ETV Bharat / state

କଟକ ସ୍ୱେରଜ ଟାଙ୍କିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା, ନୋଟିସ ଜାରି କଲେ NHRC

author img

By

Published : Apr 19, 2023, 7:58 PM IST

ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ସ୍ୱେରଜ ଟାଙ୍କିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ନେଇ ଏନଏଚଆରସିରେ ମାମଲା ରୁଜୁ କରିଥିଲେ ମାନବାଧିକାର କର୍ମୀ ଅଖଣ୍ଡ। ୨୦୨୧ ଅପ୍ରେଲ ୧୫ ରେ ଘଟିଥିଲା ଏହି ଦୁଃଖଦ ଘଟଣା । 10 ଲକ୍ଷ ଟଙ୍କା ଲେଖାଁଏ କାହିଁକି ଦିଆଯିବ ନାହିଁ ପ୍ରଶ୍ନ କରିଛନ୍ତି NHRC । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: କଟକ ସ୍ୱେରଜ ଟାଙ୍କିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କୁ ଦାୟୀ କଲେ NHRC । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ NHRC ।

ନୋଟିସ ଜାରି NHRC ମୃତକ ପରିବାରଙ୍କୁ 10 ଲକ୍ଷ ଟଙ୍କା ଲେଖାଁଏ କାହିଁକି ଦିଆଯିବ ନାହିଁ ପ୍ରଶ୍ନ କରିଛନ୍ତି । ଚାରି ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଶ୍ରମିକଙ୍କ ମୃତ୍ୟୁ ନେଇ NHRCରେ ମାମଲା ରୁଜୁ କରିଥିଲେ ମାନବାଧିକାର କର୍ମୀ ଅଖଣ୍ଡ । ୨୦୨୧ ଅପ୍ରେଲ ୧୫ ରେ ଘଟିଥିଲା ଏହି ଦୁଃଖଦ ଘଟଣା ।

ଘଟଣା ଅନୁସାରେ ୧୫ ଅପ୍ରେଲ ୨୦୨୧ ତାରିଖରେ ସଫା କରିବା ପାଇଁ ସ୍ୱେରେଜ ଚାମ୍ବରରେ ପଶିଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଟପୁରର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କର ମୃତ୍ୟୁ ହୋଇଥିଲା । ସାରା ଦେଶରେ ମାନୁଆଲ ସ୍କାଭେଜିଂ(ମଣିଷମାନଙ୍କ ଦ୍ୱାରା ମଇଳା ସଫେଇ କାର୍ଯ୍ୟ)କୁ ନିଷେଦ୍ଧ କରାଯାଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏବେ ବି ମଣିଷମାନଙ୍କ ଦ୍ୱାରା ନିଜ ହାତରେ ମଇଳା ସଫା କରାଯାଉଛି । ପୁନଶ୍ଚ କୌଣସି ନିରାପତ୍ତା ସାମଗ୍ରୀ ମଧ୍ୟ ବ୍ୟବହାର କରାଯାଉନାହିଁ । କଟକ ମହାନଗର ନିଗମର ଚରମ ଅବହେଳା ଯୋଗୁଁ କଟକରେ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ଦର୍ଶାଇ ମାନବିକ ଅଧିକାର କର୍ମୀ ତଥା ଆଡଭୋକେଟ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ । କମିଶନ ଏହାକୁ ଗୁରୁତର ସହ ବିଚାର କରି କମିଶନ ଗୃହ ଓ ନଗର ଉନୟନ୍ନ ବିଭାଗ ପ୍ରମୁଖ ସଚିବ, କଟକ ମହାନଗର ନିଗମ କମିଶନର ଓ ପୋଲିସ କମିଶନରଙ୍କୁ ୧୨.୧୨.୨୦୨୨ ରେ ନୋଟିସ ଜାରି କରିଥିଲେ ।

ପରେ ୦୭.୦୧.୨୦୨୩ରେ ଭୁବନେଶ୍ୱର ପୋଲିସ କମିଶନର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ବିନା କୌଣସି ନିରାପତ୍ତାମୂଳକ ସାମଗ୍ରୀ ନଥାଇ ଏହି ଦୁଇଜଣ ସ୍ୱେରେଜ ଟାଙ୍କିରେ ପଶିଥିଲେ । ସେହିଭଳି ବିଭାଗୀୟ ଅନୁସନ୍ଧାନରୁ ଜଣାପଡିଥିଲା ଯେ ପିଏଚଡି ଜୁନିୟର ଇଂଜିନିୟର ପ୍ରଦ୍ୟୁତ କୁମାର ସାହୁ ଓ ଠିକାଦାର ଦୀପକ କୁମାର ନାୟକ ଏଥିପାଇଁ ଦାୟୀ । ଏମାନଙ୍କ ବିରୋଧରେ ସିଡିଏ, ଫେଜ-2 ଥାନାରେ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷରେ ଜଣେ ମୃତକ ପି.ଶଙ୍କର ଓ ଆହତ ଡି.ଶିବାଙ୍କ ଆନ୍ଧ୍ରପ୍ରଦେଶର ବାସିନ୍ଦା ହୋଇଥିବାରୁ ସେମାନଙ୍କ ଠିକଣା ମିଳିପାରୁନାହିଁ । ସେମାନେ ‘ଆରଜୁସ୍’ ଜାତିର ହୋଇଥିବାରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ କି ନାହିଁ ତାହା ମଧ୍ୟ ବିଚାର କରାଯାଉଛି । କମିଶନ ଏସବୁ ରିପୋର୍ଟକୁ ବିଚାର କରି ଶୁଣାଣୀ କରିଛନ୍ତି ।

କମିଶନ କହିଛନ୍ତି, ଏହି ଘଟଣା ପାଇଁ ଦୁଇ ଜଣ ଦାୟୀ ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି । ତେଣୁ ଏଥିପାଇଁ ରାଜ୍ୟ ସରକାର ଦାୟୀ । ତେଣୁ ସରକାର ମୃତକଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ କାହିଁକି ନଦେବେ ତାହା ଜଣାଇବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଦର୍ଶାଅ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ କମିଶନ କହିଛନ୍ତି । ଯଦି ମୃତକ ଓ ଆହତଙ୍କୁ କିଛି କ୍ଷତିପୂରଣ ମିଳିଛି, ତାର ବିବରଣୀ ଦେବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସରକାର ମାନୁଆଲ ସ୍କାଭେଜିଂକୁ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ଚାହୁଁନାହାନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ, ଜିଲ୍ଲା, ମ୍ୟୁନିସିପାଲିଟି ଓ ପଞ୍ଚାୟତସ୍ତରେ ଭିଲିଲାନ୍ସ କମିଟି ଗଠିତ ହେବା କଥା । ଏହି କମିଟି ତିନିମାସରେ ଥରେ ବସିବା କଥା । କିନ୍ତୁ ଏହା ହେଉନାହିଁ ଏବଂ ଏହି କମିଟି ଅଚଳ ହୋଇପଡିଛି । ତେଣୁ ଏହି ଶ୍ରମିକମାଙ୍କ ସମସ୍ୟା ସମାଧାନ ଦିଗରେ ଏହି କମିଟିର ଭୂମିକା ରହୁନାହିଁ । ଯାହାଫଳରେ ଅନେକ ଶ୍ରମିକ ପ୍ରାଣ ହରାଉଛନ୍ତି ବୋଲି ଅଖଣ୍ଡ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.