ETV Bharat / state

'ରାହୁଲ ଗାନ୍ଧୀଙ୍କ ପ୍ରତି ଅନ୍ୟାୟ କରୁଛି କେନ୍ଦ୍ର ସରକାର'; ୧୨ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା

author img

By

Published : Jul 10, 2023, 11:02 PM IST

ମୋଦି ସାଙ୍ଗିଆକୁ ନେଇ ଆକ୍ଷେପମୂଳକ ଟିପ୍ପଣୀକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଗୁଜରାଟ ହାଇକୋର୍ଟ ମାମଲାର ଶୁଣାଣି କରି ୨ ବର୍ଷ ଜେଲଦଣ୍ଡ ରାୟକୁ କାଏମ ରଖିଛନ୍ତି । ଯାହାକୁ ବିରୋଧ କରି ଆସନ୍ତା ୧୨ ତାରିଖରେ ଭୁବନେଶ୍ବରରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ କଂଗ୍ରେସ । ଅଧିକ ପଢ଼ନ୍ତୁ

୧୨ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା
୧୨ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା

୧୨ରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ବର: ମୋଦି ସାଙ୍ଗିଆକୁ ନେଇ ଜାତିଗତ ଆକ୍ଷେପ ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବାପରେ ମଧ୍ୟ ଏହି ବିବାଦ ତାଙ୍କ ପିଛା ଛାଡ଼ିନାହିଁ । ସୁରଟ ସେସନ୍‌ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶକୁ ଗୁଜରାଟ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ଯହାକୁ ଖାରଜ କରିଦେବା ସହ ୨ ବର୍ଷ ଜେଲ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ଏହାପରେ ସାରା ଦେଶରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଗୁଡ଼ିକ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଦେଶବ୍ୟାପୀ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାକୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି । ଏନେଇ ଓଡ଼ିଶା କଂଗ୍ରେସ ମଧ୍ୟ ଆସନ୍ତା ୧୨ ତାରିଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଦେଶରେ ଗଣତନ୍ତ୍ରକୁ ବିଜେପି ବିପଦରେ ପକାଇଛି ବୋଲି ଅଭିଯୋଗ ଆଣି ଜୁଲାଇ ୧୨ ତାରିଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ କଂଗ୍ରେସ । ଏନେଇ ରାଜ୍ୟ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ବରେ ସୋମବାର ଏକ ବୈଠକ ବସିଥିଲା । ଏହି ବୈଠକରେ ଆନ୍ଦୋଳନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ପ୍ରତି ଯେଉଁ ଅନ୍ୟାୟ କରୁଛନ୍ତି, ଏହାକୁ ପ୍ରତିବାଦ କରି ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଜଣାଇଛନ୍ତି । ରାହୁଲ ଗାନ୍ଧୀଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶରତ । ରାହୁଲ ଗାନ୍ଧୀ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବେ, ତାଙ୍କ ସ୍ବରକୁ ଅଧିକ ଶାଣିତ କରିବାକୁ କଂଗ୍ରେସର ସମସ୍ତ ନେତା ଓ କର୍ମୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାହୁଲ ଗାନ୍ଧୀଙ୍କ କଣ୍ଠରୋଧ ପାଇଁ ଚକ୍ରାନ୍ତ କରୁଛି ବିଜେପି: ଛାତ୍ର କଂଗ୍ରେସ

ଶରତ ଆହୁରି କହିଛନ୍ତି, "ସାରା ରାଜ୍ୟରୁ ବାହୁ କଂଗ୍ରେସ ନେତା ଓ କଂଗ୍ରେସ ପ୍ରେମୀ ଏହି ଆନ୍ଦୋଳନରେ ସାମିଲ ହେବେ । ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରିଲେ, ଜନସାଧାରଣଙ୍କର ଅସଂଖ୍ୟ ଭଲପାଇବା ଏବଂ ଆଶୀର୍ବାଦ ବଳରେ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବିଜୟ ଲାଭ କଲା । ଏହାକୁ ଦେଖି ବିଜେପି ଭୟଭୀତ ହୋଇଯାଇଛି । ସେଥିପାଇଁ ଲୋକସଭାରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରିଛନ୍ତି ବିଜେପି ସରକାର । ଏହା ସହିତ ରାହୁଲଙ୍କୁ ବେଘର ମଧ୍ୟ କରିବକୁ ପଛେଇ ନାହାନ୍ତି କେନ୍ଦ୍ର ସରକାର ।" ହେଲେ କଂଗ୍ରେସ ଡରିବା ଦଳ ନୁହେଁ ବୋଲି କହିଛନ୍ତି ପିସିସି ସଭାପତି । ଆଜି କଂଗ୍ରେସ ଭବନରେ ଏହି ବୈଠକରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ସମେତ ଦଳର ବିଭିନ୍ନ ତୁଙ୍ଗ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.