ETV Bharat / state

ପାଖଉଛି ଘୋଷଯାତ୍ରା, ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର

author img

By

Published : May 15, 2023, 5:45 PM IST

ମାସକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ ଜଗନ୍ନାଥ । ଏ ନେଇ ବିଶ୍ବନିୟନ୍ତାଙ୍କ ସ୍ବତନ୍ତ୍ର ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ବୁଣାକାର ପରିବାର । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ ।

weavers busy preparaing lord jagannath garments
ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ବୁଣାରେ ବ୍ୟସ୍ତ ରାଉତପଡ଼ା ବୁଣାକାର

ପାଖଉଛି ଘୋଷଯାତ୍ରା

ଖୋର୍ଦ୍ଧା: ପାଖେଇ ଆସୁଛି ଓଡ଼ିଆ ଜାତିର ମଉଡମଣି ପୁରୁଷୋତ୍ତମ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରଥଯାତ୍ରାକୁ ମାସଟିଏ ଥିବା ବେଳେ ଚଳଚଞ୍ଚଳ ହୋଇଛି ରଥଖଳା । କାଳିଆ ସାଆନ୍ତେଙ୍କୁ ରଥରେ ଦେଖିବାକୁ ଚାତକ ପରି ଚାହିଁଛନ୍ତି ଭକ୍ତ । ରଥନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି । ସେହିପରି ମହାପ୍ରଭୁଙ୍କ ମାନବୀୟ ଲୀଳା ପାଇଁ ଅଙ୍ଗବସ୍ତ୍ର ବୁଣା କାର୍ଯ୍ୟରେ ରାଉତପଡ଼ା ତନ୍ତଶାଳା ମଧ୍ୟ ଚଳଚଞ୍ଚଳ ହୋଇଛି। ରାଉତପଡା ବୁଣାକାରଙ୍କ ହାତରେ ଚାଲିଛି ଭଳି କି ଭଳି ପାଟ୍ଟ ବୁଣା । ବୁଣାକାରମାନେ ସେମାନଙ୍କ କୁଶଳୀ ହାତରେ ମହାପ୍ରଭୁଙ୍କ ବିଭିନ୍ନ ପ୍ରକାର ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ ରହିଛନ୍ତି ।

ଏହା ବି ପଢନ୍ତୁ...RathaKhala Halchal: ତିନି ରଥ ଅଖ କାର୍ଯ୍ୟ ନେଇ ପ୍ରସ୍ତୁତି ଆରମ୍ଭ

ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗବସ୍ତ୍ର ବୁଣିବା ପାଇଁ ରାଉତପଡା ବୁଣାକାର ପରିବାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୧୯୯୨ ମସିହାରୁ ଶ୍ରୀମନ୍ଦିରକୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଅଙ୍ଗବସ୍ତ୍ର ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡା ଗାଁର ୨୫ରୁ ଅଧିକ ବୁଣାକାର ପରିବାର । ବଡ଼ ଦେଉଳକୁ ଯାଉଥିବା ବସ୍ତ୍ରଗୁଡିକ ହେଲା ବାର ହାତି ଗଡ଼ା, ଷୋଳ ହାତି ଗଡ଼ା, ବୋଇରାଣୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୁଖହୋତା, ଟଣାଠୋସା, ଅଧରଗାମୁଛା, ନିଉଛାଳି ଗାମୁଛା, ସୂତାଫୁଟା, ପତନି, ବାରହାତି ଗଦା ବୋଇରାଣୀ ଆଦି ଶ୍ରୀଅଙ୍ଗ ବସ୍ତ୍ର । ବଡ଼ ଦେଉଳର ବଡ ଦିଅଁ ଭିନ୍ନଭିନ୍ନ ଦିନରେ ଭିନ୍ନଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ।

