ETV Bharat / state

ଠାବହେଲା ଚୋରି ଗାଡିର ଚୋରା ବଜାର, ୪ ବାଇକ୍‌ ଚୋର ଗିରଫ

author img

By

Published : Apr 30, 2023, 9:13 PM IST

ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଗାଡି ଚୋରି କରି କବାଡିଆ ବଜାରରେ ବିକ୍ରି କରୁଛନ୍ତି ବାଇକ ଚୋର ଗ୍ୟାଙ୍ଗ୍ । ଇଞ୍ଜିନ ଓ ଟାୟାର ସବୁ ଅଲଗା କରି ବିକି ହେଉଛନ୍ତି ମାଲାମାଲ । ଏମିତି ଏକ ଚୋରି ରାକେଟ ସହ କବାଡିଆ କାରଖାନା ଠାବ କରିଛି ପୋଲିସ । ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଠାବହେଲା ଚୋରି ଗାଡିର ଚୋରା ବଜାର
ଠାବହେଲା ଚୋରି ଗାଡିର ଚୋରା ବଜାର

ଠାବହେଲା ଚୋରି ଗାଡିର ଚୋରା ବଜାର

ଭୁବନେଶ୍ବର: ରାଜଧାନୀରେ ବାଇକ୍‌ ଧରି ବୁଲୁଥିଲେ ହୁସିଆର । ଠିକ୍‌ରେ ଲକ୍‌ ନକଲେ ଚୋରି ହେବା ସମ୍ଭବ । କାରଣ ସହରରେ ମାତିଛନ୍ତି ବାଇକ୍‌ ଚୋର ଗ୍ୟାଙ୍ଗ୍ । ଯେଉଁମାନେ ଗାଡ଼ି ଚୋରି କରି ବିକ୍ରି କରୁଛନ୍ତି କବାଡିଆ ବଜାରରେ । ଇଞ୍ଜିନ ଓ ଟାୟାର ସବୁ ଅଲଗା କରି ବିକି ହେଉଛନ୍ତି ମାଲାମାଲ । ଏମିତି ଏକ ଚୋରି ରାକେଟ୍‌ ସହ କବାଡ଼ିଆ କାରଖାନା ଠାବ କରିଛି ପୋଲିସ । ଏହି ଗ୍ୟାଙ୍ଗ୍‌ର ୪ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଯେଉଁମାନଙ୍କଠୁ ମିଳିଛି ୧୬ଟି ଚୋରି ବାଇକ ସହ ୧୭ଟି ଚୋରା ଗାଡିର ଇଞ୍ଜିନ୍ ଓ ଟାୟାର । ତେବେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ରେଡ୍ଡି ସହ ପଶ୍ଚିମବଙ୍ଗ ମେଦିନପୁରର ସୌମିତ୍ର ଦାସ, ଗୁଣଧର ମିର୍ଦା ଓ ସୋମନାଥ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ପୋଲିସର ସୂଚନା ମୁତାବକ ମୁଖ୍ୟ ଆସାମୀ ସୁଶାନ୍ତ ଜଣେ ଗାଡି ଗ୍ୟାରେଜ ମେକାନିକ୍ । ରାଜଧାନୀର ବିଭିନ୍ନ ସ୍ଥାନ ଯେପରିକି ୟୁନିଟ ୧ ଓ ୟୁନିଟ ୨ ସହ ବାପୁଜୀ ନଗର ଫରେଷ୍ଟ ପାର୍କ, କ୍ୟାପିଟାଲ ହସ୍ପିଟାଲ ସାମ୍ନା, ଅଶୋକ ନଗର ଆଦି ଅଞ୍ଚଳରେ ବୁଲି ବୁଲି ଗାଡ଼ି ଗୁଡ଼ିକ ଉପରେ ନଜର ରଖେ । ପରେ ଯେଉଁ ଗାଡ଼ିରେ ପୁରୁଣା ହୋଇଯାଇଥିବା ଲକ୍ ଥିବ, ସେହି ଗାଡ଼ି ଲକ୍‌କୁ ସହଜରେ ଖୋଲି ଗାଡି ନେଇ ଛୁ' ମାରୁଥିଲେ । ଗାଡ଼ିଗୁଡିକ ନେଇ ରେଳ ଷ୍ଟେସନ ପାର୍କିଂ ଓ ବିଭିନ୍ନ ମଲ୍‌ ପାର୍କିଂ ତଳେ ରଖିଦେଉଥିଲା । ପରେ ନିଜେ ରହୁଥିବା ଶ୍ରୀରାମ ନଗରରେ ଗାଡ଼ିକୁ ଆଣି ଅଲଗା ଅଲଗା କରି ଗାଡ଼ିକୁ ଭାଗ ଦେଉଥିଲା‌ । ଏନେଇ ଅନ୍ୟ ତିନି ଅଭିଯୁକ୍ତ କବାଡିଆ ଭାବେ ଆସି ଗାଡ଼ିର ବିଭିନ୍ନ ପାର୍ଟ୍‌ସ୍‌, ଇଞ୍ଜିନ୍‌, ଟାୟାର ଓ ଟାଙ୍କି ନେଇ କବାଡ଼ି ଖାନାରେ ରଖୁଥିଲେ ‌। ଯେଉଁଠି ଯେଉଁ ଗାଡ଼ିର ପାର୍ଟ୍‌ସ୍‌ ଖୋଜା ପଡୁଥିଲା, କବାଡ଼ିଆ ଖାନାରୁ ପାର୍ଟ୍‌ସ୍‌ ମଗାଇ ବିକୁଥିଲେ ଏହି ସବୁ ଅଭିଯୁକ୍ତ । ତେବେ କେବଳ ଭୁବନେଶ୍ବର ନୁହେଁ, ଭୁବନେଶ୍ବର ବାହାରକୁ ଲମ୍ବିଥିଲା ଚେର । ପଶ୍ଚିମବଙ୍ଗଠୁ ଆରମ୍ଭ କରି ଗାଡ଼ିର ଦାମି ପାର୍ଟ୍‌ସ୍‌ ଅଲଗା ଅଲଗା କରି ଭଲ ଦାମରେ ବିକି ଗାଡ଼ି ପିଛା ୩୦ରୁ ୩୫ ହଜାର ଟଙ୍କା ରୋଜଗାର କରୁଥିଲେ । ଏପରିକି ଇଞ୍ଜିନ ଧରା ପଡ଼ିଯିବା ଭୟରେ ସେସବୁକୁ ବିଭିନ୍ନ ଡଙ୍ଗାରେ ବ୍ୟବହାର ପାଇଁ ଚିଲିକା, ବାଣପୁର ଓ ବ୍ରହ୍ମଗିରି ଅଞ୍ଚଳକୁ ପଠାଇ ବିକିଦେଉଥିଲେ ।

