ETV Bharat / state

ସବୁ ଦଳ ଭଳି କଂଗ୍ରେସରେ ମଧ୍ୟ ମତଭେଦ ଅଛି: ବିଜୟ ପଟ୍ଟନାୟକ

author img

By

Published : May 9, 2023, 10:51 PM IST

କଂଗ୍ରେସରେ ତେଜୁଛି ଅସନ୍ତୋଷ । ମୋକିମଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ପ୍ରଶ୍ନ ସୃଷ୍ଟି କରିଥିଲେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ତେବେ ସବୁ ଦଳ ଭଳି କଂଗ୍ରେସ ଭିତରେ ମଧ୍ୟ ଅସନ୍ତୋଷ ଥିବା ସ୍ବୀକାର କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

କଂଗ୍ରେସ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଏମିତି କହିଲେ ବିଜୟ
କଂଗ୍ରେସ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଏମିତି କହିଲେ ବିଜୟ

କଂଗ୍ରେସ ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଏମିତି କହିଲେ ବିଜୟ

ଭୁବନେଶ୍ବର: କଂଗ୍ରେସକୁ ଶନି ଦଶା ଘାରିଲା ଭଳି ଆଭ୍ୟନ୍ତରୀଣ ଅସନ୍ତୋଷ ଦଳର ପିଛା ଛାଡ଼ୁନି । ଉଗ୍ର ରୂପ ଧାରଣ କରୁଛି ଶରତ ବିରୋଧୀ ମେଳି । ପୁରୁଣା ନେତା ଯାଇ ନୂଆ ନେତା ଦାୟିତ୍ବ ନେବାର ଗୋଟିଏ ବର୍ଷ ପୁରିନି, ନୂଆ ନେତୃତ୍ବ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହେଲାଣି । ଆଗକୁ ନିର୍ବାଚନ ଆସୁଥିବାରୁ କଂଗ୍ରେସକୁ ଲୋକଙ୍କ ନିକଟତର କରିବାକୁ ପ୍ରୟାସ କରୁଛି ଦଳ । ହେଲେ ଭିତିରି କଳି ଦଳର ଉତ୍ଥାନରେ ପୁଣି ବାଧକ ସାଜୁଛି । କଂଗ୍ରେସରେ ସମସ୍ତେ ଏକାଠି ହୋଇ ଦଳକୁ ମଜବୁତ କରିବା ପରିବର୍ତ୍ତେ ଦଳର ନେତା ନେତୃତ୍ବକୁ ଚ୍ୟାଲେଞ୍ଜ କରି ଲୋକଙ୍କ ପାଖରେ କଂଗ୍ରେସର ଯେଉଁ ଛବି ସୃଷ୍ଟି କରୁଛନ୍ତି, ତାହା ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ସଦୃଶ । କର୍ମୀ ମହଲରେ ଉତ୍ସାହ ପରିବର୍ତ୍ତେ ହତାଶା ଭାବ ସୃଷ୍ଟି ହେଉଛି । ତେବେ କଂଗ୍ରେସରେ ଅସନ୍ତୋଷ ଅଛି ବୋଲି ସ୍ବୀକାର କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

କଂଗ୍ରେସରେ ଏବେ ଚିରଞ୍ଜୀବ ଝଡ଼କୁ ନେଇ ତେଜୁଛି ଅସନ୍ତୋଷ । ଯେତେ ଚେଷ୍ଟା କଲେ ବି ଦଳରେ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଥମିବାର ନାଁ ନେଉନାହିଁ । ଗତକାଲି ଭୁବନେଶ୍ବରରେ ଜାନକୀ-ବସନ୍ତ ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ରାଜ୍ୟ ମୁଖିଆ ଶରତ ପଟ୍ଟନାୟକଙ୍କ ବିରୋଧରେ ବିଷେଦଗାର କରିଥିଲେ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ । ଭରା ଦରବାରରେ ଚିରଞ୍ଜୀବ ଶରତଙ୍କୁ ନିଶାନା କରିଥିଲେ । ଶରତଙ୍କ କାର୍ଯ୍ୟଦକ୍ଷତା ଏବଂ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ ଚିରଞ୍ଜୀବ ବିଶ୍ବାଳ ଓ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସମେତ ଦଳର ଏକାଧିକ ବିଦ୍ରୋହୀ ନେତା । ୯ ରୁ ୯୦ ଲକ୍ଷ୍ୟ ନେଇ କଂଗ୍ରେସ ଆଗକୁ ବଢୁଛି, ହେଲେ ୧୪୭ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇପାରିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଥିଲେ ଚିରଞ୍ଜୀବ ।

ତେବେ ଏନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "୧୪୭ଟି ଆସନରେ ଭଲ ପ୍ରାର୍ଥୀ ଦେବ କଂଗ୍ରେସ । ପିସିସି ସଭାପତି ଏକ ବୈଠକ ଡାକିବା ନେଇ ମୋ ପାଖରେ ଖବର ଅଛି । ସବୁ ନେତା ମାନଙ୍କ ସହ ଆଲୋଚନା ହେବ । ସବୁ ଦଳ ଭିତରେ ଅସନ୍ତୋଷ ମତ ପାର୍ଥକ୍ୟ ଅଛି । କଂଗ୍ରେସରେ ମଧ୍ୟ ରହିଛି । କଂଗ୍ରେସରେ ବହୁ ବରିଷ୍ଠ ଅଭିଜ୍ଞ ସମ୍ପନ୍ନ ନେତା ଅଛନ୍ତି । ସମସ୍ତଙ୍କ ସହ ଆଲୋଚନା ହେବ । ଆଗାମୀ ଦିନରେ କଂଗ୍ରେସ କିଭଳି ଅଧିକ ସୁଦୃଢ ହେବ, ତାକୁ ନେଇ ଦଳ ଭିତରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.