ରବିବାର ଦିନ ନାଲି ରଙ୍ଗର ପାଟ ପିନ୍ଧନ୍ତି ଭାଇ-ଭଉଣୀ । ସୋମବାର ଦିନ ଧଳା, ମଙ୍ଗଳବାର ଦିନ ବାରପାଟିଆ, ବୁଧବାର ଦିନ ନୀଳ, ଗୁରୁବାର ହଳଦୀ, ଶୁକ୍ରବାର ଧଳସୁତା ଓ ଶନିବାର ଦିନ କଳା ପାଟ ପରିଧାନ କରିଥାନ୍ତି ମହାପ୍ରଭୁ । ଏସବୁ ଭିତରେ ଦୁଇ ଭାଇ ଓ ଗେହ୍ଲୀ ଭଉଣୀଙ୍କର ପ୍ରିୟ ବସ୍ତ୍ର ହେଉଛି ଗୀତଗୋବିନ୍ଦ ପାଟ । ବଡ଼ସିଂହାର ବେଶରେ ଚତୁର୍ଦ୍ଧାମୂର୍ତ୍ତୀ ଗୀତଗୋବିନ୍ଦ ପଦ ଲେଖା ହୋଇଥିବା ପାଟ ପରିଧାନ କରିଥାଆନ୍ତି । ଆଉ ଏହାକୁ ତିଆରି କରିବା ରାଉତପଡା ଗାଁର ପୁରୁଷ ମହିଳାଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଲାଗି ପଡିଛନ୍ତି ।

ବସନ୍ତପଞ୍ଚମୀଠାରୁ ଘରେ ପୂଜାର୍ଚ୍ଚନା କରିବା ପରେ ଘୋଷଯାତ୍ରା ପାଇଁ ବସ୍ତ୍ର ବୁଣା କାମ ଆରମ୍ଭ କରି ଦେଇଥାନ୍ତି ବୁଣାକାର ପରିବାର । ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଶ୍ରୀବିଗ୍ରହଙ୍କ ଅଙ୍ଗବସ୍ତ୍ରକୁ ପଠାଇଥାଆନ୍ତି । କୁହାଯାଏ ମହାପ୍ରଭୁ ଜଗନ୍ନାଥଙ୍କ ସେବା କରିବାର ସୁଯୋଗ ଭାଗ୍ୟବାନ ଓ ପୂର୍ବଜନ୍ମର ପୂଣ୍ଣ୍ୟକର୍ମ ଫଳରେ ମିଳିଥାଏ । ଆଉ ଏଭଳି ସୁଯୋଗ ମିଳିଛି ଖୋର୍ଦ୍ଧା ଜିଲ୍ଲା ରାଉତପଡ଼ା ବୁଣାକାର ପରିବାରକୁ । ଗାଁର ବୁଣାକାରମାନେ ରଥଯାତ୍ରା ସମୟରେ ବଡଠାକୁର ବଳଭଦ୍ର, ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ବ୍ୟବହାର ପାଇଁ ସମସ୍ତ ଅଙ୍ଗବସ୍ତ୍ର ତିଆରିରେ ନିଜକୁ ସମର୍ପିତ କରିଛନ୍ତି ।

ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ରଥ ନିର୍ମାଣ ଶୈଳୀ: ବିନା ଆଧୁନିକ ଯନ୍ତ୍ରପାତିରେ ତିଆରି ହୁଏ ବିଶାଳ ରଥ

ପ୍ରକାଶଥାଉ କି, ଆସନ୍ତା ମାସ ଅର୍ଥାତ ଜୁନ 20 ତାରିଖରେ ଶ୍ରୀଜୀଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଜୁନ ୪ ରେ ଦେବସ୍ନାନ ପୂର୍ଣ୍ଣିମା । ୨୮ରେ ବାହୁଡା ଯାତ୍ରା । ଜୁନ ୯ରେ ସୁନାବେଶ ଅନୁଷ୍ଠିତ ହେବ । ୨୦୨୩ ରଥଯାତ୍ରାକୁ ନେଇ ପ୍ରସ୍ତୁତ ହୋଇଥିବା ଦିନ ଓ ନୀତିକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.