ETV Bharat / state

ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ, ବିଜେପି କର୍ମୀ-ପୋଲିସ ମଧ୍ୟରେ ଢେଲାମାଡ

author img

By

Published : Feb 28, 2023, 3:51 PM IST

Updated : Feb 28, 2023, 8:22 PM IST

ନବ ଦାସ ହତ୍ୟାକାଣ୍ଡରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ବେଳେ ପୋଲିସ ସହ ଧସ୍ତାଧସ୍ତି । ଫଳରେ ରଣକ୍ଷେତ୍ର ପାଲଟିଛି ରାଜଧାନୀ ଭୁବନେଶ୍ବରର ଲୋୟର ପିଏମଜି । ଅଧିକ ପଢନ୍ତୁ

massive protest at Lower PMG
massive protest at Lower PMG

ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ
ବ୍ୟାରିକେଡ ଭାଙ୍ଗିଲେ, ଧସେଇ ପଶିଲେ ବିଧାନସଭା ଅଭିମୁଖେ, ବିଜେପି କର୍ମୀ-ପୋଲିସ ମଧ୍ୟରେ ଢେଲାମାଡ

ଭୁବନେଶ୍ବର: ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି । ଫଳରେ ରଣକ୍ଷେତ୍ର ପାଲଟିଛି ରାଜଧାନୀରେ ଲୋୟର ପିଏମଜି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ରାଜଧାନୀରେ ବିଶାଳ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭକାରୀମାନେ ଭିଡ଼ ଭିତରୁ ପୋଲିସ ଉପରକୁ ଗରମ ପାଣି ପାଉଚ, ଚପଲ ଓ ଅଣ୍ଡାମାଡ଼ କରିବା ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା ମିଳିଛି ।

ବାରିକେଡ ଭାଙ୍ଗି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଏହାପରେ ପୋଲିସ ବିଜେପି କର୍ମୀଙ୍କ ଉପରକୁ ଲାଠିଚାର୍ଜ କରିଛି । ଏହି ଧସ୍ତାଧସ୍ତି ବେଳେ କିଛି ବିଜେପି ଓ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ଇନ୍ସପେକ୍ଟର ଅମିତାଭ ମହାପାତ୍ର ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ପୁରିଥିବା ବେଳେ ଏଯାଏଁ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ତଦନ୍ତ ବାଟବଣା ହୋଇଥିବା ବିଜେପି ଅଭିଯୋଗ କରିଛି ।

ଏହା ବି ପଢନ୍ତୁ- Budget Session: ଶୂନ୍ୟକାଳରେ ବିରୋଧୀଙ୍କ ହଙ୍ଗାମା, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଏନେଇ ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି, "ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଛି । ସେ ମମିତା ମେହେର କଥା ହେଉ କି ନବ ଦାସ ହତ୍ୟାକାଣ୍ଡ କଥା ହେଉ । ଗୋଟିଏ ମାସ ବିତିଥିବା ବେଳେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିନାହିଁ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ରହିଥିଲେ ମଧ୍ୟ ତଦନ୍ତ ସଠିକ ବାଟରେ ଯାଉନାହିଁ । ରାଜ୍ୟରେ ଅରାଜକତା ବ୍ୟାପିବାରେ ଲାଗିଛି । ଆଜି ଆମେ ବିଧାନସଭା ଘେରାଉ କରିକି ଏହା ମଧ୍ୟକୁ ଧସେଇ ପଶିବୁ । ଯେପର୍ଯ୍ୟନ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସୁଧୁରିନି ଓ ନବ ଦାସ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ, ସେ ପର୍ଯ୍ୟନ୍ତ ଲଢେଇ ହେବ ।"

