ETV Bharat / state

ଓଡ଼ିଶା ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିବାଦ

author img

By

Published : Aug 1, 2023, 2:06 PM IST

ବିଧାନ ସଭା ସମ୍ମୁଖରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିବାଦ । ଦାବି ପୂରଣ ନହେଲେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଲା ମହାସଂଘ । ଅଧିକ ପଢନ୍ତୁ

outsourcing employee stages protest
outsourcing employee stages protest

outsourcing employee stages protest

ଭୁବନେଶ୍ବର : ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ପ୍ରତିବାଦ । ଗାନ୍ଧୀମାର୍ଗରେ ଗର୍ଜିଲେ ୫୦୦୦ରୁ ଊର୍ଦ୍ଧ୍ଵ କର୍ମଚାରୀ । ବାରମ୍ବାର ଆନ୍ଦୋଳନ ପରେ ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ପ୍ରତିଶୃତି ସତ୍ତ୍ବେ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଉଟସୋର୍ସିଂ ମହାସଂଘର ଦାବି ପୂରଣ ନହେଲେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ।

ତେବେ ସରକାରୀ ଓ ନିଗମ ସ୍ତରରେ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବିକୁ ନେଇ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ କେହି ଏମାନଙ୍କ ସମସ୍ୟା ବିଷୟରେ ସାମାନ୍ୟତମ ବିଚାର କଲେ ନାହିଁ । ଏନେଇ ଗତକାଲି ହଜାରହଜାର ସଂଖ୍ୟାରେ ଆଉଟସୋର୍ସିଂ କର୍ମଚାରୀ ଏକ ରାଲିରେ ଆସି ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି ।

କୋଭିଡରେ ସାରା ବିଶ୍ବ ଆକ୍ରାନ୍ତ ଥିବା ବେଳେ ଏହି ଆଉଟ ସୋର୍ସିଂ କର୍ମଚାରୀ ଦିନରାତି ପରିଶ୍ରମ କରି ଧନ, ଜୀବନ ରାଷ୍ଟ୍ରୀୟ ସମ୍ପତ୍ତିର ସୁରକ୍ଷାରେ ଲିପ୍ତ ଥିଲେ । କିନ୍ତୁ ସେହି କର୍ମଚାରୀମାନଙ୍କୁ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କରାଯାଇଛି । ହେଲେ ପରବର୍ତ୍ତୀ ସମୟରେ ଦାବି ନେଇ ରାଜ୍ୟ ସରକାର କୌଣସି ଆଲୋଚନା କି ନିଷ୍ପତ୍ତି ନେଇ ନଥିବା ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ । ତେଣୁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଠିକା କର୍ମଚାରୀଙ୍କୁ ନିୟମିତ କରିବା ନେଇ ୨୦୧୮ ମସିହା ଜୁନ୍‌ ମାସ ୨୫, ୨୬ ଓ ୨୭ ତାରିଖ ଏକ ବୃହତ ଗଣଆନ୍ଦୋଳନ କରଯାଇଥିଲା । ସେତେବେଳେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଫିସର ଏକ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ଏକ ମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରାଯିବ। ମାତ୍ର ବିଡ଼ମ୍ବନାର ବିଷୟ ଇତିମଧ୍ୟରେ ପାଞ୍ଚ ବର୍ଷ ବିତିବାକୁ ବସିଲାଣି କିନ୍ତୁ କମିଟି ବସାଇବା ତ ଦୂରର କଥା, ଏହି ବର୍ଗର କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ସାମାନ୍ୟତମ ଆଗ୍ରହ ପ୍ରକାଶ କଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ- ବାରମ୍ବାର ଆନ୍ଦୋଳନ ପରେ ପୂରଣ ହେଉନି ଦାବି, କର ବା ମର ନୀତିରେ ଆଉଟସୋର୍ସିଂ କର୍ମଚାରୀ

ସେହିପରି ମୁଖ୍ୟମନ୍ତ୍ରୀ ୨୦୨୨ ମସିହା ଅକ୍ଟୋବର ୧୫ରେ ଏକ ଐତିହାସିକ ନିଷ୍ପତ୍ତି ଘୋଷଣା କଲେ ଯେ, ଓଡ଼ିଶାରେ ଦୀର୍ଘଦିନ ଧରି ପ୍ରଚଳିତ ହୋଇ ଆସୁଥିବା ସମସ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାର ବିଲୋପ ହେଲା । କିନ୍ତୁ ରାଜ୍ୟର ବିଭିନ୍ନ ସରକାରୀ ଅଫିସରେ କାମ କରୁଥିବା ପ୍ରାୟ ୭୦ ହଜାରରୁ ଊର୍ଦ୍ଧ୍ଵ ଆଉଟସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ଗ୍ରହଣ କରାଗଲା ନାହିଁ । ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ରାଜ୍ୟ ପାଇଁ ଦିନରାତି ଏକ କରି ଶାସନର ମେରୁଦଣ୍ଡ ସାଜିଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ଭାଗ୍ୟ ଆଜି ଅନ୍ଧକାର ଭିତରେ । ଏନେଇ ବାରମ୍ବାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଯାଉଥିଲେ ବି ସରକାର ଶୁଣୁ ନାହାନ୍ତି । ତେଣୁ ଏଥର ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.