମିଳିବ 5 କେଜି ମଗଣା ଚାଉଳ । 5 ରାଜ୍ୟରେ ସେମିଫାଇନାଲ ରେଜଲ୍ଟ ପୂର୍ବରୁ ଫାଇନାଲ୍ ପାଇଁ ପତ୍ତା ପିଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ । ଯାହାକୁ ନେଇ ଓଡି଼ଶା ବିଜେପି କ୍ୟାମ୍ପ ଉତ୍ସାହିତ । ପଏମ୍ ଗରିବ କଲ୍ୟାଣ ଯୋଜନାର ଫାଇଦା ପଦ୍ମଦଳ ନେବାକୁ ଅଣ୍ଟା ଭିଡ଼ିଥିବା ବେଳେ, ରାଜନୀତି ସମୀକ୍ଷକଙ୍କ ଭିନ୍ନ ମତ । ଅଧିକ ପଢ଼ନ୍ତୁ...

ମାଗଣା ଚାଉଳ ରାଜନୀତି: ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକକୁ ନେଇ ରାଜ୍ୟ ବିଜେପି ଉତଫୁଲ୍ଲିତ, ଭୋଟ୍ ବ୍ୟାଙ୍କ୍ ବୃଦ୍ଧି ନେଇ ଆଶାବାଦୀ
ମାଗଣା ଚାଉଳ ରାଜନୀତି: ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକକୁ ନେଇ ରାଜ୍ୟ ବିଜେପି ଉତଫୁଲ୍ଲିତ, ଭୋଟ୍ ବ୍ୟାଙ୍କ୍ ବୃଦ୍ଧି ନେଇ ଆଶାବାଦୀ

ମାଗଣା ଚାଉଳ ରାଜନୀତି: ମୋଦିଙ୍କ ମାଷ୍ଟ୍ରର ଷ୍ଟ୍ରୋକକୁ ନେଇ ରାଜ୍ୟ ବିଜେପି ଉତଫୁଲ୍ଲିତ, ଭୋଟ୍ ବ୍ୟାଙ୍କ୍ ବୃଦ୍ଧି ନେଇ ଆଶାବାଦୀ

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପୂର୍ବରୁ ଗରିବ କଲ୍ୟାଣ ଯୋଜନା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ୍ । ଆଗାମୀ 5ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ, 80 କୋଟି ଲୋକଙ୍କୁ ମିଳିବ 5 କେଜି ମାଗଣା ଚାଉଳ । ଏଥିପାଇଁ କେନ୍ଦ୍ର ଖର୍ଚ୍ଚ କରିବ 11.8 ଲକ୍ଷ କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଲୋକାଭିମୁଖୀ ଯୋଜନାକୁ ସବୁଜ ସଂକେତ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଯାହାକୁ ନେଇ ରାଜନୀତି ମହଲରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ପ୍ରଧାନମନ୍ତ୍ରୀଙ୍କ ମାଗଣା ଚାଉଳ ସ୍କିମ୍ ର ଫାଇଦା ନେବାକୁ ଆଶା ବାନ୍ଧିଛି ରାଜ୍ୟ ବିଜେପି । ତେବେ ରାଜନୀତି ବିଶାରଦଙ୍କ ମହଲରେ ପ୍ରକାଶ ପାଇଛି ଭିନ୍ନ ମତ । କେତେକ ଏହାକୁ ପ୍ରଭାବଶୀଳ ବିବେଚନା କରୁଥିବା ବେଳେ, ଆଉ କିଛିଙ୍କ ମତ ଫରକ ପଡ଼ିବନାହିଁ ।

କୋଭିଡ ମହାମାରୀ ସମୟରେ ମୋଦି ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)। ଯାହା କି 2023 ଡିସେମ୍ବରରେ ଶେଷ ହେବାର ଥିଲା। ମାତ୍ର ଏହି ଯୋଜନାକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାକୁ ନିର୍ବାଚନୀ ସଭାରେ ଘୋଷଣା କରିସାରିଥିଲା ବେଳେ ଗତକାଲି (ବୁଧବାର) କେନ୍ଦ୍ର କ୍ୟାବିନେଟ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି ଗ୍ରହଣ କରିଛି । 2028 ଡିସେମ୍ବର ପର୍ଯ୍ୟନ୍ତ ଏହି ଯୋଜନାରେ ଦେଶରେ 80 କୋଟି ଲୋକେ ମାଗଣା ରାସନ ପାଇବେ । ଏଥିପାଇଁ 11.8 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ଅଟକଳ ମଧ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏହି ବଡ଼ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।

