ETV Bharat / state

Kalia Assistance: କଂଗ୍ରେସ କହିଲା ଭୋଟ ରାଜନୀତି ପାଇଁ ସରକାର ଟଙ୍କା ବାଣ୍ଟୁଛନ୍ତି

author img

By ETV Bharat Odisha Team

Published : Sep 20, 2023, 10:46 PM IST

ଚାଷୀଙ୍କୁ ମିଳିଲା କାଳିଆ ସହାୟତା । ଆଗକୁ ନିର୍ବାଚନ ଆସୁଥିବାରୁ ଭୋଟ ରାଜନୀତି ପାଇଁ ସରକାର ଟଙ୍କା ବାଣ୍ଟୁଛନ୍ତି କହିଲା କଂଗ୍ରେସ । ଅଧିକ ପଢନ୍ତୁ

କାଳିଆ ସହାୟତା ନେଇ କଂଗ୍ରେସର ଅଭିଯୋଗ
କାଳିଆ ସହାୟତା ନେଇ କଂଗ୍ରେସର ଅଭିଯୋଗ

କାଳିଆ ସହାୟତା ନେଇ କଂଗ୍ରେସର ଅଭିଯୋଗ

ଭୁବନେଶ୍ବର: ନୂଆଖାଇରେ ଆଜି ମୁଖ୍ୟମନ୍ତ୍ରୀ ୪୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଟଙ୍କା ଦେଇଛନ୍ତି । ତେବେ ଏହି କାଳିଆ ସହାୟତା କେବଳ ଭୋଟ ହାତେଇବାକୁ ଏକ ଯୋଜନା । ଚାଷୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଭୋଟ ରାଜନୀତି ପାଇଁ ରାଜ୍ୟ ସରକାର କାଳିଆ ଟଙ୍କା ବାଣ୍ଟିଛନ୍ତି ବୋଲି ଅଭିଯୋଗ ଆଣିଛି କଂଗ୍ରେସ । ରାଜ୍ୟରେ ଆଜି ଚାଷୀ ଅବହେଳିତ । ଚାଷ ଓ ଚାଷୀର ସର୍ବାଙ୍ଗୀନ ବିକାଶ କରିବାରେ ସରକାର ବିଫଳ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ସରକାର ଆଜି ୪୪ ଲକ୍ଷରୁ ଊର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରକୁ ରବି ଫସଲ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ଯାଇଛି । ବର୍ଷକୁ ଦୁଇ ଥର କାଳିଆ ସହାୟତା ମିଳିଥାଏ । ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କୁ ଏହି ସହାୟତା ରାଶି ମିଳିଥାଏ । ଏହି କାଳିଆ ସହାୟତା ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପ୍ରକାଶ ପାଇଛି ।

ବିଜେଡି କହିଛି ସରକାର ସବୁବେଳେ କୃଷି ଓ କୃଷକଙ୍କୁ ସ୍ବାର୍ଥକୁ ଗୁରୁତ୍ବ ଦେଇଆସିଛି । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ସରକାର ଚାଷୀମାନଙ୍କୁ ପ୍ରତାରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବୋନସ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ସରକାର ଚାଷୀମାନଙ୍କୁ ସାର ବିହନ ଯୋଗାଇବାରେ ବିଫଳ । ଚାଷୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ ବୁଝି ସାରିଲେଣି । ଏହାର ଜବାବ ଦେବେ । ବିଜେଡି ଯେତେ ଯୋଜନା କଲେ କଣ ହେବ, ୨୪ ବର୍ଷ ଶାସନ କରିଥିବା ସରକାର ଯଦି ଚାଷୀଙ୍କ ପାଇଁ କିଛି କରିଥାନ୍ତେ ତାହେଲେ ଚାଷୀ ଆଜି କାହିଁକି ଆତ୍ମହତ୍ୟା କରିଥାନ୍ତେ !

ଏହାମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି: ଚାଷୀଙ୍କ ଖାତାକୁ ଗଲା ୯୦୦ କୋଟି କାଳିଆ ଟଙ୍କା

ନିର୍ବାଚନ ପାଖେଇ ଆସିବାରୁ ୪ ମାସ ପାଇଁ ୨ ହଜାର ଟଙ୍କା ଲେଖାଏଁ ପଠେଇ ଚାଷୀମାନଙ୍କ ଉପରେ ନଜର ରଖିଛନ୍ତି । ଚାଷୀମାନଙ୍କୁ ଜଳସେଚନ ସୁବିଧା ଦେଇପାରିଲେ ନାହିଁ । ରାଜ୍ୟରେ ମଣ୍ଡି ସମସ୍ୟା ଉତ୍କଟ ରହିଛି । ଭୋଟ ଆସିଗଲା ବୋଲି ଏମିତି ସକ୍ରିୟ ହେଉଛନ୍ତି । ଚାଷୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ, କେବଳ ଭୋଟ ପାଇଁ ଟଙ୍କା ଦେଉଛନ୍ତି । ସବୁ କ୍ଷେତ୍ରରେ ଏ ସରକାର ବିଫଳ । ଚାଷୀଙ୍କ ସାମଗ୍ରୀ ବିକ୍ରି ପାଇଁ ସରକାର ଚିନ୍ତା କରୁନାହାନ୍ତି । ଆଗାମୀ ଦିନରେ ଲୋକେ ଉଚିତ ଜବାବ ଦେବେ ।

ରାଜ୍ୟରେ ଚାଷୀ ପ୍ରାଇସ, ପେନସନ,ପ୍ରେଷ୍ଟିଜ ପାଇଁ ରାଜରାସ୍ତାରେ ବହୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହେଲେ ସରକାର ନୀରବ । ଚାଷୀ ସମସ୍ୟାକୁ ନେଇ ସରକାର କେବେ ଚିନ୍ତିତ ନୁହନ୍ତି । ଦଳ ଲୋକମାନଙ୍କୁ କାଳିଆ ଟଙ୍କା ଦିଆଯାଉଛି । କେବଳ ଭୋଟ ପାଇଁ ଯୋଜନା କରୁଛନ୍ତି ସରକାର । ସବୁ ଯୋଜନାରେ କେବଳ ଦଳୀୟ କର୍ମୀମାନଙ୍କୁ ଦିଆଯାଉଛି । ହେଲେ ଲୋକେ ଆଉ ଶୁଣିବେ ନାହିଁ । ଏଥର ଜବାବ ଦେବେ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.