ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି; ଖୋଲିଲେ ଗୁମର, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ପରାମର୍ଶ

author img

By ETV Bharat Odisha Team

Published : Dec 19, 2023, 1:03 PM IST

Updated : Dec 19, 2023, 1:21 PM IST

Governor Letter to CM Naveen: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ । ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ରହିଥିବା ସମସ୍ୟାର ସମାଧାନ ପାଇଁ ଚିଠିରେ ଉଲ୍ଲେଖ । ଅଧିକ ପଢନ୍ତୁ

Governor Letter to CM Naveen
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି

ଭୁବନେଶ୍ବର: ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ରାଜ୍ୟପାଳ ରଘୁବର ଦାସ । ସମସ୍ୟା ବିଷୟରେ ଅବଗତ ହେବା ପରେ ସମାଧାନ ପାଇଁ ରାଜ୍ୟ ସରାକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ । ଚଳିତ ମାସ ପ୍ରଥମ ସପ୍ତାହରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରିଥିଲେ ରାଜ୍ୟପାଳ । ଏହି ସମୟରେ ଜିଲ୍ଲାର ବିଭିନ୍ନ ଲୋକ ଓ ସଂଗଠନ ସହ ମିଶିବା ସହ ଆଲୋଚନା କରିଥିଲେ । ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ବାବଦରେ ଲୋକେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ୟାଗୁଡ଼ିକ ଉପରେ ବିଚାର କରି ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅବଗତି କରାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟପାଳ ରଘୁବର ଦାସଙ୍କ ଜଟଣୀ ଗସ୍ତ, ସାଧାରଣଲୋକଙ୍କ ହେଲେ ନିକଟତର

ରାଜ୍ୟପାଳ ଚିଠିରେ ଉଲ୍ଲେଖ କରି କହିଛନ୍ତି ଯେ, ଯୋରନ୍ଦାରେ ଥିବା ବୃଦ୍ଧାଶ୍ରମରେ ୨୫ ଜଣ ଅନ୍ତେବାସୀ ରହୁଛନ୍ତି । ମହର୍ଷି ଦୟାନନ୍ଦ ସେବା ମିସନ ଦ୍ବାରା ବରିଷ୍ଠ ନାଗରିକ ଗୃହ ପରିଚାଳିତ ହେଉଛି । ଅନ୍ତେବାସୀମାନଙ୍କୁ ମୌଳିକ ସୁବିଧା ଯୋଗାଇବା ନିମନ୍ତେ ବୃଦ୍ଧାଶ୍ରମ ଚାଲୁଥିବା ଜମିକୁ ମହର୍ଷି ଦୟାନନ୍ଦ ସେବା ମିଶନ ନାମରେ କରିବାକୁ ମିଶନର ସେକ୍ରେଟାରୀ ଅନୁରୋଧ କରିଥିଲେ । ଅନୁଗୋଳ ବଅଁରପାଳ ବ୍ଲକ୍ ଅଧୀନ ତୁରଙ୍ଗ ପଞ୍ଚାୟତ ପରିଦର୍ଶନ ବେଳେ ଆଶା କର୍ମୀମାନେ ସ୍ଵାସ୍ଥ୍ୟ ପରୀକ୍ଷା ଏବଂ ଗର୍ଭବତୀଙ୍କ କାଉନସେଲିଂ ପାଇଁ ମମତା ଗୃହ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । ସେହିପରି ମହାନଦୀ କୋଲ ଫିଲ୍ମ ଦ୍ବାରା ଖଣି କାର୍ଯ୍ୟ ପାଇଁ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଦି ଦ୍ବାରା ଗ୍ରାମବାସୀ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । ଖରା ଦିନେ ଭୂତଳ ଜଳସ୍ତର କମିଯାଉଛି । ଦୁଇବର୍ଷ ହେଲା ଆରପିଡିଏସି ବୈଠକ ବସୁ ନାହିଁ । ଯାହା ଫଳରେ ସ୍ଥାନୀୟ ଲୋକଙ୍କ ଅଭିଯୋଗର ସମାଧାନ ହେଉନାହିଁ । କୃଷି କ୍ଷେତ୍ରରେ ପ୍ରଭୂତ କ୍ଷତି ଘଟୁଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ ହାତୀଙ୍କୁ ରୋକିବାକୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କେବଳ ବାକିଥିବା ତାଙ୍କ ଗ୍ରାମକୁ ଏମ୍‌ସିଏଲ୍‌ ଅଧିଗ୍ରହଣ କରିନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ସେମାନଙ୍କ ଜମି ଅଧଗ୍ରହଣ କରି ସରକାରୀ ନିୟମ ଅନୁସାରେ ଥଇଥାନ କରିବାକୁ ଦାବି ହୋଇଛି ।

ସେହିପରି ଆଶ୍ରମ ସ୍କୁଲ୍‌କୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଯୋଗାଇବା, ବିଦ୍ୟାଳୟ ପରିସର ସଫା ରଖିବା ପାଇଁ ସୁଇପର ନିଯୁକ୍ତି ଓ ପିଲାଙ୍କ ସୁରକ୍ଷା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରିବାକୁ ଦାବି ହୋଇଛି । ଏହା ସହ ବିଦ୍ୟାଳୟକୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଉନ୍ନତିକରଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନୁଗୋଳ ହାକିମପରା ବାଜି ରାଉତ ଛାତ୍ରାବାସରେ ୧୭୮ ବାଳକ ଓ ବାଳିକା ରହୁଛନ୍ତି । ଏହା ସମ୍ପୂର୍ଣ୍ଣ ଅଣଅନୁଦାନପ୍ରାପ୍ତ । ଏହାର ହଷ୍ଟେଲର ପରିଚାଳନା ପାଇଁ ସମ୍ବଳର ଆବଶ୍ୟକତା ରହିଛି । ଏହି ଅନୁଷ୍ଠାନର ସୁପରିଚାଳନା ପାଇଁ ଆବଶ୍ୟକ ସହାୟତା ପ୍ରଦାନ ନେଇ ସରକାର ବିଚାର କରିବାକୁ ଦାବି ହୋଇଛି । ଏହାବାଦ ଅନୁଗୋଳ ଚାଷୀ ସୁରକ୍ଷା ସମିତି ପକ୍ଷରୁ ଚାଷୀମାନେ ଚକ ଜମି ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଥିବା ରାଜ୍ୟପାଳ ତାଙ୍କ ପତ୍ର ମାଧ୍ୟମରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 19, 2023, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.