ସେପଟେ ବିଜେପି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "ଦୀର୍ଘ ୨୩ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ । ଆମେ ବିରୋଧୀ ଦଳ ହିସାବରେ ନୁହେଁ, ବରଂ ଜଣେ ସାଧାରଣ ଜନତା ହିସାବରେ ଏହି ଅଭିଯୋଗ ଆଣିଛୁ । ରାଜ୍ୟର ଜଣେ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ଦିବାଲୋକରେ ହତ୍ୟା କରାଗଲା । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏଯାଏଁ ହତ୍ୟା ପଛର ରହସ୍ୟ ଜଣାପଡ଼ିନାହିଁ । କ୍ରାଇମବ୍ରାଞ୍ଚ କେବଳ ଗୋପାଳ ଗୋପାଳରେ ସୀମିତ ରହିଯାଇଛି । ହତ୍ୟା ପଛରେ ମାଷ୍ଟର ମାଇଣ୍ଡ କିଏ ସେ ନେଇ ଜଣାପଡ଼ିନାହିଁ । ଏସବୁ କଥା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା କଥା । ବିଧାନସଭା ଭିତରେ ଓ ବାହାରେ ବିଜେପି ପ୍ରମୁଖ୍ୟ ବିରୋଧୀ ଦଳ ହିସାବରେ ଏହାକୁ ଲୋକଲୋଚନକୁ ଆଣିବା ଲାଗି ପ୍ରୟାସ ଜାରି ରଖିଛି ଓ ଏହି ଲଢେଇ ଜାରି ରଖିବ । ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଲାଗି ଆଜି ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।"

ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ:- ବିଜେପି ଯୁବମୋର୍ଚ୍ଚା ଓ ପୋଲିସ କର୍ମୀ ମୁହାଁମୁହିଁ ହେବା ପରେ ବିଜେପି ଯୁବମୋର୍ଚ୍ଚା ଉପରେ ପୋଲିସ ଲାଠିମାଡ କରିଛି । କିଛି ପୋଲିସ କର୍ମୀ ଓ ବିଜେପି ଯୁବମୋର୍ଚ୍ଚା ସଦସ୍ୟ ଆହତ ହୋଇଛନ୍ତି । ଖାଲି ସେତିକି ନୁହେଁ ପୋଲିସ ଉପରକୁ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ, ପାଣି ପାଉଚ, ଟେକା ପଥର ମାଡ କରିଥିବା ଦେଖିବାକୁ ମିଳିଛି । ଏକପ୍ରକାର ଜନସମୁଦ୍ର ହୋଇପଡ଼ିଛି ଲୋୟର ପିଏମଜି। ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କୁ ପୋଲିସ ଅଟକ ରଖିଛି। କ୍ୟାବିନେଟ ମନ୍ତ୍ରୀ ନବ କିଶୋର ଦାସଙ୍କ ଗୁଳିକାଣ୍ଡ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ବିଶ୍ବାସ ନାହିଁ। ତଦନ୍ତ ଭାର ଏକ ଥାର୍ଡ ପାର୍ଟିକୁ ଦିଆଯାଉ। ନହେଲେ ତଦନ୍ତ ବାଟମାରଣା ହୋଇଯିବ। ଏହା ସଂପୂର୍ଣ୍ଣ ରାଜନୈତିକ ହତ୍ୟାକାଣ୍ଡ। ତେଣୁ ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇ ଦିଆଯାଉଛି ବୋଲି ଦଳ ଦାବି କରିଛି । ଅନ୍ୟପଟେ ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, "ଏହି ବିକ୍ଷୋଭରେ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଏହାର ତଦନ୍ତ ହେବ।"

ଗୃହ ଭିତରେ ଯୁବ ମୋର୍ଚ୍ଚାଙ୍କ ବିକ୍ଷୋଭକୁ ନେଇ ତାତି:- ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଘଟଣାର ତଦନ୍ତ ଦାବି କରିଥିଲେ । ଏପରିକି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ ବିଜେପିର ଗୁଣ୍ଡାବାହିନୀ, ପୋଲିସ ଉପରେ ଆକ୍ରମଣ କରିଛି। ଏହାକୁ ଦୃଢ଼ ଭାବେ ନିନ୍ଦା କରାଯାଉଛି । ହୋହଲ୍ଲା ପରେ ବାଚସ୍ପତି ପ୍ରଥମେ ୧୦ ମିନିଟ ପରେ ଆଉ ୧୦ ମିନିଟ ପାଇଁ ଗୃହକୁ ମୁଲତବୀ କରିଥିଲେ। ପରେ ବାଚସ୍ପତି ନିଜ କକ୍ଷରେ ଶାସକ ବିରୋଧୀଙ୍କୁ ଡାକି ବୈଠକ କରିଥିଲେ । ପରେ ଗୃହ ସ୍ଵାଭାବିକ ହେବା ପରେ ଆରମ୍ଭ ହୋଇଥିଲା ବଜେଟ ଆଲୋଚନା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 28, 2023, 8:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.