ତେବେ ଅନେକ ଚୋରି ଗାଡି ରିପୋର୍ଟ ହେବା ପାଇବା ପରେ ପୋଲିସ ତଦନ୍ତ କରି ସିସିଟିଭି ଫୁଟେଜ ସହ ଚୋରା ଗାଡ଼ିର କବାଡିଆ ଖାନା ଠାବ କରିଥିଲା । ବିଶେଷ କରି ପୁରୀ, କଟକ ବାଇପାସ୍‌ରେ ଏମାନେ କବାଡ଼ି ଖାନା କରି ଏସବୁ ଗାଡି ପାର୍ଟ୍‌ସ୍‌ ବିକୁଥିଲେ । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, "କେହି ଗାଡି ଭୁବନେଶ୍ବରରେ ରଖୁଥିଲେ, ଅନ୍ତତଃ ଦୁଇଟି ଲକ୍ ପକାନ୍ତୁ ନଚେତ ଜିପିଏସ ଲଗାନ୍ତୁ । କାରଣ ଏପରି ଗାଡି ଚୋର ଏଭଳି ସବୁ ଗାଡ଼ିକୁ ଟାର୍ଗେଟ କରି ଚୋରି କରୁଛନ୍ତି ।" ତେବେ ଏନେଇ ଗତ ୨୨ ତାରିଖରେ ଶ୍ରୀକାନ୍ତ ପରିଡା ନାମକ ଜଣେ ବ୍ୟକ୍ତିଙ୍କ ଗାଡି ଫରେଷ୍ଟ ପାର୍କ ଅଞ୍ଚଳରୁ ଚୋରି ହେବା ପରେ ପୋଲିସ ତଦନ୍ତ ବେଳେ ତାଙ୍କ ଗାଡ଼ିକୁ ରେଳ ଷ୍ଟେସନ ପାର୍କିଂରୁ ଗାଡ଼ି ଠାବ କରିଥିଲା । ସିସିଟିଭି ଫୁଟେଜରୁ ଚୋରର କାରନାମା ଜଣାପଡିଥିଲା । ଏନେଇ ଗାଡ଼ିକୁ ବିଭିନ୍ନ ଟ୍ରାଫିକ ଛକ ଓ ଗଳିର ସିସିଟିଭିକୁ ଟ୍ରାକ କରି ଶେଷରେ ଏହି କବାଡିଆ ଖାନା ପାଖରେ ପହଞ୍ଚିଥିଲା ପୋଲିସ । ଏପରି ଅନେକ ଗାଡ଼ି ମାଲିକଙ୍କ ଗାଡି ଠାବ ହୋଇଛି । କେଉଁ ଗାଡ଼ିର କେବଳ ଟାଙ୍କି ଅଛି ତ କାହାର କେବଳ ଚକା ଅଛି, କାହାର ନମ୍ବର ପ୍ଲେଟ ଅଛି ଓ ଆଉ କେଉଁ ଗାଡ଼ିକୁ ପୁରା ବିକି ଦେଇଛନ୍ତି ଏହା ଚୋର ଗ୍ୟାଙ୍ଗ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.