ETV Bharat / state

ଶସ୍ୟ ଜୀବନଧାରଣର କାରଣ ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା: ରାଜ୍ୟପାଳ

author img

By

Published : Feb 19, 2023, 11:27 AM IST

କୃଷି ଓଡ଼ିଶା ୨୦୨୩ ଉଦଯାପନୀ ଉତ୍ସବରେ ଯୋଗଦେଇଥିଲେ ରାଜ୍ୟପାଳ । କହିଥିଲେ, ଶସ୍ୟ ଜୀବନଧାରଣର କାରଣ ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା । ଅଧିକ ପଢନ୍ତୁ

krushi odisha 2023
krushi odisha 2023

krushi odisha 2023

ଭୁବନେଶ୍ବର: ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା 'କୃଷି ଓଡ଼ିଶା ୨୦୨୩' କାର୍ଯ୍ୟକ୍ରମ ଗତକାଲି(ଶନିବାର) ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଶସ୍ୟ ଜୀବନଧାରଣର କାରଣ ହୋଇଥିବାରୁ କୃଷି କର୍ମ ଏକ ମହତ୍ତ୍ୱପୂର୍ଣ୍ଣ ସାଧନା । ସଭ୍ୟତାର ଉନ୍ମେଷ, ବିକାଶ ଓ ଉତ୍ତରଣରେ କୃଷିର ସର୍ବଗରିଷ୍ଠ ଭୂମିକା ରହିଛି । ଆମ ଧର୍ମ, ସଂସ୍କୃତି, ଐତିହ୍ୟ, ଇତିହାସ, ପରମ୍ପରା, ଜୀବନଶୈଳୀ, ଜୀବନବୋଧ ଓ ଦର୍ଶନର ଆଦି ବିନ୍ଦୁ ହେଉଛି କୃଷି । ସଭ୍ୟତାର ଉତ୍ତମ ସଂରଚନା ଉପରେ ଏହା ପ୍ରତିଷ୍ଠିତ । ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରି ତିନୋଟି ମୌଳିକ ଉପାଦାନ ଆମକୁ ସଭ୍ୟ, ମାର୍ଜିତ ଓ ଉତ୍ତରିତ କରିଛି । ଆଉ ଏସବୁର ଉତ୍ସ ଓ ଆଧାର ହେଉଛି କୃଷି ।

କୃଷି କର୍ମ ହେଉଛି ଏକ ଆଧ୍ୟାତ୍ମିକ କ୍ରିୟା । ଏଥିରେ ଯେଉଁ ରହସ୍ୟମୟ ରସ ଅଛି ତାହାକୁ ଆସ୍ୱାଦନ କରିବାକୁ ରାଜ୍ୟପାଳ କହିଛନ୍ତି । ଆହୁରିମଧ୍ୟ କହିଛନ୍ତି ଯେ, ଜଳ, ଅଗ୍ନି, ବାୟୁ, ପୃଥିବୀ ଓ ଆକାଶ ପରି ପଞ୍ଚ ମହାଭୂତରୁ ସବୁକିଛି ସୃଷ୍ଟି ହୋଇଛି । ଏହି ତତ୍ତ୍ୱକୁ କେବଳ କୃଷକ ବୁଝିପାରେ ଏବଂ ଏହାକୁ କାର୍ଯ୍ୟରେ ଲଗାଏ । ତା’ ହାତ ତିଆରି ଖାଦ୍ୟ କାହା ପେଟକୁ ଯିବ ସେ ବିଚାର କରେନି ।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଏକ ଆହ୍ୱାନ ରୂପେ ଉଭା ହୋଇଛି । ଏହାଦ୍ୱାରା କୃଷି ଓ କୃଷକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି । ଏହାର ମୁକାବିଲା ପାଇଁ ସାରା ମାନବସମାଜ ସଂଗଠିତ ହେବା ଆବଶ୍ୟକ । ନୂତନ ଜ୍ଞାନକୌଶଳ, ଚିନ୍ତା, ଚେତନାର ପ୍ରୟୋଗରେ ଏହାକୁ ରୋକା ଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସେ କହିଥିଲେ, "କୃଷି କ୍ଷେତ୍ରରେ ରାଜ୍ୟ ଆଜି ଏକ ନୂତନ ସୋପାନରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ବିଭିନ୍ନ କୃଷି କାର୍ଯ୍ୟରେ ନିୟୋଜିତ କରାଯାଇ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଉଛି । କୃଷି ଗବେଷଣାଲବ୍ଧ ଜ୍ଞାନକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ କୃଷି ଓଡ଼ିଶା ଏକ ସଫଳ ପ୍ରୟାସ ।"

କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, "କୋଭିଡ ସମୟରେ କୃଷକମାନେ ଯେପରି ନିଜ ସୁରକ୍ଷାକୁ ବାଜି ଲଗାଇ କୃଷି କାର୍ଯ୍ୟ କରି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଥିଲେ ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ । ରାଜ୍ୟ ସରକାରଙ୍କ ପକ୍ଷରୁ ସମୟୋଚିତ ପଦକ୍ଷେପ ଯୋଗୁଁ ବିଗତ ୨୦ ବର୍ଷରେ ରାଜ୍ୟ ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିଛି । ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା କୃଷିଜାତ ଦ୍ରବ୍ୟର ରପ୍ତାନୀ, ବିକ୍ରିବଟାର ବଜାର ସୁବିଧା ଓ କୃଷି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭାଗୀଦାରିତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଉଛି ।"

ମତ୍ସ୍ୟ ଓ ପ୍ରାଣୀସଂପଦର ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି ଯେ, ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦର ଦ୍ରୁତ ବିକାଶ ଦିଗରେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଫିକିର ଜାତୀୟ କୃଷି କମିଟିର ଅଧ୍ୟକ୍ଷ ଟି.ଆର୍‌, କେଶବନ୍‌ କହିଛନ୍ତି ଯେ, ସଂପ୍ରତି ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଛି । ଓଡ଼ିଶା ମିଲେଟ ମିଶନର ସଫଳତା ସେଥିମଧ୍ୟରେ ଅନ୍ୟତମ । ଏହି ଅବସରରେ ରାଜ୍ୟପାଳ କୃଷକମାନଙ୍କ ପାଇଁ ଭାରତର ପ୍ରଥମ କୁତ୍ରିମ ବୁଦ୍ଧିମତା ଚାଳିତ କୃଷିଭିତ୍ତିକ ସ୍ମାର୍ଟ ଚାଟବଟ୍‌ “ଆମ କୃଷ୍‌ଏଆଇ’’କୁ ଲୋକାର୍ପିତ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଗ୍ରଣୀ ଓ ସଫଳ ଚାଷୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.