ETV Bharat / state

International Convention on Millets: ଦୁଇ ଦିନିଆ ମିଲେଟ ସମ୍ମିଳନୀ ଶୁଭାରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 9, 2023, 7:24 PM IST

ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପସ୍ଥିତ ଥିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ସଚିବ ଅରବିନ୍ଦ ପାଢୀ ଓ ବରିଷ୍ଠ ଅଧିକାରୀ । ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଆସିଛନ୍ତି । ଅଧିକ ପଢନ୍ତୁ

ଦୁଇ ଦିନିଆ ମିଲେଟ ସମ୍ମିଳନୀ ଶୁଭାରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଦୁଇ ଦିନିଆ ମିଲେଟ ସମ୍ମିଳନୀ ଶୁଭାରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଦୁଇ ଦିନିଆ ମିଲେଟ ସମ୍ମିଳନୀ ଶୁଭାରମ୍ଭ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବର ଜନତା ମଇଦାନରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଅନ୍ତର୍ଜାତୀୟ ମିଲେଟ ସମ୍ମିଳନୀ । ଜନତା ମଇଦାନରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପସ୍ଥିତ ଥିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କୃଷି ସଚିବ ଅରବିନ୍ଦ ପାଢୀ ଓ ବରିଷ୍ଠ ଅଧିକାରୀ । ସମ୍ମିଳନୀକୁ ୩୦ ଜିଲ୍ଲାରୁ ମାଣ୍ଡିଆ ଚାଷୀଙ୍କ ସହ ଦେଶ ଓ ବିଦେଶରୁ ପ୍ରାୟ ୩୦୦ ପ୍ରତିନିଧି ଆସିଛନ୍ତି । ମାଣ୍ଡିଆ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରିବାରେ ଓଡିଶା ସାରା ଭାରତରେ ପ୍ରଥମ ।

ଅଧିକ ପଢନ୍ତୁ- ନଭେମ୍ବର ୯ରୁ ୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ, ଦେଶ ବିଦେଶରୁ ସାମିଲ ହେବେ ୩୦୦ ପ୍ରତିନିଧି

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ଯୁଗ ଯୁଗରୁ ପୁଷ୍ଟିଶସ୍ୟ ବା ମିଲେଟ ଆମ ଖାଦ୍ୟପେୟର ଏକ ବିଶେଷ ଅଂଶ ହୋଇ ରହିଆସିଛି । ଓଡ଼ିଶାରେ ଏହାକୁ ବିଶେଷତଃ ଆଦିବାସୀ ସମ୍ପ୍ରଦାୟର କୃଷକମାନେ ଚାଷ କରି ଆସୁଛନ୍ତି । ସେମାନଙ୍କ ପାଇଁ ଏହି ମୂଲ୍ୟବାନ ଶସ୍ୟ ଆଜି ବି ବଞ୍ଚି ରହିଛି ଓ ବର୍ତ୍ତମାନର ପିଢି ପାଖରେ ପହଞ୍ଚି ପାରିଛି । ପୁଷ୍ଟିଶସ୍ୟ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୭ରେ ମୋ ସରକାର ଓଡ଼ିଶା ମିଲେଟ ମିଶନର ଶୁଭାରମ୍ଭ କରିଥିଲେ । ଏହି ମିଶନ ଜରିଆରେ ଆମେ ଏସବୁ ପୁଷ୍ଟିକର ଶସ୍ୟକୁ ବର୍ତ୍ତମାନର ଖାଦ୍ୟ ପ୍ରଣାଳୀରେ ଏକ ଅନିର୍ବାଯ୍ୟ ଅଂଶ ଭାବେ ଗ୍ରହଣ କରି ପୁନଃରୁଦ୍ଧାର କରିବା ଲାଗି ଲକ୍ଷ୍ୟ ରଖିଛୁ । ମିଲେଟ ଆମକୁ ଅନେକ ବିଶେଷ ସ୍ଵାସ୍ଥ୍ୟଗତ ସୁବିଧାମାନ ପ୍ରଦାନ କରିଥାଏ । ଜଳବାୟୁ ଅନୁକୂଳ ଏହି ଶସ୍ୟ ଯେ କୌଣସି ଜଳବାୟୁ ଏବଂ ଭୂଭାଗରେ ଅମଳ ହୋଇପାରୁଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କୁ ଏହା ବିଶେଷ ଭାବରେ ସାହାଯ୍ୟ କରିଥାଏ ।’’

