ETV Bharat / state

ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀଙ୍କ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

author img

By

Published : Jan 10, 2023, 10:50 AM IST

ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ । ନବୀନ ନିବାସ ସମ୍ମୁଖରେ ବିକ୍ଷୋଭ ବେଳେ ଉଠାଇନେଲା ପୋଲିସ । ସମସ୍ୟାର ସମାଧାନ ନହେବା ଯାଏଁ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ
ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଭୁବନେଶ୍ବର: ମଣ୍ଡିରେ ଅବ୍ୟବସ୍ଥା ଏବଂ ମିଲରଙ୍କ ମନମାନୀକୁ ନେଇ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ । ରାସ୍ତାରେ ଧାନ ବସ୍ତା ଓ ଟ୍ରାକ୍ଟର ନେଇ ଅଭିନବ ଢଙ୍ଗରେ ବିକ୍ଷୋଭ ପଦର୍ଶନ କରିବା ସହ ନବୀନ ନିବାସ ସମ୍ମୁଖରେ ଗର୍ଜିଲେ ଚାଷୀ । କଟନିଛଟନି ବନ୍ଦ ଏବଂ ନିର୍ଦ୍ଧାରିତ ମୂଲ୍ୟରେ ଧାନ ବିକ୍ରି ନହେବା ପ୍ରସଙ୍ଗରେ ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି । ଧାନ ଅଜାଡି ପ୍ରତିବାଦ କଲେ ଚାଷୀ । ଆନ୍ଦୋଳନକାରୀ ଚାଷୀଙ୍କୁ କାବୁ କଲା ପୋଲିସ ।

ସୋମବାର ନବୀନ ନିବାସ ସମ୍ମୁଖରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଢାଳି ପ୍ରତିବାଦ କଲେ ଚାଷୀ । ମଣ୍ଡିରେ ଧାନ ଗଜା ହେଉଛି, ଚାଷୀଙ୍କ ସମସ୍ୟା ବଢି ଚାଲିଛି । ମିଲରଙ୍କ ସହ ସରକାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରୁ ଏସବୁ ସମସ୍ୟା ହେଉଥିବା ଅଭିଯୋଗ ନେଇ ନବୀନ ନିବାସ ରାସ୍ତା ମଝିରେ ହଲାବୋଲ କଲେ ମହିଳା ଚାଷୀ । ୫ ବର୍ଷ ଧରି ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ସରକାର ଚୁପ ବସିଥିବା ଅଭିଯୋଗ ହୋଇଛି । କେବଳ ଏଇଠି ନୁହେଁ, ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ଏବଂ ଅଧିକାରୀଙ୍କୁ ଏ ବାବଦରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଏଭଳି ନବୀନ ନିବାସ ଆଗକୁ ଆସିବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଛି କୃଷକ ସଂଗଠନ ।

ତେବେ ପ୍ରଥମେ ନବୀନ ନିବାସ, ପରେ ଏୟାରପୋର୍ଟ ଥାନା ଏବଂ ସେଠାରୁ ଲୋୟର ପିଏମ୍‌ଜି, ସବୁଠି ଚାଲିଥିଲା ଚାଷୀଙ୍କ ନାରାବାଜି । ସରକାର କେବଳ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଭୋଟରଙ୍କୁ ପ୍ରତିଶୃତି ଦେଉଛନ୍ତି, କିନ୍ତୁ ଗ୍ରାମାଞ୍ଚଳରେ କାମ ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ତେବେ ନବୀନ ନିବାସରୁ ଆନ୍ଦୋଳନକାରୀଙ୍କୁ ଉଠାଇବା ପରେ ଏୟାରପୋର୍ଟ ଥାନାରେ ଅଟକ ରଖିଥଲା ପୋଲିସ । ତେବେ ଚାଷୀଙ୍କ ସମସ୍ୟାର ସମାଧାନ ନହେବା ଯାଏଁ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.