ETV Bharat / state

ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ଚେତାବନୀ

author img

By

Published : Apr 5, 2023, 12:35 PM IST

ଦୀର୍ଘ 6 ମାସର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଆଉ ବ୍ୟବସାୟ ସଂଘ ମଧ୍ୟରେ ଦେଖାଦେଇଛି ବିବାଦ । ଅନିର୍ଦ୍ଧିଷ୍ଟ କାଳ ଯାଏଁ ମାର୍କେଟ ବିଲ୍ଡିଂ ବନ୍ଦ ଚେତାବନୀ ଦେଲା ସଂଘ । ଅଧିକ ପଢନ୍ତୁ

trade union protest
trade union protest

trade union protest

ଭୁବନେଶ୍ବର: ପୁଣି ମାର୍କେଟ ବିଲ୍ଡିଂକୁ ଘାରିଲାଣି ଉଠାଦୋକାନୀ ଚିନ୍ତା । ପ୍ରମୁଖ ବ୍ୟବସାୟୀ କେନ୍ଦ୍ର ମାର୍କେଟ ବିଲ୍ଡିଂକୁ ନେଇ ପୁଣିଥରେ ବିବାଦ ମୁଣ୍ଡ ଟେକିଛି । ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଶୀତଳଯୁଦ୍ଧ । ଦୀର୍ଘ 6 ମାସ ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଆଉ ବ୍ୟବସାୟ ସଂଘ ମଧ୍ୟରେ ବିବାଦ ଦେଖାଦେଇଛି । ଗତ ୧୫ ଦିନ ହେବ ମାର୍କେଟ ବିଲ୍ଡିଂ ପରିସର‌ରେ ଜବରଦସ୍ତି କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିଥିବାରୁ ବିବାଦ ସୃଷ୍ଟି ହୋଇଛି । ସୁରକ୍ଷାକର୍ମୀ ଓ ପୋଲିସର ବାରଣ ସତ୍ତ୍ବେ ଉଠାଦୋକନା ବ୍ୟବସାୟ କରୁଛନ୍ତି ।

ଅଦାଲତ ନିର୍ଦ୍ଦେଶ ରହିଛି ବୋଲି ଦର୍ଶାଇ ଏମାନେ ବ୍ୟବସାୟ ଆରମ୍ଭ କରିଛନ୍ତି । ଏନେଇ ମାର୍କେଟ ବିଲ୍ଡିଂ ବନ୍ଦ କରି ବ୍ୟବସାୟୀ ସଂଘ ଉଭୟ ବିଏମ୍‌ସି ମେୟର ଓ କମିଶନରଙ୍କୁ ଭେଟିଥିଲେ । ମେୟର ସୁଲୋଚନା ଦାସ କୌଣସି ମନ୍ତବ୍ୟ ଦେଇ ନଥିବାବେଳେ କମିଶନର ବିଜୟ ଅମୃତା କୁଲାଙ୍ଗେ 3 ଦିନ ସମୟ ମାଗିବା ସହ ଏହାରି ଭିତରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ।

ଅନ୍ୟପଟେ ତିନି ଦିନ ମଧ୍ୟରେ ମାର୍କେଟ ବିଲ୍ଡିଂ ପରିସରରୁ ଉଠାଦୋକାନୀ ନ ହଟିଲେ ବ୍ୟବସାୟ ସଂଘ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ରଣଜୀତ ମହାନ୍ତି କହିଛନ୍ତି । ଖାଲି ସେତିକି ନୁହେଁ ଯଦି ପୁଣି ପୂର୍ବ ପରି ପ୍ରଶାସନ ପ୍ରତିଶ୍ରୁତି ଦେଇ ତାର ଅନୁପାଳନ ନକରେ ତେବେ ଆଗକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ପୁଣିଥରେ ମାର୍କେଟ ବିଲ୍ଡିଂ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ସଂଘ ।

ଏଠାରେ ପ୍ରାୟ ୨୫୦ରୁ ଅଧିକ ସ୍ଥାୟୀ ଦୋକାନୀ ଟ୍ରେଡ ଲାଇସେନ୍ସ କରି ବ୍ୟବସାୟ କରୁଥିବା ବେଳେ ଉଠାଦୋକାନୀଙ୍କୁ ବିରୋଧ କରିଛନ୍ତି । ଦୀର୍ଘ ୬ ମାସ ହେବ ଏହି ବିବାଦର ସମାଧାନ ହୋଇଥିବା ବେଳେ ଗତ ୧୫ ଦିନ ହେବ କିଛି ଉଠାଦୋକାନୀଙ୍କ ବ୍ୟବସାୟ ଯୋଗୁଁ ପୁଣି ବିବାଦ ସାମ୍ନାକୁ ଆସିଛି । ଗତ ୧୦ ଦିନ ପୂର୍ବେ ବ୍ୟବସାୟୀ ସଂଘ ବିଏମ୍‌ସି କମିଶନରଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରିଥିଲେ । କମିଶନର ସମାଧାନର ପ୍ରତିଶ୍ରୁତି ଦେଇଥିଲେ ହେଁ ୧୦ଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନେଲେ ନାହିଁ ।

ଏନେଇ ପୁଣି ବ୍ୟବସାୟୀ ସଂଘ ବିଏମ୍‌ସି କାର୍ଯ୍ୟାଳୟ ଯାଇ ମେୟରଙ୍କୁ ଅବଗତ କରିଥିଲେ । ହେଲେ ମେୟର କୌଣସି ମନ୍ତବ୍ୟ ଦେଇ ନଥିବାବେଳେ ପୁଣି କମିଶନରଙ୍କୁ ଭେଟିଥିଲେ । କମିଶନର 3ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ବ୍ୟବସାୟୀ ସଂଘ ମାର୍କେଟ ଖୋଲିଥିଲେ । ମାର୍କେଟ ପରିସରରୁ ଉଠାଦୋକାନୀ ନ ଉଠିଲେ ଆଗାମୀ ବୈଠକରେ ନିଷ୍ପତ୍ତି ନିଆଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ଗତ ୬ ମାସ ତଳେ ସ୍ଥାୟୀ ବ୍ୟବସାୟୀ ଏବଂ ଉଠାବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ବିଏମ୍‌ସି ହସ୍ତକ୍ଷେପରେ ସମସ୍ୟାର ସମାଧାନ କରାଯାଇ ପରିସରରୁ ଉଠାଦୋକାନୀଙ୍କୁ ହଟା ଯାଇଥିଲା । ତଦାରଖ ପାଇଁ ବିଏମ୍‌ସି ପକ୍ଷରୁ କ୍ୟାପିଟାଲ ଥାନାଧିକାରୀ, ଡିସିପି ଏବଂ ଏସିପିଙ୍କୁ ତଦାରଖ ପାଇଁ ଚିଠି କରିଥିଲେ । ହେଲେ ସମୟକ୍ରମେ ଆଉ ତଦାରଖ କରାଯାଉ ନାହିଁ କି କ୍ୟାପିଟାଲ ପୋଲିସ ବି ଏମାନଙ୍କର ସମସ୍ୟାରେ ମୁଣ୍ଡ ଖେଳାଉ ନାହିଁ । ତେଣୁକରି ପୁଣି ଏଠାରେ ଅବାଧ ପ୍ରବେଶ କରିଛନ୍ତି ଉଠାଦୋକାନୀ । ବାରଣ ସତ୍ୱେ ବି ତାଙ୍କର ପସରା ମେଲାଇ ବ୍ୟବସାୟ କରୁଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ଚାହୁଁଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଙ୍ଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.