କେନ୍ଦ୍ର କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଥିଲେ ଯେ, ଗତ 5 ବର୍ଷ ମଧ୍ୟରେ ଦେଶରେ ପ୍ରାୟ ସାଢ଼େ 13 କୋଟି ଲୋକେ ଦାରିଦ୍ର୍ୟ ସୀମାରେଖାରୁ ମୁକ୍ତ ହୋଇଛନ୍ତି । ଏହା ଦେଶର ଅବବୃଦ୍ଧିର ଏକ ବଡ ସଙ୍କେତ । କୋଭିଡ ସମୟରେ ଏହି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏହାକୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ଏହା ଆସନ୍ତାବର୍ଷ 2024 ଜାନୁଆରି ପହିଲାରୁ ଲାଗୁ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାରେ କ୍ୟାବିନେଟ ମୋହର ଲାଗିବା ପରେ, ରାଜନୀତି ମହଲରେ ଜୋର ଧରିଛି ଅଙ୍କକଷା । ପ୍ରଧାନମନ୍ତ୍ରୀଙ୍କ ମାଗଣା ଚାଉଳ ବଣ୍ଟନ ଯୋଜନା 2024 ନିର୍ବାଚନରେ ବିଜେପିର ଭୋଟ୍ ବ୍ୟାଙ୍କକୁ ଶକ୍ତି ଯୋଗାଇବ କି ? ଓଡ଼ିଶା ଭୋଟ୍ ରାଜନୀତିକୁ କେତେ ପ୍ରଭାବିତ କରିବ ଏହି ଫ୍ରି ସ୍କିମ୍ (ମାଗଣା ଯୋଜନା) ? ଏଥିରୁ ଓଡ଼ିଶା ବିଜେପିକୁ ମିଳିବ କି ବଡ଼ ଫାଇଦା ? ଏଭଳି ଅନେକ ପ୍ରଶ୍ନ ମନକୁ ଆସୁଥିବା ବେଳେ, ଉତ୍ସାହିତ ହୋଇଛି ରାଜ୍ୟ ବିଜେପି । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ଯେ, ଏହା ଭୋଟ୍ ରାଜନୀତି ନୁହେଁ । ବରଂ ଗରିବ ଲୋକଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୂରଦୃଷ୍ଟି ସମ୍ପନ୍ନ ମେଗା ପଦକ୍ଷେପ । ଏହାଦ୍ବାରା ନିଶ୍ଚିତ ଭାବେ ଜନତା ଆକୃଷ୍ଟ ହେବେ ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଇବ । ରାସନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ମୋହନ ମାଝି । ତାଙ୍କ କହିବା ହେଲା, ଅତୀତରେ ଯେଉଁ ଚାଉଳ ରାଜ୍ୟ ସରକାର ବାଣ୍ଟୁଥିଲେ, ସେଥିରେ ରାଜ୍ୟ ସରକାର ପ୍ରତି କିଲୋ ପିଛା ଦେଉଥିଲେ ମାତ୍ର 2 ଟଙ୍କା । ମୋଦି ସରକାର ସବସିଡି ବନ୍ଦ କରିବା ପରେ, ରାଜ୍ୟ ସରକାର ଚାଉଳ ଦେବା ବନ୍ଦ କରି ଦେଇଥିଲେ । ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗରୀବ କଲ୍ୟାଣ ଯୋଜନା ପ୍ରତି ଜନତା ଆକୃଷ୍ଟ ହେବେ ଏବଂ ଦଳ ପ୍ରତି ସମର୍ଥନ ବୃଦ୍ଧି ପାଇବ।

ମୋଦିଙ୍କ ମାଗଣା ଚାଉଳ ଯୋଜନାକୁ ନେଇ ରାଜନୀତି ସମୀକ୍ଷକଙ୍କ ମହଲରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମତରେ, 2024 ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦିଙ୍କ ମାଷ୍ଟରଷ୍ଟ୍ରୋକ । ଏବେ ଯେଉଁ 5ଟି ରାଜ୍ୟ (ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ) ରେ ନିର୍ବାଚନ ହେଉଛି, ସେଥିରେ ବିଜେପିର ସେତେଟା ସଫଳ ପ୍ରଦର୍ଶନ ଆଶା କରାଯାଉ ନାହିଁ । ଦ୍ବିତୀୟରେ 5 ରାଜ୍ୟର ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିପାରେ । ତେଣୁ ସମ୍ଭାବ୍ୟ କ୍ଷତିର ଭରଣା ପାଇଁ ମାଗଣା ଚାଉଳ ଘୋଷଣା କରିଛନ୍ତି ମୋଦି । ଯେଉଁମାନେ ଚାଉଳ ଯୋଜନାରେ ହିତାଧିକାରୀ ଅଛନ୍ତି, ସେମାନେ ମୋଦିଙ୍କ ସହିତ ଯୋଡ଼ି ହୋଇ ରହି ପାରନ୍ତି । ବିଜେପିର ରାଜ୍ୟରେ ଭୋଟ ବ୍ୟାଙ୍କ ବଢ଼ିନପାରେ। କିନ୍ତୁ ବିଜେପି ଯେତିକି ଭୋଟ ପାଉଛି 2024ରେ ସେତିକି ଭୋଟ୍ ବଜାୟ ରଖିବାରେ ମାଗଣା ଚାଉଳ ସହାୟକ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି ଅକ୍ଷୟ ସାହୁ ।

