ETV Bharat / state

Make In Odisha Conclave: 7.26 ଲକ୍ଷ କୋଟିର 145ଟି ନିବେଶ ପ୍ରସ୍ତାବ ଆସିଛି କହିଲେ ଶିଳ୍ପ ସଚିବ

author img

By

Published : Dec 1, 2022, 10:36 PM IST

ଉଦ୍‌ଘାଟିତ ହୋଇଯାଇଛି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ଆସିବାକୁ ଲାଗିଛି ନିବେଶ ପ୍ରସ୍ତାବନା । ଅଧିକ ପଢନ୍ତୁ

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା :- ଶିଳ୍ପ ସଚିବ
ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭.୨୬ ଲକ୍ଷ କୋଟିର ନିବେଶ ପ୍ରସ୍ତାବନା :- ଶିଳ୍ପ ସଚିବ

ଭୁବନେଶ୍ବର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆସିବାକୁ ଲାଗିଛି ନିବେଶ ପ୍ରସ୍ତାବନା । ପ୍ରଥମ ଦିନରେ ଆସିଛି ୭.୨୬ ଲକ୍ଷ କୋଟିର 145ଟି ନିବେଶ ପ୍ରସ୍ତାବନା ଆସିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ସୂଚନା ଦେଇଛନ୍ତି ଯେ, ଆଜି ସକାଳେ ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ଜଳଯୋଗରେ ସାମିଲ ହୋଇ ପୁଂଜିନିବେଶ ସଂପର୍କରେ ଆଲୋଚନା କରିଛନ୍ତି । ଆଜିର ପ୍ରଥମ ପ୍ଲେନାରୀ ସେସନରେ ୫୪ ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିଲେ । ଏହା ସହ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଉର୍ଦ୍ଧ୍ବ ଉଦ୍ୟୋଗୀମାନେ ଯୋଗ ଦେଇଛନ୍ତି । ଆଜି ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଛି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଏଥିରେ ଜାପାନ୍‌, ଜର୍ମାନୀ, ନରୱେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ ଓ ଥାଇଲାଣ୍ଡ ଆଦି ଦେଶ ମଧ୍ୟ ସାମିଲ ହୋଇଛନ୍ତି ।

ଆଜି ମୋଟ ୨୧ଟି ନିବେଶ ସଂପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଉଭୟ ନିବେଶ ଓ ଅଣନିବେଶ କ୍ଷେତ୍ର ମିଶି ମୋଟ ୬୭ଟି ନିବେଶ ପତ୍ର ଗ୍ରହଣ କରାଯାଇଛି । ଏହି ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ଏଥି ଯୋଗୁଁ ୨ ଲକ୍ଷ ୪୭ ହଜାର ୮୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏତଦ୍‌ବ୍ୟତୀତ ଦେଶର ବିଭିନ୍ନ ସହରରେ ଗତ ୬ ମାସ ମଧ୍ୟରେ ଯେଉଁ ରୋଡ୍‌ଶୋ ହୋଇଥିଲା, ତନ୍ମଧ୍ୟରୁ ପ୍ରସ୍ତାବନା ଆସିଥିବା ୭୮ଟି ନିବେଶ ପ୍ରତିଶ୍ରୁତିକୁ ଆଜି ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଛି । ଏଥିରେ ୧ ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କାର ପୁଂଜିନିବେଶ ସମ୍ଭାବନା ରହିଛି । ଏହା ଦ୍ୱାରା ୭୨ ହଜାର ୮୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଉପରୋକ୍ତ ସମସ୍ତ କ୍ଷେତ୍ରରୁ ମୋଟ ୭.୨୬ ଲକ୍ଷ କୋଟିର ପୁଂଜିନିବେଶ ପ୍ରତିଶ୍ରୁତି ମିଳିଛିି ବୋଲି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ କାର୍ଯ୍ୟ ଦିବସରେ ସ୍କିଲଡ୍‌ ଇନ୍‌ ଓଡ଼ିଶା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍‌, ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ କେତେକ ଶିଳ୍ପ ଉପରେ ନିର୍ଭର କରୁଥିବା କ୍ଷୁଦ୍ରଶିଳ୍ପ, ଆନୁଷଙ୍ଗିକ ଶିଳ୍ପ ଓ ଡାଉନ୍‌ଷ୍ଟି୍ରମ୍‌ ଶିଳ୍ପ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.