ETV Bharat / state

2024 ପାଇଁ ଆକ୍ସନ ମୋଡରେ କଂଗ୍ରେସ; ଫୋକସରେ ଦକ୍ଷିଣ ଓଡ଼ିଶା

author img

By ETV Bharat Odisha Team

Published : Jan 13, 2024, 7:54 AM IST

Congress focus on South Odisha: 2024 ସାଧାରଣ ନିର୍ବାଚନରେ କଂଗ୍ରେସକୁ ଅଧିକ ସଂଗଠିତ କରି ଓଡିଶାବାସୀଙ୍କ ଆସ୍ଥାଭାଜନ କରିବା ଲକ୍ଷ୍ୟରେ ଏଆଇସିସି । ଦକ୍ଷିଣ ଓଡିଶାରେ କଂଗ୍ରେସର ସ୍ଥିତି ଭଲ ରହିଛି ବୋଲି ଦଳୀୟ ମହଲରେ ଆଲୋଚନା । ଅଧିକ ପଢ଼ନ୍ତୁ

କଂଗ୍ରେସ ଫୋକସରେ ସାଉଥ ଓଡ଼ିଶା
କଂଗ୍ରେସ ଫୋକସରେ ସାଉଥ ଓଡ଼ିଶା

କଂଗ୍ରେସ ଫୋକସରେ ସାଉଥ ଓଡ଼ିଶା

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନରେ କଂଗ୍ରେସକୁ ଅଧିକ ସଂଗଠିତ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ କରିବା ଲକ୍ଷ୍ୟରେ ଏଆଇସିସି । କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡ଼ିଶା । 24 ବର୍ଷ ଧରି କ୍ଷମତା ଠାରୁ ଦୂରରେ ଥିବା କଂଗ୍ରେସ କିଭଳି ଅଧିକ କ୍ରିୟାଶୀଳ ହୋଇ ଜନସାଧାରଣଙ୍କ ପସନ୍ଦ ପାଲଟିବ ସେନେଇ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରାଯାଉଛି । ପ୍ରଭାରୀ ପରିବର୍ତ୍ତନ କରାଯାଇ ନୂଆ ପ୍ରଭାରୀଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି । ପ୍ରଭାରୀଙ୍କ ପରେ ପିସିସି ଗଣମାଧ୍ୟମ ସେଲର ମୁଖିଆଙ୍କୁ ପରିବର୍ତ୍ତନ କରାଯାଇ ଯୁବନେତାଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ ।

ସେହିପରି ଖୁବଶୀଘ୍ର କଂଗ୍ରେସ ଦଳର ବିଭିନ୍ନ ସାଙ୍ଗଠନିକ ଛାମୁଆ ନେତାଙ୍କ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି । ଦଳକୁ ସୁଦୃଢ଼ କରିବାକୁ ହେଲେ ସଂଗଠନ ଦାୟିତ୍ୱରେ ଥିବା ନେତାଙ୍କୁ ପରିବର୍ତ୍ତନ କରିବାକୁ ପଡିବ ବୋଲି ଏଆଇସିସି ସ୍ଥିର କରିଛି । ସେପଟେ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଯାଇଛି ରଣନୀତି । କେଉଁ ଅଞ୍ଚଳରୁ ଦଳର ଅଧିକ ସିଟ ଜିତି ହେବ ସେନେଇ ମଧ୍ୟ ବରିଷ୍ଠ ନେତୃତ୍ୱ ସ୍ତରରେ ଆଲୋଚନା ଚାଲିଛି । ଗତ 2019 ନିର୍ବାଚନରେ ଯେଉଁ ଆସନରେ କମ ବ୍ୟବଧାନରେ କଂଗ୍ରେସ ହାରିଥିଲା ସେହି ସିଟଗୁଡିକୁ ଗୁରୁତ୍ୱ ଦେବାକୁ ପ୍ରଭାରୀ ଚର୍ଚ୍ଚା କରିଛନ୍ତି ।

ତେବେ ଉପକୂଳ, ଉତ୍ତର, ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାରେ ସ୍ଥିତି ଦେଖିଲେ ଦକ୍ଷିଣ ଓଡିଶାରେ କଂଗ୍ରେସର ସ୍ଥିତି ଭଲ ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । ପିସିସି ସଭାପତି ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଦକ୍ଷିଣ ଓଡ଼ିଶାର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । କେବଳ ବିଧାନସଭା ନୁହେଁ ଲୋକସଭାରେ ଅଧିକ ସିଟ୍ ହାତେଇବାକୁ ଦଳ ପ୍ରସ୍ତୁତ ହେଉଛି । ଆଦିବାସୀ ଅଧ୍ୟୁଷିତ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରିରେ କଂଗ୍ରେସ କିଭଳି ଅଧିକ ସିଟରେ ଜିତିବ ସେନେଇ ତାରାଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ତାରାଙ୍କୁ ବସ ଯାତ୍ରାର ସଂଯୋଜକ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତ...କଂଗ୍ରେସ ଫୋକସରେ ଯୁବବର୍ଗ, ଚର୍ଚ୍ଚାରେ ପରିବାରବାଦ ରାଜନୀତି

ତେବେ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । କଂଗ୍ରେସ ଦକ୍ଷିଣ ଓଡ଼ିଶାରେ ଭଲ ପ୍ରଦର୍ଶନ କଲେ ରାଜ୍ୟରେ ସରକାର ଗଢ଼ିବ । 9ରୁ 90 ନୁହେଁ ଆମେ ତା'ଠାରୁ ଅଧିକ ସିଟ ଜିତିବୁ । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ କେନ୍ଦ୍ରକରି ଆମେ ଜନତାଙ୍କ ପାଖକୁ ଯିବୁ । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଯୁବକ ଏବଂ ଯୁବତୀମାନେ ବେକାର ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ତେଣୁ ସାଧାରଣ ନିର୍ବାଚନରେ ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଦଳ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ।

କଂଗ୍ରେସର ଯେଉଁ ନେତାମାନେ ଅଳ୍ପ ଭୋଟରେ ହାରିଥିଲେ, ସେହି ନିର୍ବାଚନ ମଣ୍ଡଳୀଗୁଡିକୁ ଆମେ ଅଧିକ ଫୋକସ କରୁଛୁ । ବିଜେଡି ଏବଂ ବିଜେପିର ଖାସ୍ ନେତା ଏବେ କଂଗ୍ରେସ ହାତ ଧରିବାକୁ ଯାଉଛନ୍ତି । ଯେଉଁମାନେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ, ଯେଉଁମାନେ ବିଜେପି ଦଳ ଅସ୍ତିତ୍ୱ ନଥିବାବେଳେ ଲଢେଇ କରୁଥିଲେ, ସେଭଳି ବହୁ ନେତା ଏବେ କଂଗ୍ରେସ ଦଳରେ ମିଶିବେ । କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଖୁବଶୀଘ୍ର କଂଗ୍ରେସରେ ସାମିଲ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.