ETV Bharat / state

ଟିମ ନବୀନର ପ୍ରଥମ ବୈଠକ, ଉପନିର୍ବାଚନ ଓ ବିଜେଡି ସଂଗଠନ ନେଇ ହେବ ଆଲୋଚନା

author img

By

Published : Mar 31, 2023, 11:03 AM IST

ଜାପାନ ଗସ୍ତ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବସିବ ଟିମ ନବୀନର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

cm naveen patanaik
cm naveen patanaik

ଭୁବନେଶ୍ବର: ଜାପାନ ଗସ୍ତ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସନ୍ଧ୍ୟା 7ରେ ବସିବ ପର୍ଯ୍ୟବେକ୍ଷକଙ୍କ ବୈଠକ । ଝାରସୁଗୁଡା ଉପନିର୍ବାଚନ, ବିଦେଶ ଗସ୍ତ ସମୟରେ ଦଳକୁ ନିୟନ୍ତ୍ରଣ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ କରିବେ ଆଲୋଚନା । ନବୀନ ନିବାସରେ ବସିବ ଟିମ ନବୀନର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା 7ଟା ରେ ବସିବାକୁ ଥିବା ବୈଠକରେ 25 ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ଝାରସୁଗୁଡା ଉପନିର୍ବାଚନ ଓ ବିଜେଡି ସଂଗଠନ ନେଇ ବୈଠକରେ ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା ।

ରାଜ୍ୟ ବିଜେପି ସଭାପତି ପରିବର୍ତ୍ତନ ସହ ବିଧାନସଭା ଭିତରେ ଏବଂ ଗେରୁଆ ଦଳ ବିଜେଡି ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେହିପରି ବିଜେପିର କେନ୍ଦ୍ରୀୟ ନେତାଙ୍କ ବିଜେଡି ପ୍ରତି କଡା ଆଭିମୁଖ୍ୟ ଓ ରାହୁଲ ଗାନ୍ଧୀ ପ୍ରକରଣ ପରେ କଂଗ୍ରେସର ବଳଗୋଟା ଅଭିଯାନ ବିଜେଡିକୁ ଚିନ୍ତାରେ ପକେଇଛି । ଆଗାମୀ ରାଜନୈତିକ ଚ୍ୟାଲେଞ୍ଜକୁ ମୁକାବିଲା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ଟିମ ନବୀନ । 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି 30 ଜିଲ୍ଲା ପାଇଁ 25 ପର୍ଯ୍ୟବେକ୍ଷକ ବା ସେନାପତି ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ । ଯେଉଁଥିରୁ ସର୍ବାଧିକ 4ଟି ଜିଲ୍ଲାର ଦାୟିତ୍ୱରେ ରହିଛନ୍ତି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ସେହିପରି ଓଡିଶାରୁ ନିର୍ବାଚନ ଲଢ଼ିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଇସାରା ଦେବା ପରେ ତାଙ୍କୁ ଅଟକେଇବାକୁ ଅଣ୍ଟା ଭିଡ଼ିଛି ବିଜେଡି । ମୁକାବିଲା ଲାଗି ବିଜେଡି ସେନାପତି ବବିଙ୍କ କାନ୍ଧରେ ରହିଛି ଅନୁଗୋଳ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱ । ସେହିପରି 24 ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏପରି ସ୍ଥିତିରେ ଝାରସୁଗୁଡା ଉପନିର୍ବାଚନ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଝାରସୁଗୁଡା ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି ରାଉଲକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ ।

3 ଦିନିଆ ଓଡିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ବିଧାୟକ ଆଇନ ଶୃଙ୍ଖଳା କଥା ଉଠାଇ ଶାସକ ଦଳକୁ ଘେରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା, ନାବାଳକ ଅପହରଣ ପରେ ହତ୍ୟା ଘଟଣା, ଜାଲି ସାର୍ଟିଫିକେଟ ରାକେଟରେ ବିଜେଡି ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ଶାସକ ଦଳକୁ ଆକ୍ରମଣ କରୁଛନ୍ତି ବିରୋଧୀ । ମନ୍ତ୍ରୀଙ୍କ ମୃତ୍ୟୁକୁ 2 ମାସ ବିତିଥିଲେ ବି ହତ୍ୟା ଏବେ ବି ରହସ୍ୟ ଘେରରେ ରହିଛି । ରାଜ୍ୟର ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ନିର୍ବାଚନକୁ ଓହ୍ଲେଇବେ ବୋଲି କଂଗ୍ରେସ ଓ ବିଜେପି ଘୋଷଣା କରିଛନ୍ତି । ଯାହା ବିଜେଡିର ମୁଣ୍ଡବିନ୍ଧାର କାରଣ ସାଜିଛି । ନିର୍ବାଚନ ସମୟରେ ହତ୍ୟା ଘଟଣାକୁ ନେଇ ଅଡୁଆରେ ପଡିବା ପୂର୍ବରୁ ବୈଠକରେ ଯୋଜନା ପ୍ରସ୍ତୁତ କରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.