ETV Bharat / state

ମା’ ଉଗ୍ରତାରା ମନ୍ଦିର ଲୁଟ ଘଟଣା: ପୋଲିସକୁ ସଫଳତା, 72 ଘଣ୍ଟା ମଧ୍ୟରେ 2 ଗିରଫ

author img

By

Published : Aug 2, 2023, 5:47 PM IST

ପ୍ରସିଦ୍ଧ ଶକ୍ତିପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ ପୋଲିସକୁ ସଫଳତା । 72 ଘଣ୍ଟା ନପୂରୁଣୁ 2 ଚୋର ଗିରଫ । ଅଧିକ ପଢନ୍ତୁ

ମା ଉଗ୍ରତାରାଙ୍କ ମନ୍ଦିର ଲୁଟ ଘଟଣାର ପର୍ଦାଫାସ
ମା ଉଗ୍ରତାରାଙ୍କ ମନ୍ଦିର ଲୁଟ ଘଟଣାର ପର୍ଦାଫାସ

ମା ଉଗ୍ରତାରାଙ୍କ ମନ୍ଦିର ଲୁଟ ଘଟଣାର ପର୍ଦାଫାସ

ଖୋର୍ଦ୍ଧା: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ ଟାଙ୍ଗୀ ପୋଲିସକୁ ବଡ଼ ସଫଳତା ମିଳିଛି । ତ୍ବରିତ ପଦକ୍ଷେପ ଗ୍ରହଣ କରି ପୋଲିସ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାକୁ ନେଇ ଟାଙ୍ଗୀ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି । ଗତମାସ 30 ତାରିଖରେ ଦୁର୍ବୃତ୍ତମାନେ ମା’ ଉଗ୍ରତାରା ଦେବୀଙ୍କ ମନ୍ଦିର ଗ୍ରିଲ ତାଡି ଚାବି ଭାଙ୍ଗି ମା’ଙ୍କର ସୁନାରୂପା ଅଳଙ୍କାର ଇତ୍ୟାଦି ଲୁଟି ନେଇଥିଲେ ।

ଚୋରଙ୍କୁ ଧରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ତରଫରୁ 3ଟି ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖାଯାଇଥିଲା । ତେଣୁ ଦୁର୍ବୃତ୍ତମାନେ ଭୟଭୀତ ହୋଇ ଲୁଟ୍‌ କରିଥିବା ସୁନା ରୂପା ଅଳଙ୍କାର ଇତ୍ୟାଦିକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଏହାକୁ ଜବତ କରି ତଦନ୍ତ କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲା । ଏହି ମାମଲାରେ 2 ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ମୋଟର ସାଇକଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ନିରାକାରପୁରର ବାଇଧର ପ୍ରଧାନ ଓରଫ ନିତେଇ ଓ ସୁକାନ୍ତ ପ୍ରଧାନ । ଗିରଫ ଲୁଟେରାଙ୍କଠାରୁ ମା’ଙ୍କର ସୁନାଆଖି, ସୁନାଚିତା, ସୁନା ବାହୁଟି ସହ ରୂପା ମୁକୁଟ, ରୂପା ଅଣ୍ଟାପଟି ସହିତ ଅନ୍ୟାନ୍ୟ ଅଳଙ୍କାର ଜବତ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡଙ୍କ ସହିତ ଉପ ଆରକ୍ଷୀ ଅଧିକ୍ଷକ ମିନାକ୍ଷୀ ଠାକୁର ଓ ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ.. ମନ୍ଦିରକୁ ଛାଡିଲେନି ଚୋର, ଲୁଟିନେଲେ ମା’ ଉଗ୍ରତାରାଙ୍କ ସୁନା ଅଳଙ୍କାର

ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି, ‘‘ମା’ ଉଗ୍ରତାରାଙ୍କ ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ 2ଜଣଙ୍କୁ ଗିରଫ କରାଯାଇଛି । ଏହି କାର୍ଯ୍ୟରେ ଆଉ କିଏ ସମ୍ପୃକ୍ତ ଆଛନ୍ତି ସେନେଇ ତଦନ୍ତ ଜାରି ରହିଛି । ଚୋରି ହୋଇଥିବା ସମସ୍ତ ଅଳଙ୍କାରକୁ ଉଦ୍ଧାର କରାଯାଇଛି । ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ଏହି ସମ୍ବନ୍ଧରେ ପଚରାଉଚରା କରାଯାଉଛି । ତଦନ୍ତ ପରେ ଅଧିକ ସୂଚନା ପ୍ରଦାନ କରାଯିବ ।’’

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.