ETV Bharat / state

ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି ଗଣମାଧ୍ୟମ ସଂସ୍ଥା: ବିଜେଡି

author img

By ETV Bharat Odisha Team

Published : Sep 19, 2023, 9:44 PM IST

ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଘଟଣା । ଆଇନର ଊର୍ଦ୍ଧ୍ବରେ କୌଣସି ଗଣମାଧ୍ୟମ ସଂସ୍ଥା ନୁହଁନ୍ତି କହିଲା ବିଜେଡି। ଅଧିକ ପଢନ୍ତୁ

Etv Bharat
Etv Bharat

ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି ଗଣମାଧ୍ୟମ ସଂସ୍ଥା

ଭୁବନେଶ୍ବର: ଗଣମାଧ୍ୟମ ଜରିଆରେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତି ହୋଇଛି । ଜାଲିଆତି କରିଥିବା ବ୍ୟକ୍ତି ଜଣକ ଯଦି କୌଣସି ଗଣମାଧ୍ୟମ ସଂସ୍ଥାର ମାଲିକ ହୋଇଥାନ୍ତି, ତେବେ ସେ ମଧ୍ୟ ଆଇନର ଊର୍ଦ୍ଧ୍ବରେ ନୁହଁନ୍ତି । ଠକାମି ଓ ଜାଲିଆତି କରୁଥିବା ଗଣମାଧ୍ୟମ ପ୍ରତିଷ୍ଠାନ ପାଇଁ ଆଇନରେ କିଛି ଅଲଗା ବ୍ୟବସ୍ଥା ନାହିଁ । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ମିଡିଆ ହାଉସ ଉପରେ ଇଓଡବ୍ଲ୍ୟୁ କାର୍ଯ୍ୟାନୁଷ୍ଠାନକୁ ନେଇ ଏପରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଏ ନେଇ ଲେନିନ କହିଛନ୍ତି, କିଛି ମାସ ତଳେ ଦୈନିକ ଭାସ୍କର, ଏନଡିଟିଭି ସମେତ ଜାତୀୟ ସ୍ତରର ଅନ୍ୟ କେତେକ ଗଣମାଧ୍ୟମ ସଂସ୍ଥା ଉପରେ ଆୟକର ଏବଂ ଜିଏସଟି ପକ୍ଷରୁ ଚଢ଼ଉ ହୋଇଥିଲା । ସେମାନେ ଆଇନ ଅନୁଯାୟୀ ଏହାକୁ ସାମ୍ନା କରିଥିଲେ । ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ହେଲେ ବି ସେତେବେଳେ ତ କାହିଁ ସେମାନେ କେହି ଏହାକୁ ଆକ୍ରୋଶମୂଳକ ବୋଲି କହି ଏଭଳି ହୋହଲ୍ଲା କରିନଥିଲେ । ଚାରି ପାଞ୍ଚ ଦିନ ତଳେ ରାଜ୍ୟର ଅନ୍ୟ ଏକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟରେ ମଧ୍ୟ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଅଚାନକ ଚଢଉ କରାଯାଇଥିଲା ।"

ଏହା ବି ପଢନ୍ତୁ- ଗଣତନ୍ତ୍ରର କଣ୍ଠରୋଧ ପାଇଁ ବିଜେଡି ସରକାରର ଅପଚେଷ୍ଟା: ବିଜେପି

ସେ ଆହୁରି କହିଛନ୍ତି, "ଏହା ଅପ୍ରତ୍ୟାଶିତ ଥିଲେ ମଧ୍ୟ ଏହି ଚଉଢକୁ ସେମାନେ ଆକ୍ରୋଶମୂଳକ କହି ବିରୋଧ କରିନଥିଲେ । ନିଜ ଚ୍ୟାନେଲରେ ଏହାକୁ ବିରୋଧ କରି ଖବର ପ୍ରସାରଣ କରିନଥିଲେ, ବରଂ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସେଣ୍ଟ୍ରାଲ ଜିଏସଟି ଅଫିସରମାନେ କାଗଜପତ୍ର ଯାଞ୍ଚ କରି ଫେରି ଯାଇଥିଲେ । ତେଣୁ ଉକ୍ତ ଘରୋଇ ସଂସ୍ଥା ହେଉ କି ସମ୍ବାଦ, କୌଣସି ଗଣମାଧ୍ୟମ ସଂସ୍ଥା ଆଇନର ଊର୍ଦ୍ଧ୍ବରେ ନୁହନ୍ତି । ସମ୍ବାଦ ଉପରେ ତାଙ୍କ ନିଜ ସଂସ୍ଥାର କର୍ମଚାରୀମାନେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ଜାଲିଆତିର ଅଭିଯୋଗ ଆଣିଛନ୍ତି । ଠକାମିର ଶିକାର ହୋଇଥିବା ଏଭଳି କର୍ମଚାରୀଙ୍କ ସଂଖ୍ୟା ୩୦୦ ବୋଲି କୁହାଯାଉଛି ।"

ଏହା ବି ପଢନ୍ତୁ- ଗଣମାଧ୍ୟମ ସଂସ୍ଥାକୁ ଆଇନର ଫାସ, ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ

ସେମାନଙ୍କ ମଧ୍ୟରେ ଅଧିକାଂଶ ସାମ୍ବାଦିକଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ଅଛନ୍ତି । ତେଣୁ ପ୍ରାୟ ୧୦୦ କୋଟି ଟଙ୍କାର ଏହି ଜାଲିଆତିର ଉପଯୁକ୍ତ ତଦନ୍ତ ହେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ସେମାନେ କିଛି ଜାଲିଆତି କରିନାହାନ୍ତି ତେବେ ତଦନ୍ତକୁ ସାମ୍ନା କରିବାକୁ ଡରୁଛନ୍ତି କାହିଁକି ବୋଲି ଲେନିନ ପ୍ରଶ୍ନ କରିଛନ୍ତି । ସମ୍ବାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆସିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଋଣ ଜାଲିଆତି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ଏହା ପରେ ତାଙ୍କ ପକ୍ଷ ନେଇ ଓକିଲାତି କରିବାକୁ ଅନେକ ବାହାରିଛନ୍ତି । କିଛି ଜାଲିଆତି ହୋଇନାହିଁ ବୋଲି ସେମାନେ ଜାଣିଲେ କେମିତି ବୋଲି ଲେନିନ ପଚାରିଛନ୍ତି । ଏନେଇ ସେମାନେ କେଉଁ ଆଧାରରେ ତାଙ୍କୁ କ୍ଲିନ ଚିଟ ଦେଇ ପକାଉଛନ୍ତି ବୋଲି ଲେନିନ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.