ଅଧିକ ପଢନ୍ତୁ- G20 summit: ବିଭିନ୍ନ ରାଷ୍ଟ୍ରମୁଖ୍ଯଙ୍କ ପତ୍ନୀଙ୍କୁ ଭେଟିଲେ ମୟୂରଭଞ୍ଜର ମିଲେଟ୍‌ ଚାଷୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମିଲେଟ ଚାଷରେ ସ୍ଵଳ୍ପ ପାଣି ବ୍ୟବହାର ହେଉଥିବାରୁ ଓ ଏହି ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଉତ୍ପନ କମ ରହୁଥିବା କାରଣରୁ ଏହା ପରିବେଶ ଅନୁକୂଳ ଅଟେ । ୨୦୨୩ ମସିହାକୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ବର୍ଷ ଭାବରେ ଘୋଷଣା କରି ମିଳିତ ଜାତିସଂଘ ଓ ଖାଦ୍ୟ ଓ କୃଷି ସଂଗଠନ ବିଶ୍ଵସ୍ତରରେ ଏହି ଶସ୍ୟ ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି । ଏହି ପ୍ରାଚୀନ ଶସ୍ୟ ଆଧୁନିକ ସମୟର ସମସ୍ୟା ଓ ଆହ୍ବାନ ଗୁଡିକ ଲାଗି ପ୍ରକୃଷ୍ଟ ଉତ୍ତର ବୋଲି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏଥିଲାଗି ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଏହି ପ୍ରଚେଷ୍ଟାକୁ ଆଉ ପାଦେ ଆଗକୁ ନେବାକୁ ଯାଇ ଓଡିଶାର କୃଷକ, ମିଲେଟ ମା’, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଖେଳାଳୀ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ଏଫ.ପି.ଓ, ଉଦ୍ୟୋଗୀ, ଡାକ୍ତର, ହୋଟେଲମାନଙ୍କର ସକ୍ରିୟ ସହଯୋଗରେ ପ୍ରଥମ ମାଣ୍ଡିଆ ଦିବସ ୧୦ ନଭେମ୍ବର ୨୦୨୨ ରୁ ଆରମ୍ଭ କରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ପର୍ଯ୍ୟନ୍ତ ଏକ ସଫଳ ଯାତ୍ରା ସମ୍ପନ୍ନ କରିବାକୁ ଯାଉଛି ।

ଅଧିକ ପଢନ୍ତୁ- ନଭେମ୍ବରରେ ଆନ୍ତର୍ଜାତିକ ମିଲେଟ ସମ୍ମିଳନୀ: ମିଲେଟ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର ଓ ଚାଷକୁ ପ୍ରୋତ୍ସାହନ ଲକ୍ଷ୍ୟ

ପୁଷ୍ଟିଶସ୍ୟର ପୁନଃରୁଦ୍ଧାର କରିବା ସହିତ ଏହାକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ଉଭୟ ପ୍ରଶାସନ ଓ ସମାଜକୁ ନେଇ ଏକ ସାମଗ୍ରୀକ ଆଭିମୁଖ୍ୟ ଗ୍ରହଣ କରିଛି । ଏହି ମହତ ପ୍ରୟାସ ସହିତ ପ୍ରତ୍ୟେକ ସାଧାରଣ ଲୋକର ଖାଇବା ଥାଳିରେ ମିଲେଟ ଭଳି ଏକ ସର୍ବୋତ୍ତମ ଖାଦ୍ୟ ପହଞ୍ଚାଇବାକୁ ଆମ ରାଜ୍ୟ ସର୍ବୋତ୍ତଭାବେ କାର୍ଯ୍ୟ କରିବ । ମିଲେଟ ଓ ମିଲେଟ ଭିତ୍ତିକ ଉଦ୍ୟୋଗ ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଆମର ଉଦ୍ଦେଶ୍ୟ । ଆମେ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ନାଗରିକଙ୍କ ମଧ୍ୟରେ ଏକ ସକରାତ୍ମକ ଦୃଷ୍ଟିକୋଣ ବିକଶିତ କରି ରାଜ୍ୟ ସ୍ଵାସ୍ଥ୍ୟ ସୂଚକାଙ୍କକୁ ଉନ୍ନତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ମୁଁ ଆଶା କରୁଛି, ଏହି ଅନନ୍ୟ ଶସ୍ୟ ଆଜିର ସମାଜରେ ତା’ର ଯୋଗ୍ୟ ସ୍ଵୀକୃତି ଫେରିପାଇବ ଏବଂ ସୁସ୍ଥ ଜୀବନଯାପନ କରିବାରେ ଆମ୍ଭମାନଙ୍କୁ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.