ETV Bharat / state

ଆସନ୍ତାକାଲିଠୁ ଆଉ ଏକ ପଶ୍ଚିମା ଝଡ, ରାଜ୍ୟରେ ୫ ଦିନ ଜାରି ରହିବ ଘଡ଼ଘଡ଼ି ସହ ବର୍ଷା

author img

By

Published : Mar 28, 2023, 8:21 PM IST

ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୫ ଦିନ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

heavy rainfall expected in odisha
ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବର୍ଷା

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବର୍ଷା

ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ଜନିତ ବର୍ଷା । ଉପାନ୍ତରୁ ଉପକୂଳ ସବୁଠି ବର୍ଷୁଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଆହୁରି ସକ୍ରିୟ ହେବ ପଶ୍ଚିମା ଝଡ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲିଠାରୁ ରାଜ୍ୟରେ ପଶ୍ଚିମା ଝଡର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୮,୨୯,୩୦,୩୧,୧ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଆଉ ଏକ ପଶ୍ଚିମା ଝଡ ଆସୁଥିବା ନେଇ ଆକଳନ କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଢେଙ୍କାନାଳ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ସେହିଭଳି ୩୦ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିବ । ୩୧ ତାରିଖରେ ସାରା ରାଜ୍ୟରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ । ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଝଡ ତୋଫାନ ହେବା ନେଇ ୧୬ଟି ଜିଲ୍ଲାକୁ ସତର୍କ କରାଯାଇଛି । ଅଧିକାଂଶ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏଭଳି ବର୍ଷା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପାଣିପାଗ କେନ୍ଦ୍ରର ସତର୍କତା ପରେ ପରିସ୍ଥିତିର ମୁକାବିଲା ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍‌ଆର୍‌ସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର ବିଶ୍ବାସ କହିଛନ୍ତି," ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତୋଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଗଜପତି କାଶୀପୁର ଠାରେ ସର୍ବାଧିକ ୬୯ .୮ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ୩୭.୦୦ ତାପମାତ୍ରା ବୌଦ୍ଧରେ ରେକର୍ଡ କରାଯାଇଛି । ଆଗକୁ ଟ୍ରପଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.