ETV Bharat / state

ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠିକୁ ବିରୋଧ, ପ୍ରତ୍ୟାହାର ନହେଲେ ଆନ୍ଦୋଳନ

author img

By

Published : Jun 26, 2023, 11:01 AM IST

୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକାକୁ ବିରୋଧ କରି ଆନ୍ଦୋଳନ ଚେତାବନୀ ଦେଇଛି ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ । ଅଧିକ ପଢନ୍ତୁ

Higher education
ଉଚ୍ଚଶିକ୍ଷା ବିଭାଗର ନୂଆ ଅନୁଦାନ ଚିଠିକୁ ବିରୋଧ

ଭୁବନେଶ୍ବର: ୨୦୦୮ରୁ ୨୦୧୩ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ ନିମନ୍ତେ ନୂତନ ଗ୍ରାଣ୍ଟ୍-ଇନ୍-ଏଡ୍ ନୀତି ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଏନେଇ ଚିଠି ଲେଖାଯାଇ ଅବଗତ କରାଯାଇଛି । ଏଥିସହ ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ଏଥିରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ମଗାଯାଇଛି । ଏସବୁ କଲେଜକୁ ସରକାରୀ ମାନ୍ୟତା ଓ ଦରମା ଦେବା ପାଇଁ ନୂଆ ଗ୍ରାଣ୍ଟ-ଇନ୍-ଏଡ୍ ନୀତି ଆସିବ । ଏହାକୁ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି ।

୨୦୦୮ରୁ ୨୦୧୮ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ମହାବିଦ୍ୟାଳୟ ଏବଂ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ତାଲିକା ନେଇ ସେମାନଙ୍କୁ ଅନୁଦାନ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଓଡ଼ିଶା ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ଦାବି କରିଛନ୍ତି । ୨୪ ତାରିଖରେ ଜାରି କରାଯାଇଥିବା ଚିଠି ଯଦି ସରକାର ଆଜି ସୁଦ୍ଧା ପ୍ରତ୍ୟାହାର କରି ନୂତନ ଚିଠି ପ୍ରକାଶ ନ କରନ୍ତି, ତେବେ ୨୭ ତାରିଖରୁ ସଂଘ ତରଫରୁ ଆନ୍ଦୋଳନକୁ ଜୋରଦାର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ସିଧା ଆଲୋଚନା ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଂଘର ରାଜ୍ୟ ସଭାପତି ବିଶ୍ବରଞ୍ଜନ ଦାସ ଚେତାବନୀ ଦେଇଛନ୍ତି ।

ସଂଘ ପକ୍ଷରୁ କୁହାଯାଇଛି ଯେ, ''ଉପରୋକ୍ତ ଦାବି ନେଇ ଦୀର୍ଘ ୩୯୮ ଦିନ ହେଲା ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଶୋଭାଯାତ୍ରା ଓ ବିକ୍ଷୋଭ ଆଦି ମାଧ୍ୟମ‌ରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସଂଘ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ସଚିବଙ୍କ ସହିତ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତ ମାର୍ଚ୍ଚ ୧୭ରେ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ ପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଉଚ୍ଚଶିକ୍ଷା ବିଭାଗକୁ ଯେଉଁ ଚିଠି ଆସିଥିଲା ତାହାକୁ ମଧ୍ୟ ବିଭାଗ ଉପେକ୍ଷା କରିଥିବା ସଂଘ ଅଭିଯୋଗ କରିଛି । ସଂଘର ଦାବି ଆନ୍ତଃମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା ହେବାକୁ ଥିବାବେଳେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ସଂଘ ସହିତ ସରକାରଙ୍କ ଆଲୋଚନା ନେଇ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ହଠାତ୍ ଉଚ୍ଚଶିକ୍ଷା ବିଭାଗ କୌଣସି ଆଲୋଚନା ନକରି ଏକପାଖିଆ ଭାବେ ନିଷ୍ପତ୍ତି ନେଇଥିବାରୁ ସଂଘ ଏହାକୁ ବିରୋଧ କରିଛି ।

ଇଟିଭି ଭାରତ, ଭବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.