ETV Bharat / state

ଖାଦ୍ୟ ସୁରକ୍ଷା ଯୋଜନାର ସମୀକ୍ଷା, ୧୦ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ

author img

By

Published : May 22, 2023, 9:24 PM IST

ତ୍ୱରାନ୍ୱିତ ହୋଇଛି ଖାଦ୍ୟ ସୁରକ୍ଷା ଯୋଜନା । ଚଳିତବର୍ଷ ଏହି ଯୋଜନାରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

review of food security plan
ଖାଦ୍ୟ ସୁରକ୍ଷା ଯୋଜନାର ସମୀକ୍ଷା

ଖାଦ୍ୟ ସୁରକ୍ଷା ଯୋଜନାର ସମୀକ୍ଷା

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭାଗ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ହାସଲ କରିଥିବା ସଫଳତା ସହ ସରକାର ଦେଇଥିବା ପ୍ରତିଶୃତି ପୂରଣ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଥିଲା । ସେ ଅନୁଯାୟୀ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହା ସହ ଭିଟାମିନ ଯୁକ୍ତ ଚାଉଳ ସମସ୍ତ ୩୦ଟି ଜିଲ୍ଲାରେ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "କୌଣସି ଯୋଗ୍ୟ ଓ ଦୁଃଖି ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯିବନାହିଁ । ସେମାନଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ ନିମିତ୍ତ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପ୍ରକ୍ରିୟାକୁ ନିରନ୍ତର କରାଯାଇଛି । ବିଭାଗ ଦ୍ୱାରା ବୟସ୍କ, ଅକ୍ଷମ ଏବଂ ଅସୁସ୍ଥ ରୋଗୀଙ୍କୁ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଧିକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ପ୍ରାୟ ୬୦% ଖାଉଟି ସାମଗ୍ରୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତଙ୍କ ଦ୍ୱାରା ବଣ୍ଟନ କରାଯାଉଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ପ୍ରାୟ ୬୮୭ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଛନ୍ତି ।"



ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ର ସରକାର ରାଜ୍ୟ ରାଙ୍କିଂ ଇଣ୍ଡେକ୍ସ ୨୦୨୧-୨୨ରେ ଓଡ଼ିଶା ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି । ଆଇଆଇଏମ ଅହମ୍ମଦାବାଦ ଦ୍ୱାରା ଓଡିଶାରେ NFSA ଏବଂ SFSSର ସଫଳ କାର୍ଯ୍ୟକାରିତାକୁ ଏକ କେସ ଷ୍ଟଡି ଭାବରେ ଗ୍ରହଣ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ, ସମନ୍ବିତ ଶିଶୁ ବିକାଶ ଯୋଜନା, ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ତଥା FCI ଜରିଆରେ ସେଣ୍ଟ୍ରାଲ ପୁଲକୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦେବାରେ ରାଜ୍ୟ ଅଗ୍ରଣୀ ଭୂମିକା ଅର୍ଜନ କରିଛି । ସାଟେଲାଇଟ ଜ୍ଞାନକୌଶଳ ବ୍ୟବହାର କରି ଧାନ ଫସଲ ହେଉଥିବା ଅଞ୍ଚଳର ଗ୍ରାମୱାରୀ ଏବଂ ପ୍ଲଟସ୍ତରରେ ଏହାର ବିଶ୍ଳେଷଣ ପାଇଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ “Planet Purpose Award 2023” ପ୍ରଦାନ କରାଯାଇଛି ।


ଗତ ୪ ବର୍ଷ ମଧ୍ୟରେ ଧାନକ୍ରୟ ପ୍ରକ୍ରିୟାରେ ନାମମାତ୍ର ଚାଷୀଙ୍କ ଅଂଶଗ୍ରହଣ ୩୦୦%କୁ ବୃଦ୍ଧି ପାଇଛି । କ୍ଷୁଦ୍ର ଚାଷୀଙ୍କ ଅଂଶଗ୍ରହଣ ୬୦%କୁ ବୃଦ୍ଧି ପାଇଛି । ଯେଉଁମାନେ ନିଜ ଧାନ ସରକାରଙ୍କୁ ବିକ୍ରୟ କରି ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରୁଛନ୍ତି । ଗତ ୪ ବର୍ଷ ମଧ୍ୟରେ ୫ ଲକ୍ଷ ଚାଷୀ ସରକାରଙ୍କୁ ସେମାନଙ୍କ ବଳକା ଧାନ ବିକ୍ରୟ କରିବାପାଇଁ ପଞ୍ଜିକରଣ କରିଛନ୍ତି । ବିଭାଗ ଚାଷୀମାନଙ୍କୁ ସେମାନଙ୍କ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ଦେୟ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପ୍ରଦାନ ସୁନିଶ୍ଚିତ କରୁଛି । ଯାହା ଦେଶରେ ଦ୍ରୁତତମ ଅଟେ । ମାଲକାନଗିରି ଜିଲ୍ଲାରେ ପାଇଲଟ ରୂପେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ କୁ କାର୍ଯ୍ୟକାରୀ କଲାପରେ, ଏହା ୩୦ ଗୋଟି ଜିଲ୍ଲାରେ, ସମସ୍ତ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ବଣ୍ଟନ କରାଯାଉଛି । ଏହା ହିତାଧିକାରୀମାନଙ୍କର, ପୁଷ୍ଟିକର ଚାହିଦା ମେଣ୍ଟାଇବାରେ ସହାୟକ ହେବ । ଓଡିଶା ଏହି ଯୋଜନାକୁ ଲାଗୁ କରିବାରେ ପ୍ରଥମ ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.