ETV Bharat / state

ଟେନସନରେ ସରକାର: ଆଜି ପ୍ରାଥମିକ ଶିକ୍ଷକ ସଂଘ ଓ CMO ମଧ୍ୟରେ ଆଲୋଚନା

author img

By ETV Bharat Odisha Team

Published : Sep 23, 2023, 9:36 AM IST

ଆଜି ସନ୍ଧ୍ୟାରେ ପ୍ରାଥମିକ ଶିକ୍ଷକ ସଂଘ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆଲୋଚନା । ଦାବି ପୂରଣ ନହେଲେ ୨୬ ତାରିଖରେ ମହାସମାବେଶ ଚେତାବନୀ । ଅଧିକ ପଢନ୍ତୁ

ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ
ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୧୫ ଦିନ ହେଲା ହଜାର ହଜାର ପ୍ରାଥମିକ ଶିକ୍ଷକ ଆନ୍ଦୋଳନରେ ବସିଛନ୍ତି । ୩ ଦଫା ଦାବି ନେଇ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଠାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଏନେଇ ଆଜି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସନ୍ଧ୍ୟା ୫ଟାରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେବ । କିନ୍ତୁ ଏପଟେ ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକରା ଆସିଥିବା ବେଳେ ସେପଟେ ଆନ୍ଦୋଳନରତ ସଂଘକୁ ମଧ୍ୟ ଆଲୋଚନା ପାଇଁ ଡ଼କାଯାଇଛି ।

ଗତ ସୋମବାର ଦିନ ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଦୁଇଟି ଶିକ୍ଷକ ସଂଘ ଓହରି ଥିବାବେଳେ ବାକି ୮ଟି ଶିକ୍ଷକ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରାଥମିକ ଶିକ୍ଷକ ସଂଘର ଦାବି ଗୁଡ଼ିକ ହେଲା ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍‌ସନ ଓ କେନ୍ଦ୍ରୀୟ ହାରରେ ଦରମା ଅନୁସାରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ କରିବା । ଏପଟେ ପ୍ରାଥମିକ ବିଦ୍ୟାଳୟ ମହାସଂଘ କହିଛି ଯେ, ୩ ଦଫା ଦାବିକୁ ନେଇ ଗତ ୧୮ ତାରିଖରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ଠିକା ନିଯୁକ୍ତି ଉଚ୍ଛେଦ, ପୁରୁଣା ପେନ୍‌ସନ ଓ କେନ୍ଦ୍ରୀୟ ହାରରେ ୪୨୦୦ ଟଙ୍କା ଗ୍ରେଡ୍‌ ପେ’ ଲାଗୁ ପାଇଁ ଦାବି ହେଉଛି । କିନ୍ତୁ ରାଜ୍ୟ ସରକାର ଏନେଇ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି । ବୈଠକ ମାଧ୍ୟମରେ ଆଲୋଚନା ହୋଇଛି କିନ୍ତୁ ଦାବିକୁ ନେଇ କୌଣସି ଆଲୋଚନା ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ଜିଦ୍‌ରେ ଅଟଳ ଶିକ୍ଷକ ସଂଘ, ସମାଧାନ ବାଟ ନଫିଟିଲେ 26ରେ ହେବ ବିଶାଳ ସମାବେଶ

କେବଳ ଦୁଇଟି ସଂଘ ଆନ୍ଦୋଳନରୁ ଓହରିଛନ୍ତି । ବାକି ୮ଟି ସଂଘ ପୂର୍ବଭଳି ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟରେ ୩୧୪ଟି ବ୍ଲକରେ ଆନ୍ଦୋଳନ ଜାରି ହୋଇଛି । ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି ଯେ, ଯଦି ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଛି ତେବେ ସିଏମଓ ଅଫିସରୁ କାହିଁକି ଡକରା ଆସିଛି । ଯଦି ବି ଡାକିଛନ୍ତି ତେବେ କେଉଁ ସଂଘକୁ ? ଯେଉଁମାନେ ଆନ୍ଦୋଳନରୁ ଓହରିଛନ୍ତି ନା ଯେଉଁମାନେ ଆନ୍ଦୋଳନରତ ଅଛନ୍ତି ? ସରକାର ତୁରନ୍ତ ସେମାନଙ୍କ ୩ ଦଫା ଦାବି ତୁରନ୍ତ ଦାବି ପୂରଣ କରନ୍ତୁ ନହେଲେ ଆଗାମୀ ୨୬ ତାରିଖରେ ଲୋୟର ପିଏମଜି ଠାରେ ମହାସମାବେଶ ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.