ETV Bharat / state

ମିଲେଟର ପ୍ରଚାର ପ୍ରସାର ପାଇଁ ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ସମ୍ମିଳନୀ: କୃଷି ସଚିବ

author img

By

Published : Jun 30, 2023, 8:11 AM IST

ମିଲେଟର ପ୍ରଚାର ପ୍ରସାର ପାଇଁ ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ସମ୍ମିଳନୀ । ଏ ନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।

Etv Odisha govt on millet
Odisha govt on millet

ଭୁବନେଶ୍ବର: ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହିତ କରି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର ଜୀବନଜୀବିକାରେ ଉନ୍ନତି ଆଣି ହେବ । ଏ ଦିଗରେ ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ, ଓଡ଼ିଶା ସହାୟକ ହୋଇପାରିବ । ଏଥି ସହିତ ସହରର ଗ୍ରାହକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଆଣିବା ଦିଗରେ ଆସୋସିଏସନ ଏକ ଅଣୁଘଟକର ଭୂମିକା ଗ୍ରହଣ କରିପାରିବ । ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।

ରାଜ୍ୟରେ ମାଣ୍ଡିଆର ପ୍ରଚାର ଓ ପ୍ରସାର ଦିଗରେ ରଣନୀତି ପ୍ରସ୍ତୁତ ହେବ । ଏ ଦିଗରେ ଓଡ଼ିଶା ମିଲେଟ ମିଶନ ଦ୍ବାରା ଏକ ବୈଠକ ଆୟୋଜିତ ହୋଇଛି । କୃଷି ଭବନରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ, ଓଡ଼ିଶାର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସହିତ ଆୟୋଜିତ ହୋଇଛି ବୈଠକ । ବୈଠକର ଅଧ୍ୟକ୍ଷତା କରିଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟ ସରକାର ମିଲେଟର ଲୋକପ୍ରିୟତା ଓ ଗ୍ରହଣୀୟତା ବୃଦ୍ଧି ଲାଗି ଅନେକଗୁଡ଼ିଏ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ସାରା ରାଜ୍ୟରେ ପାଳନ କରାଯାଉଛି ।

ଆସନ୍ତା ନଭେମ୍ବର ୧୦ ତାରିଖରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭୁବନେଶ୍ବରରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ପାଇଁ ଯୋଜନା କରିଛି । ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଓଡ଼ିଶା ମିଲେଟ ମିଶନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର । ସମ୍ମିଳନୀରେ ଆସୋସିଏସନ ସକ୍ରିୟ ଅଂଶଗ୍ରହଣ କରିବାକୁ ପ୍ରମୂଖ ଶାସନ ସଚିବ ଅନୁରୋଧ କରିଛନ୍ତି । ଏହା ସହିତ ସଂଘର ସଦସ୍ୟମାନଙ୍କୁ ସେମାନଙ୍କ ହୋଟେଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ସଂଘର ସହଯୋଗରେ ବିଭିନ୍ନ ସ୍ଥାନରେ ନିୟମିତ ଫୁଡ ଫେଷ୍ଟିଭାଲର ଆୟୋଜନ ଉପରେ ଗୁରୁତ୍ବାରୋପ କରିଛନ୍ତି ।

