ETV Bharat / state

Ratna Bhandar Issue: ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ, ସେବାୟତ କହିଲେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ

author img

By

Published : Apr 26, 2023, 5:42 PM IST

ଗତ ୨୦୧୮ ମସିହା ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ରଘୁବୀର୍ ଦାସ କମିଶନ ରତ୍ନ ଭଣ୍ଡାର ସ୍ଥିତି ନେଇ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ଆଜିକୁ ପ୍ରାୟ ସାଢ଼େ ୪ ବର୍ଷ ବିତିଥିଲେ ମଧ୍ୟ ଏହି ରିପୋର୍ଟ ସାର୍ବଜନୀନ କରୁନାହାନ୍ତି ସରକାର । ସେପଟେ ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ

ରତ୍ନ ଭଣ୍ଡାର ରିପୋର୍ଟ ସାର୍ବଜନୀନ କରିବାକୁ ତେଜୁଛି ଦାବି
ରତ୍ନ ଭଣ୍ଡାର ରିପୋର୍ଟ ସାର୍ବଜନୀନ କରିବାକୁ ତେଜୁଛି ଦାବି

ରତ୍ନ ଭଣ୍ଡାର ରିପୋର୍ଟ ସାର୍ବଜନୀନ କରିବାକୁ ତେଜୁଛି ଦାବି

ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ଗଲା କୁଆଡେ ? କାହିଁକି ସରକାର ସାର୍ବଜନୀନ କରୁନାହାନ୍ତି ରଘୁବୀର୍ ଦାସ କମିଶନଙ୍କ ରିପୋର୍ଟ ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ତଦନ୍ତ କମିଶନ ରିପୋର୍ଟର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି । ସ୍ବେଚ୍ଛାସେବୀ ଦିଲ୍ଲୀପ ବରାଳ ଏନେଇ କରିଥିବା ଆବେଦନ ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ସହ ଜୁଲାଇ ୧୦ ତାରିଖ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଜୁଲାଇ ୧୦ ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଗତ ୨୦୧୮ ମସିହା ନଭେମ୍ବର ୨୯ ତାରିଖରେ ରାଜ୍ୟ ସରକାରଙ୍କୁ ରଘୁବୀର୍ ଦାସ କମିଶନ ରତ୍ନ ଭଣ୍ଡାର ସ୍ଥିତି ନେଇ ରିପୋର୍ଟ ପ୍ରଦାନ କରିଥିଲେ । ତେବେ କମିଶନ୍ ଅଫ୍ ଇନ୍‌କ୍ୱାରି ଆଇନ୍ ଧାରା ୩ (Appointment of Commission) ଉପଧାରା ୪ ଅନୁଯାୟୀ ତଦନ୍ତ କମିଶନ୍‌ଙ୍କ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରାଯିବାର ବ୍ୟବସ୍ଥା ରହିଛି । ହେଲେ ରଘୁବୀର୍ ଦାସ କମିଶନଙ୍କ ରିପୋର୍ଟ ଦାଖଲକୁ ପ୍ରାୟ ସାଢ଼େ ୪ ବର୍ଷ ବିତିଯାଇଥିଲେ ସୁଦ୍ଧା ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ବିଧାନ ସଭାରେ ମଧ୍ୟ ଏହାକୁ ସାର୍ବଜନୀନ କରୁନାହାନ୍ତି ସରକାର । ଏନେଇ ସ୍ବେଚ୍ଛାସେବୀ ଦିଲ୍ଲୀପ ବରାଳ ହାଇକୋର୍ଟରେ କରିଥିବା ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚନ୍ୟାୟାଳୟ । ଆସନ୍ତା ଜୁଲାଇ ୧୦ ତାରିଖ ସୁଦ୍ଧା ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

'ସେବାୟତଙ୍କୁ ଅଙ୍ଗୁଳି ନର୍ଦ୍ଦେଶ ନହେଉ': ଏହି ପ୍ରସଙ୍ଗରେ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, "ପ୍ରଥମେ କହିଲେ ରତ୍ନ ଭଣ୍ଡାର ଚାବି ହଜିଯାଇଛି । ଏହାପରେ ଏକ ଚାବି ମିଳିଥିବା କହିଲେ । ତେବେ ଏହା ଅସଲି ନୁହେଁ, ନକଲି ଚାବି ବୋଲି କୁହାଗଲା । ଯାହାକୁ ନେଇ ସନ୍ଦେହ ଘନୀଭୂତ ହେଲା । ସେବାୟତ ମାନଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ତେଣୁ ରଘୁବୀର୍ ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ତୁରନ୍ତ ରତ୍ନ ଭଣ୍ଡାର ଖୋଲାଯାଉ । ରତ୍ନ ଭଣ୍ଡାର ଭିତରେ କଣ ରହିଛି, ତାହା ସର୍ବ ସାଧାରଣକୁ ଆସୁ ।" ନହେଲେ ସେବାୟତଙ୍କ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

'୧୯୮୫ର ତାଲିକା ଆଉ ଏବେର ତାଲିକାରେ ଅମେଳ ହେବ': ସେପଟେ ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, "୧୯୮୫ର ତାଲିକା ଆଉ ଏବେ ଖୋଲାଗଲେ ତାଲିକାରେ ଅମେଳ ହେବ । ସେଥିପାଇଁ ଅମଙ୍ଗ ହେଉଛନ୍ତି ସରକାର । ସେଥିପାଇଁ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଉନାହିଁ । ୨୦୦୦ ମସିହାରୁ ଯେତେ କମିଶନ ବସିଲାଣି, କାହାରି ରିପୋର୍ଟ ସାର୍ବଜନୀନ ହୋଇନାହିଁ । ତେଣୁ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ କରନ୍ତୁ ।" ଅନ୍ୟପଟେ ଚାବି କୁଆଡ଼େ ଗଲା ତାହା କେବଳ ମନ୍ଦିର ପ୍ରଶାସନ କହିପାରିବ ବୋଲି ବରିଷ୍ଠ ରାଜନେତା ଦାମ ରାଉତ କହିଛନ୍ତି । ସରକାର ମନ୍ଦିର ପ୍ରଶାସନ ସହ ଆଲୋଚନା କରି ରିପୋର୍ଟ ଦିଅନ୍ତୁ ବୋଲି ସେ କହିଛନ୍ତି ।

ସରକାରଙ୍କ ଉତ୍ତରକୁ ଅପେକ୍ଷା: ହାଇକୋର୍ଟରେ ଦାୟର ଆବେଦନରେ ଲେଖାଯାଇଛି ଯେ ରତ୍ନ ଭଣ୍ଡାରରେ ବହୁ ମୂଲ୍ୟବାନ ଅଳଙ୍କାର ରହିଛି । ତେବେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ବେଳେ ଭିତର ରତ୍ନ ଭଣ୍ଡାର ଖୋଲା ଯାଇନାହିଁ । ଭିତର ରତ୍ନ ଭଣ୍ଡାରର ସ୍ଥିତି ଭଲ ନଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାର ଶୁଣାଣି କରି କୋର୍ଟ ତଦନ୍ତ କମିଶନଙ୍କ ରିପୋର୍ଟ ସାନି ସ୍ଥିତି ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଡୁପ୍ଲିକେଟ୍ ଚାବି ଥିଲେ ବି କାହିଁକି ଖୋଲୁନି ରତ୍ନଭଣ୍ଡାର ? ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ଆଭୂଷଣ ? ଏପଟେ ସରକାର କି ଉତ୍ତର ରଖୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.