ETV Bharat / state

Cyber Safety Campaign: ଆସନ୍ତା ୩୦ରୁ ରାଜ୍ୟରେ ବୁଲିବ ସଚେତନତା ରଥ

author img

By ETV Bharat Odisha Team

Published : Sep 29, 2023, 10:51 PM IST

ସାଇବର ଅପରାଧରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଅପରାଧ ସଚେତନତା ଅଭିଯାନ ଆରମ୍ଭ ହେବ। ଅଧିକ ପଢନ୍ତୁ

ସାଇବର ସୁରକ୍ଷା ଅଭିଯାନ
Cyber Safety Campaign

Cyber Safety Campaign

ଭୁବନେଶ୍ବର: ରାଜ୍ୟବ୍ୟାପୀ ହେବ ସାଇବର ସୁରକ୍ଷା ଅଭିଯାନ। ସାଇବର ଅପରାଧରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ପୋଲିସ। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପୋଲିସ ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ଅପରାଧ ସଚେତନତା ଅଭିଯାନ ଆରମ୍ଭ କରିବ। ସାଇବର ସୁରକ୍ଷା ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲାଗି ଏହି ନୂଆ ପ୍ରୟାସ ଆରମ୍ଭ ହୋଇଛି। ୨୦୧୮ରେ ଆରମ୍ଭ ହୋଇଥିବା ଶିଶୁ ଯୌନ ଶୋଷଣ ବିରୋଧରେ ରାଜ୍ୟସ୍ତରୀୟ ସଚେତନତା ପଦକ୍ଷେପ ‘ପରୀ ପାଇଁ କଥା ଟିଏ’ ଠାରୁ ମଧ୍ୟ ଏହା ବୃହତ୍ ଅଭିଯାନ ହେବ ବୋଲି ଜଣାପଡ଼ିଛି। ‘ପରୀ ପାଇଁ କଥା ଟିଏ’ ଅଭିଯାନରେ ପୋଲିସକୁ ସଫଳତା ମିଳି ସାରିଛି। ସାଇବର ସଚେତନତା ରଥ ବୁଲିବା ପରେ ସୁଫଳ ମିଳିବ ବୋଲି ଆଶା ରହିଛି।

ରାଜ୍ୟର ପ୍ରତି ଜିଲ୍ଲାରେ ସାଇବର ନିରାପତ୍ତା ବାର୍ତ୍ତା ବାଣ୍ଟି ସଚେତନ କରିବ ଏହି ରଥ। ସଚେତନତାକୁ ଆହୁରି ତ୍ଵରାନିତ୍ଵ କରିବାକୁ ଏକ ମାସ୍କଟ ସାଇରାକୁ ଲୋକାର୍ପଣ କରାଯାଇଛି। ଆଉ ଏହି ସାଇରା କରିବ ସାଇବର ସଚେତନତା । ଏହି ସଚେତନତା ରଥ ମାଧ୍ୟମରେ ଅକ୍ଟୋବର ୨ରୁ ୧୫ ତାରିଖ ରାଜ୍ୟବ୍ୟାପୀ ସଚେତନତା କରିବାକୁ ପୋଲିସ ଯୋଜନା କରିଛି। ଉଭୟ ଅନଲାଇନ ଏବଂ ଅଫଲାଇନରେ ସଚେତନ କରାଯିବ। ବିଦ୍ୟାଳୟ ଏବଂ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ମିଶନ ଶକ୍ତି, ମହିଳା ଏବଂ ଶିଶୁ ବିକାଶ ଭଳି ଅଙ୍ଗନବାଡ଼ି ଏବଂ ଆଶା କର୍ମୀ ଏହି ଅଭିଯାନର ଏକ ଅଂଶ ହେବେ।

ବିଶ୍ୱ ସାଇବର ସୁରକ୍ଷା ସଚେତନତା ପ୍ରତିବର୍ଷ ଅକ୍ଟୋବର ମାସରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ବୃହତ୍ ସଚେତନତା ବାର୍ତ୍ତା ବାଣ୍ଟିବାକୁ ଯୋଜନା କରିଛି। ଏଥିଲାଗି ସାଇବର ଅପରାଧ ଉପରେ ଭିଡ଼ିଓ ପ୍ରସ୍ତୁତ କରାଯାଇଛି ଏବଂ ସୁରକ୍ଷିତ ରହିବାର ଉପାୟ ସେଥିରେ ଦର୍ଶାଯାଇଛି। ଅଭିଯାନ ସମୟରେ ସାଇବର ସୁରକ୍ଷା ଉପରେ ଭିଡ଼ିଓ ଗୁଡ଼ିକ ଦେଖାଯିବା ସହ ବ୍ରୋଚର ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। "ସରକାରୀ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ଏହି ଅଭିଯାନରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ" ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ ଏହାକୁ ପତାକା ଦେଖାଇ ଭୁବନେଶ୍ବରରୁ ଉଦଘାଟନ କରିବେ।

ଏହା ବି ପଢନ୍ତୁ...କମିବ ସାଇବର ଅପରାଧ, ଲୋକଙ୍କୁ ସଚେତନ କରୁଛି ଓଡିଶା ପୋଲିସ

ସୂଚନା ଅନୁସାରେ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସଂକ୍ରାନ୍ତୀୟ ୩୧୦ଟି ମାମଲା ୨୦୨୦ ମସିହାରେ ପଞ୍ଜିକୃତ ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫୧୨ରେ ପହଞ୍ଚିଛି। ୨୦୨୨ରେ ୬୨୦ ଏବଂ ୨୦୨୩ ମସିହାରେ ଏ ସଂକ୍ରାନ୍ତୀୟ ୪୧୯ଟି ମାମଲା ଗତ ୪ ବର୍ଷ ଭିତରେ ପଞ୍ଜିକୃତ ହୋଇଛି। ସେହିପରି ୨୦୨୧ ମସିହା ମେ ୨୮ରୁ ଡିସେମ୍ବର ପର୍ଯ୍ୟନ୍ତ ୩ହଜାର ୪ଶହ ୨ଟି ସାଇବର ଠକେଇ ଅଭିଯୋଗ ହୋଇଥିବାବେଳେ ୩୧ ଲକ୍ଷ ୨୨ ହଜାର ଟଙ୍କା ଫେରସ୍ତ କରାଯାଇପାରିଥିଲା। ସେହିପରି ୨୦୨୨ ମସିହାରେ ଏ ସଂକ୍ରାନ୍ତୀୟ ୭ ହଜାର ୭ଶହ ମାମଲା ରୁଜୁ ହୋଇଥିବାେବେଳେ ୭୪ ଲକ୍ଷ ୪୬ ହଜାର ଟଙ୍କା ଫେରସ୍ତ କରିବାରେ ପୋଲିସ ସଫଳ ହୋଇଥିବା ଜଣାପଡ଼ିଛି। ସେହିପରି ୨୦୨୩ରେ ଏହି ସଂଖ୍ୟା ୮ ହଜାର ୪ଶହକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରସ୍ତ କରାଇ ଆଣିବାରେ ସଫଳତା ଓଡ଼ିଶା ସାଇବର ପୋଲିସକୁ ମିଳିଛି। ଆଧୁନିକ ଦୁନିଆରେ ସାଇବର କ୍ରାଇମ ଏକ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଥିବାବେଳେ ଏହାକୁ ପ୍ରତିହିତ କରିବା ଲାଗି ସଚେତନତା ହିଁ ଏକମାତ୍ର ମାଧ୍ୟମ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.