ହୋଟେଲ ରୁମ ଗୁଡ଼ିକରେ ଅତିଥିମାନଙ୍କ ଲାଗି ମିଲେଟରୁ ପ୍ରସ୍ତୁତ ସ୍ନାକ୍ସ ଓ ସୂଚନା ପୁସ୍ତିକା ଉପଲବ୍ଧ କରାଇବେ । ଏହା ସହ ଜନସଚେତନତା ବୃଦ୍ଧି ନିମନ୍ତେ ହୋଟେଲଗୁଡ଼ିକରେ ଭିଡିଓ କ୍ଲିପିଙ୍ଗସ ଏବଂ ଷ୍ଟାଣ୍ଡି ପ୍ରଦର୍ଶନ ଉପରେ ସେ ଗୁରୁତ୍ବ ଦେଇଛନ୍ତି । ସେ ମାଣ୍ଡିଆକୁ ଭବିଷ୍ୟତର ଖାଦ୍ୟ ଭାବରେ ଅଭିହିତ କରିଛନ୍ତି । ଏହା ସହିତ ଏହା ଦ୍ବାରା ଆଧୁନିକ ଜୀବନ ଶୈଳୀରେ ଦେଖାଯାଉଥିବା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଉପକାର ମିଳିବ ବୋଲି ଆଶା ପ୍ରକାଶ କରିଛନ୍ତି । ରାଜ୍ୟରେ ମିଲେଟର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ମିଲେଟର ସ୍ବାସ୍ଥ୍ୟ ଉପଯୋଗିତାର ପ୍ରଚାର ଦିଗରେ ଓଡ଼ିଶା ମିଲେଟ ମିଶନ ପକ୍ଷରୁ ଡାକ୍ତର ଏବଂ ଡାଇଟିସିଆନଙ୍କୁ ନିୟୋଜିତ କରାଯାଉଛି ।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ପ୍ରତିନିଧିମାନେ ମିଲେଟର ପ୍ରସାର ନିମନ୍ତେ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ହୋଟେଲମାନଙ୍କ ଅବଗତି ପାଇଁ ମିଲେଟରୁ ପ୍ରସ୍ତୁତ ଖାଦ୍ୟର ଏକ ରୂପରେଖ ଏବଂ ମାନକ ସଂଚାଳନ ପ୍ରୋଟୋକଲ ବିକଶିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହା ହୋଟେଲ ଗୁଡ଼ିକୁ ସେମାନଙ୍କ ଦ୍ବାରା ପ୍ରସ୍ତୁତ ମାଣ୍ଡିଆ ଖାଦ୍ୟକୁ ଅଧିକ ପ୍ରଭାବଶାଳୀ ଓ ମାନକ ସମ୍ମତ କରିବାରେ ସହାୟକ ହୋଇପାରିବ । ପାରମ୍ପରିକ ଓ ଆଧୁନିକ ଶୈଳୀରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପାଇଁ ଏକ ରେସିପି ବ୍ୟାଙ୍କ ପ୍ରସ୍ତୁତ କରାଯାଇ ଏହାର ବ୍ୟାପକ ପ୍ରସାର ଉପରେ ବୈଠକରେ ପ୍ରସ୍ତାବ ଦିଆଯାଇଛି । ଏହା ସହିତ ମାଣ୍ଡିଆର ସ୍ବାସ୍ଥ୍ୟ ଉପଯୋଗିତା ସଂପର୍କିତ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ମାଣ୍ଡିଆର ପ୍ରୋତ୍ସାହନ ଲାଗି ଆସୋସିଏସନ ପକ୍ଷରୁ ସକ୍ରିୟ ସହଯୋଗ ଦିଆଯିବ । ମାଣ୍ଡିଆର ଏକ ବୃହତ ଉତ୍ପାଦ ଶୃଙ୍ଖଳ ବିକଶିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ସହିତ ଆସୋସିଏସନ କାର୍ଯ୍ୟ କରିବ । ଏଥି ସହିତ ମିଶନ ମୋଡରେ ମାଣ୍ଡିଆର ପ୍ରୋତ୍ସାହନ ପାଇଁ ଆସୋସିଏସନର ସହଯୋଗରେ ଏକ ବିସ୍ତୃତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ମାଣ୍ଡିଆର ଯୋଗାଣ ଶୃଙ୍ଖଳକୁ ସୁବ୍ୟବସ୍ଥିତ କରିବା ଦିଗରେ ଓଡ଼ିଶା ମିଲେଟ ମିଶନ ସହିତ ସହଯୋଗ କରିବା ପାଇଁ ସଂଘର କର୍ମକର୍ତ୍ତା ଆଗ୍ରହ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେମାନଙ୍କ ଦ୍ବାରା ପରିଚାଳିତ ହୋଟେଲଗୁଡ଼ିକର ଖାଦ୍ୟ ତାଲିକାରେ ମିଲେଟକୁ ଅନ୍ତର୍ଭୁକ୍ତ କରାଯାଇଛି । ଏବେ ଏହାକୁ ଅଧିକ ବ୍ୟାପକ କରାଯିବା ଦିଗରେ ପଦକ୍ଷେପ ନିଆଯାଉଛି । ଓଟିଡ଼ିସିର ସମସ୍ତ ହୋଟେଲଗୁଡ଼ିକରେ ମିଲେଟ ଷ୍ଟାଣ୍ଡି ପ୍ରଦର୍ଶନ କରାଯାଉଛି । ଇକୋ ରିଟ୍ରିଟ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ପର୍ଯ୍ୟଟନ ବିଭାଗର ନିୟମିତ ପର୍ଯ୍ୟଟନ ପ୍ରଚାର କାର୍ଯ୍ୟକ୍ରମ ମାଧ୍ୟମରେ ମାଣ୍ଡିଆର ପ୍ରଚାର ଓ ଏହାର ବ୍ରାଣ୍ଡିଂରେ ସହଯୋଗିତା ପାଇଁ ବିଭାଗ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି ।

ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ସେକ୍ରେଟାରୀ ଜେନେରାଲ ମିଲିନ୍ଦ ଗୁପ୍ତା କହିଛନ୍ତି, " ଓଡ଼ିଶା ମିଲେଟ ମିଶନ ସହଭାଗିତାରେ ମେକ ଇନ ଓଡ଼ିଶାର ମିଲେଟ ଅଧିବେଶନରେ ଏବଂ ବିଶ୍ବକପ ପୁରୁଷ ହକି ପ୍ରତିଯୋଗିତାରେ ଆସୋସିଏସନ ପକ୍ଷରୁ ସକ୍ରିୟ ଭାବରେ ଅଂଶଗ୍ରହଣ କରାଯାଇଛି । ସଂପ୍ରତି ଅନେକ ହୋଟେଲରେ ପାଇଲଟ ଭିତ୍ତିରେ ଗ୍ରାହକମାନଙ୍କୁ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ପରିବେଷଣ କରାଯାଉଛି । ସ୍ବସ୍ତି ପ୍ରିମିୟମ ପକ୍ଷରୁ ମିଲେଟରୁ ବେକେରୀ ଉତ୍ପାଦ ପ୍ରସ୍ତୁତ କରାଯାଉଛି । ଏଥି ସହିତ କିଛି ସ୍ଥାନରେ ରାଗି ଉପମାକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ଗ୍ରାହକମାନଙ୍କ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି ।"

ସେହିପରି ଆଇଟିସି ପକ୍ଷରୁ ସ୍ବତନ୍ତ୍ର ଦିନଗୁଡ଼ିକରେ ଗ୍ରାହକମାନଙ୍କ ପାଇଁ ସ୍ବତନ୍ତ୍ର ମିଲେଟ ଖାଦ୍ୟ ପରିବେଷଣ କରାଯାଉଛି । ବୈଠକରେ ଗ୍ରାମି ପୁରସ୍କାର ବିଜେତା ରିକି କେଜଙ୍କ ଦ୍ବାରା ପ୍ରସ୍ତୁତ ମାଣ୍ଡିଆ ଗୀତକୁ ପରିବେଷଣ କରାଯାଇଛି । ରାଜ୍ୟ ପର୍ଯ୍ୟଟନ ଓ ଅନ୍ୟ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ବସ୍ତି ପ୍ରିମିୟମ, ଫୁଡ ଜଙ୍କସନ, ଦି ନ୍ୟୁ ମାରିୟନ, ପାଲ ହାଇଟ୍ସ, ସ୍ବସ୍ତି ଗ୍ରାଣ୍ଡ, ହୋଟେଲ ଏକ୍ସିଲେନ୍ସି, ବାରଜୋରିସ ହୋଟେଲ, ସୂର୍ୟାଂଶ ଆଦି ହୋଟେଲ୍ ଏବଂ ଫିକିର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.