ETV Bharat / state

Freedom fighter gallery: ବଖାଣୁଛି ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଅକୁହା କାହାଣୀ

author img

By ETV Bharat Odisha Team

Published : Oct 2, 2023, 9:42 PM IST

Updated : Oct 2, 2023, 9:51 PM IST

ରାଜ୍ୟ ସଂଗ୍ରହାଳୟରେ ଉଦଘାଟିତ ହେଲା ସ୍ବତନ୍ତ୍ର ସ୍ଵାଧୀନତା ସଂଗ୍ରାମୀ ଗ୍ୟାଲେରୀ । ଆଗାମୀ ପିଢିକୁ ବଖାଣିବ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଅକୁହା କାହାଣୀ । ଅଧିକ ପଢନ୍ତୁ

Freedom fighter gallery
Freedom fighter gallery

Freedom fighter gallery: ବଖାଣୁଛି ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଅକୁହା କାହାଣୀ

ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସଂଗ୍ରହାଳୟରେ ଉଦଘାଟିତ ହେଲା ସ୍ବତନ୍ତ୍ର ସ୍ଵାଧୀନତା ସଂଗ୍ରାମୀ ଗ୍ୟାଲେରୀ । ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀଙ୍କ ଅକୁହା କାହାଣୀ କହିବ ଏହି ଗ୍ୟାଲେରୀ । ଏଣିକି ଓଡ଼ିଶା ତଥା ଭାରତର ସମସ୍ତ ବୀରପୁତ୍ରଙ୍କୁ ଦେଖିବେ ଆଗାମୀ ଯୁବପିଢ଼ି । ଆଉ ସ୍ଵାଧୀନତା ସମୟର ଆନ୍ଦୋଳନ ଓ ସଂଘର୍ଷ ସମ୍ପର୍କରେ ଅବଗତ ହେବେ । ଏହି ଗ୍ୟାଲେରୀର ଉଦଘାଟନ କରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ ପାତ୍ର ।

Freedom fighter gallery
ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ର ଥିବା ଷ୍ଟାମ୍ପ

ରାଜ୍ୟ ସଂଗ୍ରହାଳୟରେ ଖୋଲିଥିବା ଏହି ସ୍ବତନ୍ତ୍ର ଗ୍ୟାଲେରୀରେ ବୀରପୁତ୍ରମାନଙ୍କ ଐତିହାସିକ କାହାଣୀର ପ୍ରଚାର ପ୍ରସାର ହେବ । ଓଡ଼ିଶା ମାଟିର ଲଢ଼ୁଆ ମହାପୁରୁଷମାନଙ୍କ ବୀରତ୍ଵର ଇତିହାସକୁ ପର୍ଯ୍ୟଟକଙ୍କ ପାଖରେ ବଖାଣିବ। ଏଠାରେ ଓଡ଼ିଶାର ବୀର ପୁରୁଷମାନଙ୍କ ପାଇଁ ସ୍ବତନ୍ତ୍ର ଗ୍ୟାଲେରୀ ପ୍ରସ୍ତୁତ କରାଯିବା ସହ ସେମାନଙ୍କ ଜୀବନୀ ସମ୍ବନ୍ଧରେ ଉଲ୍ଲେଖ କରଯାଇଛି । ବୀରପୁତ୍ରମାନଙ୍କ ଫଟୋ ସହ ସ୍ଵାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନରେ ସେମାନଙ୍କ ବଳିଦାନର ଫଟୋଚିତ୍ରକୁ ଉପସ୍ଥାପିତ କରାଯାଇଛି । ଏହାସହ ସଂଗ୍ରାମୀଙ୍କ ନାମର ସ୍ବତନ୍ତ୍ର ଷ୍ଟାମ୍ପ ବି ଉପସ୍ଥାପନା କରାଯାଇଛି । ଏଥିସହ ପଥରର ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଏହା ବି ପଢନ୍ତୁ- ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ସ୍ମୃତିକୁ ସାଇତି ରଖେ ସଂଗ୍ରହାଳୟ