ରାଜନୀତି ସମୀକ୍ଷକ ରବି ଦାସଙ୍କର କିନ୍ତୁ ଭିନ୍ନ ମତ । ତାଙ୍କ କହିବା କଥା, ଏହି ସ୍କିମର ମୂଳ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ । ଯଦି ମୋଦି ଅଧିକ 5 ବର୍ଷ ପାଇଁ ବଢ଼ାଇ ନଥାନ୍ତେ, ତେବେ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କେନ୍ଦ୍ର ସରକାର ଚାଉଳ ପାଇଁ 3 ଟଙ୍କା ଏବଂ ଗହମ ପାଇଁ 2 ଟଙ୍କା ଦେଇଥାନ୍ତେ । 2011 ଜନ ଗଣନା ଅନୁସାରେ ସବୁ ଚାଲିଛି । 2021 ଜନଗଣନା ନହେବା ଫଳରେ 10 କୋଟି ଲୋକ ଏଥିରୁ ବଞ୍ଚିତ ହୋଇଛନ୍ତି । ଯେଉଁ ଲୋକମାନେ ପ୍ରକୃତରେ ଖାଦ୍ୟ କିଣିପାରିବେ ନାହିଁ ସେମାନେ ଉପକୃତ ହେଉଛନ୍ତି । ଓଡ଼ିଶାରେ ଚାଉଳ ରାଜନୀତି ରହିଛି । ଯାହା ନିର୍ବାଚନରେ ସହାୟକ ହୋଇଥାଏ । ଏହାଦ୍ବାରା ବହୁତ ଗୁଡ଼ିଏ ଭୋଟ ବ୍ୟାଙ୍କ ସଶକ୍ତ ହେବ ଏକଥା ବିଶ୍ବାସକୁ ନେବା ସଂପୂର୍ଣ୍ଣ ଠିକ୍ ନୁହେଁ। କାରଣ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ମଧ୍ୟ ଦରଦାମ୍ ବଢୁଛି । ଯେଉଁ ଗୋଟିଏ ଶ୍ରେଣୀର ଲୋକ ଏହାର ସାହାଯ୍ୟ ପାଇବେ ସେମାନେ ଭୋଟ୍ ବ୍ୟାଙ୍କକୁ ପ୍ରଭାବିତ କରିବେ । ଯାହା ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଥିଲା । କିଛି ପରିମାଣରେ ଏହା ରାଜନୀତିକୁ ପ୍ରଭାବିତ କରିବ । ଅନାହାର ମୃତ୍ୟୁ କମାଇବାରେ ଏହା ସହାୟକ ହୋଇଥିବାରୁ ଦେଶର ରାଜନୀତି ରାଜ୍ୟର ରାଜନୀତିକୁ ଏହା ପ୍ରଭାବିତ କରିବ । ତେବେ ଓଡ଼ିଶା କ୍ଷେତ୍ରରେ ଏହା ସମାନ ପ୍ରମାଣିତ ହୋଇନପାରେ ।

ଡିସେମ୍ବର 3ରେ ଆସିବ 5ଟି ରାଜ୍ୟର ଜନାଦେଶ । ଏହି ଫଳାଫଳକୁ ସେମିଫାଇନାଲ କୁହାଯାଉଥିବା ବେଳେ, 2024 ଫାଇନାଲ ପାଇଁ ସଜବାଜ ହେଲେଣି ସବୁ ରାଜନୈତିକ ଦଳ । ତାହାରି ଭିତରେ ମାଗଣା ଚାଉଳର ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଜାତୀୟ ରାଜନୀତିରେ ବିଜେପି ଭୋଟ୍ ବ୍ୟାଙ୍କକୁ କେତେ ମଜଭୁତ କରିବ, ତାହା ତ ଭିନ୍ନ କଥା । ତେବେ ଓଡ଼ିଶା ବିଜେପି ଏଥିରୁ ଫାଇଦା ଉଠାଇ ପାରୁଛି କି ନା, ତାହା ହିଁ ମୁଖ୍ୟ ପ୍ରଶ୍ନ ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.