ETV Bharat / state

କଂଗ୍ରେସ ଭବନରେ କୋରାପୁଟ କଳି, ଚାଲିଛି ସାଂସଦ ବନାମ ବିଧାୟକ ଲଢ଼େଇ

author img

By

Published : May 31, 2023, 10:40 PM IST

Updated : Jun 1, 2023, 2:45 PM IST

ରାଜ୍ୟ କଂଗ୍ରେସରେ ଉଗ୍ର ହେଉଛି ଗୋଷ୍ଠୀ ବିବାଦ । ୨ ଦିନ ତଳେ ତାରା ବାହିନୀପତି ନିଜ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କ ଆଗରେ ଫେରାଦ ହୋଇଥିଲେ । ଆଜି ସାଂସଦ ସପ୍ତଗିରିଙ୍କ ସମର୍ଥକ କଂଗ୍ରେସ ଭବନରେ ପହଞ୍ଚି ବିଧାୟକଙ୍କ ବିରୋଧରେ ଗର୍ଜିଛନ୍ତି । ଅଧିକ ପଢ଼ନ୍ତୁ

କଂଗ୍ରେସ ଭବନରେ କୋରାପୁଟ କଳି
କଂଗ୍ରେସ ଭବନରେ କୋରାପୁଟ କଳି

କଂଗ୍ରେସ ଭବନରେ କୋରାପୁଟ କଳି

ଭୁବନେଶ୍ବର: ଦିନକୁ ଦିନ ଉଗ୍ର ହେଉଛି କଂଗ୍ରେସ କଳି । ପୁଣି ପଦାରେ ପଡ଼ିଲା କଂଗ୍ରେସ ଗୋଷ୍ଠୀ କନ୍ଦଳ । ଏଥର କନ୍ଦଳରେ କୋରାପୁଟ କଳି । କଂଗ୍ରେସରେ ଚାଲିଛି ସାଂସଦ ବନାମ ବିଧାୟକ ଲଢ଼େଇ । ସପ୍ତଗିରି ବନାମ ତାରା । ଆଜି କଂଗ୍ରେସ ଭବନରେ ପହଞ୍ଚିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସମର୍ଥକ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ ଗର୍ଜିଲେ ଶତାଧିକ କୋରାପୁଟ କଂଗ୍ରେସ କର୍ମୀ । ଏହାସହ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତିଙ୍କୁ ସଭାପତି ପଦରୁ ହଟାଇବା ପାଇଁ ପିସିସି ସଭାପତିଙ୍କ ଆଗରେ ଫେରାଦ ହୋଇଛନ୍ତି ସାଂସଦଙ୍କ ସମର୍ଥକ । ୨ ଦିନ ତଳେ କୋରାପୁଟ ସାଂସଦଙ୍କ ବିରୋଧରେ ନିଜ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କ ଆଗରେ ଫେରାଦ ହୋଇଥିଲେ ତାରା ।

ଅଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କ୍ଷମତା ଦଖଲ କରିବାକୁ ପ୍ରମୁଖ ରାଜନୈତିକ ଦଳ ଏବେ ରଣନୀତି ପ୍ରସ୍ତୁତ କରୁଛନ୍ତି । ହେଲେ ଦିନକୁ ଦିନ ଦଳୀୟ କନ୍ଦଳ ତୀବ୍ର ହେଉଥିବାରୁ ୯ରୁ ୯୦ ଲକ୍ଷ୍ୟ ରଖିଥିବା ରାଜ୍ୟ କଂଗ୍ରେସର ଭବିଷ୍ୟତକୁ ନେଇ ଉଠିଲାଣି ବଡ଼ ପ୍ରଶ୍ନ । ୨ ଦିନ ତଳେ ତାରା ନିଜ ସମର୍ଥକଙ୍କୁ ନେଇ ପିସିସି ସଭାପତିଙ୍କ ଆଗରେ ଫେରାଦ ହୋଇଥିଲେ । ଏହାପରେ ଆଜି କୋରାପୁଟ ଜିଲ୍ଲାର ପୂର୍ବତନ ପଦାଧିକାରୀ, ବିଧାୟକ, ଜିଲ୍ଲା କର୍ମୀ ସେବାଦଳ କର୍ମୀ, ବ୍ଲକ ଚେୟାରମ୍ୟାନ୍, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ସମସ୍ତେ ଏକଜୁଟ ହୋଇ ବିଧାୟକ ତାରାଙ୍କ ବିରୋଧରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ଏନେଇ କୋରାପୁଟରୁ ଆସିଥିବା କଂଗ୍ରେସ ନେତା ଦୁର୍ଗା ପ୍ରସାଦ ସାହୁ କହିଛନ୍ତି, "କୋରାପୁଟ କଂଗ୍ରେସର ଗଡ଼ । ସେଠାରେ ଏବେ ଏକଛାତ୍ରବାଦୀ ଓ ଅସହିଷ୍ଣୁ ରାଜନୀତି ଚାଲିଛି । ଏଭଳି ରାଜନୀତି ବିଧାୟକ ତରାବାହିନୀପତି କରୁଛନ୍ତି । ଜଣେ କର୍ମୀର ନେତୃତ୍ବ ଓ ବଳିଷ୍ଠ ଯୋଗଦାନରେ ଦଳ ସଂଗଠିତ ହୁଏ ଓ ଆଗକୁ ଯାଏ । ହେଲେ କର୍ମୀଙ୍କୁ ଏଠି ଅଣଦେଖା କରାଯାଉଛି । ଏଠାରେ ଦଳର ଶୃଙ୍ଖଳାକୁ ଭାଙ୍ଗି ପିସିସି କମିଟିର ନିଷ୍ପତ୍ତିକୁ ଅପେକ୍ଷା ନକରି ବା ଭୃକ୍ଷେପ ନକରି ମୋ ସହିତ ସମସ୍ତେ ଆସିଛନ୍ତି କହି ସଭାପତିଙ୍କୁ ଭେଟି ମୋ ସ୍ତ୍ରୀ ସଭାପତି ହୁଅନ୍ତୁ ବୋଲି ବିଧାୟକ ଯେଉଁ ଦାବି କରୁଛନ୍ତି, ତାହା ଅନ୍ୟ କର୍ମୀଙ୍କ କଣ୍ଠରୋଧ କରୁଛି । ଏପରିକି ମୋ ନେତୃତ୍ବରେ ମୁଁ ଜିତିକି ଆସିଛି, ମୁଁ ହିଁ ଜିଲ୍ଲାର ସବୁ ନିଷ୍ପତ୍ତି ନେବି, ଏନେଇ ପିସିସିଙ୍କୁ ନଭେଟି ସେ ସେଠାରେ ସମସ୍ତଙ୍କୁ ଡାକି କହିପାରିଥାନ୍ତେ । ତାହା ବି ସେ କଲେ ନାହିଁ । ତେଣୁ ସେ କେଉଁ ନେତୃତ୍ବ ସମ୍ପନ୍ନ ତାହା ବିନା କର୍ମୀରେ ପ୍ରମାଣିତ କରନ୍ତୁ ।"

ବିଧାୟକ କର୍ମୀଙ୍କୁ ବିରୋଧ କରି ଫାଟ ସୃଷ୍ଟି କରିଛନ୍ତି ଓ ଆମେ ପ୍ୟାଚ୍‌ ପକାଇବାକୁ ଅସିଛୁ ବୋଲି କହିଛନ୍ତି କୋରାପୁଟ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ସାହୁ । କଂଗ୍ରେସର ନେତୃତ୍ବରେ ଆମର ପରିଚୟ । ତେଣୁ ବିଶୃଙ୍ଖଳିତ ନେତା ଓ ବିଧାୟକ ସୁଧୁରି ଯାଅ ବୋଲି କହିବା ସହ ଦଳର ସବୁ ଶ୍ରେଣୀର ନେତୃତ୍ବକୁ ସମ୍ମାନ ଦିଅ ବୋଲି କହିଛନ୍ତି । ପରିବାର ବାଦର ରାଜନୀତିକୁ ଗୁରୁତ୍ବ ନଦେଇ ଦଳର ସଂଗଠନକୁ ସୁଦୃଢ କରି ଦଳର ସଭାପତିଙ୍କ ନିଷ୍ପତିକୁ ମାନନ୍ତୁ । ଏଭଳି ନହେଲେ ଯିଏ ବି ସଭାପତି ହେଉ, ସେ ତାଙ୍କୁ ବିରୋଧ କରିବେ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ନେତା ଦୁର୍ଗା ପ୍ରସାଦ ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 1, 2023, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.