Freedom fighter gallery
ରାଜ୍ୟ ସଂଗ୍ରହାଳୟରେ ସ୍ବତନ୍ତ୍ର ସ୍ଵାଧୀନତା ସଂଗ୍ରାମୀ ଗ୍ୟାଲେରୀ

ଅନ୍ୟପଟେ ଓଡ଼ିଶାର ଯେଉଁ ସବୁ ଐତିହାସିକ ସଂଗ୍ରାମ ରହିଛି ତାକୁ ମଧ୍ୟ ସ୍ବତନ୍ତ୍ର ଚିତ୍ରକଳା ମାଧ୍ୟମରେ ଉପସ୍ଥାପନ କରାଯାଇଛି । ଆଗାମୀ ଦିନରେ ଆଗାମୀ ପିଢ଼ି ପାଇଁ ସ୍ବାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନ ଜାଣିବାରେ ଏହା ଅନେକ ସହାୟକ ହେବ । ସେପଟେ ଯେଉଁମାନେ ନିଜର ସର୍ବସ୍ବ ଦାନ କରି ନିଜ ମାଟି ପାଇଁ ଲଢିଥିଲେ ସେହିମାନଙ୍କୁ ଚିରସ୍ମରଣୀୟ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କହିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଏକ ଉଲ୍ଲେଖନୀୟ ପ୍ରୟାସ ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ ବୋଲି ସେ କହିଛନ୍ତି ।

ସେପଟେ ଆଜି ତାଳ ପତ୍ର ପୋଥିର ସଂଶୋଧନ ସମ୍ପାଦନ ଓ ସଂରକ୍ଷଣକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ହୋଇଥିବା ୧୭ ଦିନର ପ୍ରଶିକ୍ଷଣ କର୍ମଶାଳାର ଉଦଯାପନ ହୋଇଛି । ଏହି କର୍ମଶାଳାରେ ପ୍ରାଚୀନ ସାହିତ୍ୟର ମୂଳପିଣ୍ଡ ସାଜିଥିବା ତାଳପତ୍ର ପୋଥିକୁ ପୁର୍ନଜୀବିତ କରିବାର ପ୍ରୟାସରେ ବିଶ୍ବବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ ସଂସ୍କୃତି ମନ୍ତ୍ରୀ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ।

ଏହା ବି ପଢନ୍ତୁ- ହଜିବନି ଓଡ଼ିଶାର ସୁସମୃଦ୍ଧ ସାହିତ୍ୟ ଓ ସଂସ୍କୃତି, ବେଦ ଉପନିଷଦ ସହଜରେ ପଢ଼ିବେ ପାଠକ

ସମଗ୍ର ବିଶ୍ବରେ ସଂଗ୍ରହାଳୟକୁ ଜ୍ଞାନର ଗନ୍ତାଘର କୁହାଯାଏ । ଏଣୁ ଓଡ଼ିଶା ବା ରାଜ୍ୟ ସଂଗ୍ରହାଳୟ ସବୁବେଳେ ନୂଆ କିଛି ଜ୍ଞାନକୁ ତାର ସଂଗ୍ରହର ପେଡ଼ିରେ ଆଗାମୀ ପିଢ଼ି ପାଇଁ ବାନ୍ଧି ରଖିବା ପାଇଁ ପ୍ରଚେଷ୍ଟା କରେ । ତେଣୁ ଏଥରର ପ୍ରୟାସ ତାଳପତ୍ରର ପୋଥିର ସଂଶୋଧନ ସମ୍ପାଦନ ଓ ସଂରକ୍ଷଣ କିପରି ହେବ, ଏହାକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଏହି ପ୍ରଶିକ୍ଷଣ କର୍ମଶାଳା ୧୭ ଦିନ ଅନୁଷ୍ଠିତ ହୋଇଥିଲା । ଆଉ ଏହି କର୍ମଶାଳା ମାଧ୍ୟମରେ ପ୍ରାଚୀନ ପୋଥି କିଭଳି ସଂରକ୍ଷଣ ହୋଇପାରିବ ସେନେଇ ବିଶ୍ବବିଦ୍ୟାଳୟ ଓ କଲେଜର ପିଜି ଏମଫିଲ ଓ ପିଏଚଡ଼ି ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 2, 2023, 9:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.