ETV Bharat / state

Budget Session: ସବୁ ବର୍ଗର ଲୋକଙ୍କୁ ସଶକ୍ତ କରିବା ମୋ ସରକାରର ଲକ୍ଷ୍ୟ: ରାଜ୍ୟପାଳ

author img

By

Published : Feb 21, 2023, 6:17 PM IST

ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ଏପ୍ରିଲ 2020ରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତରେ ଖୋଲା ମଳତ୍ୟାଗ ମୁକ୍ତ କାର୍ଯ୍ୟକ୍ରମର ସ୍ଥାୟିତ୍ବ , କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସମସ୍ତ ଗ୍ରାମକୁ ଓଡିଏଫ ପ୍ଲସ ମାନ୍ୟତା ଦେବା । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର 12 ତମ ଅଧିବେଶନର ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ଯାଏଁ, ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ୍ଚ 10 ରୁ ଏପ୍ରିଲ 6 ପର୍ଯ୍ୟନ୍ତ ଚାଲିବ । ବଜେଟ ଅଧିବେଶନରେ ୨୭ଟି କାର୍ଯ୍ୟଦିବସ ରହିଛି। । ଆସନ୍ତା 24 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ବିଧାନସଭାରେ ଆଗତ କରିବେ । ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ବିରୋଧୀଙ୍କ ହଟ୍ଟଗୋଳ, କକ୍ଷତ୍ୟାଗ ମଧ୍ୟରେ ରାଜ୍ୟପାଳ ନିଜର ପୁରା ଅଭିଭାଷଣ ପଢିଥିଲେ ।

ଏହାବି ପଢନ୍ତୁ- Budget Session: ରାଜ୍ୟପାଳଙ୍କ ଅଭିଭାଷଣକୁ ବିଜେପିର ବର୍ଜନ, କାଲି ଯାଏ ଗୃହ ମୁଲତବୀ

ରାଜ୍ୟପାଳ ନିଜ ଅଭିଭାଷଣରେ ସରକାରଙ୍କ ରାଜ୍ୟ ପ୍ରତି, ତଥା ଲୋକମାନଙ୍କ ପ୍ରତି ଥିବା ଗୁରୁତ୍ବପୂର୍ଣ୍ଣ ଅବଦାନ ସମ୍ପର୍କରେ କହିଥିଲେ । ଯେଉଁଥିରେ ରହିଛି ଶ୍ରମଜୀବୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ମଜୁରୀ ଭିତ୍ତିକ କର୍ମନିଯୁକ୍ତି ଯୋଗାଇବାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା । ଚଳିତବର୍ଷ ରାଜ୍ୟରେ 25 କୋଟି ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ 30 ଲକ୍ଷ ପରିବାର ଓ 46 ଲକ୍ଷ ଶ୍ରମଜୀବୀଙ୍କୁ ରୋଜଗାର ମିଳିପାରିବ । ଏତତ ବ୍ୟତୀତ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି କଟକର ରୂପା ତାରକଷି, କଣ୍ଟିଲୋର କଂସା ଓ ପିତଳ କାରୁକାର୍ଯ୍ୟ ଏବଂ କେନ୍ଦ୍ରାପଡାର କାଇଁଚ ଘାସ କାରୁକାର୍ଯ୍ୟର ଭୌଗୋଳିକ ସୂଚକାଙ୍କ ପଞ୍ଜିକରଣ ପାଇଁ ସୂଚକାଙ୍କ ନିବନ୍ଧକଙ୍କ ନିକଟରେ ଆବେଦନ କରାଯାଇଥିବା କହିଥିଲେ । ବେଲଗୁଣ୍ଠାର ନମନୀୟ ପିତଳ ମାଛ ଏବଂ ବରପାଲିର ଟେରାକୋଟା ଟାଇଲର ଜିଆଇ ଟ୍ୟାଗ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପଞ୍ଚଦଶ ଅର୍ଥ ଆୟୋଗ ଏବଂ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ସୁପାରିଶ ଅନୁଯାୟୀ ମୌଳିକ ସେବା ଯଥା ପରିମଳ, ପାନୀୟ ଜଳ ଯୋଗାଣ , ବର୍ଷାଜଳ ସଂରକ୍ଷଣ ତଥା ସ୍ଥାୟୀ ସମ୍ପତ୍ତି ସୃଷ୍ଟି ପାଇଁ ମୋ ସରକାର ଯଥେଷ୍ଟ ସମ୍ବଳ ନିର୍ଦ୍ଧାରଣ କରିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।

ସେହିପରି ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି ଏପ୍ରିଲ 2020ରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତରେ ଖୋଲା ମଳତ୍ୟାଗ ମୁକ୍ତ କାର୍ଯ୍ୟକ୍ରମର ସ୍ଥାୟିତ୍ବ , କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସମସ୍ତ ଗ୍ରାମକୁ ଓଡିଏଫ ପ୍ଲସ ମାନ୍ୟତା ଦେବା । ସେହି ଅନୁଯାୟୀ, ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ କାର୍ଯ୍ୟକ୍ରମ, ମନରେଗା ଏବଂ ଅର୍ଥ ଆୟୋଗ ଅନୁଦାନ ମଧ୍ୟରେ ସଠିକ ସମନ୍ବୟ ରକ୍ଷା କରି ପରିମଳ ଏବଂ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦେଇ ଗ୍ରାମ୍ୟ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି । 2023-24 ସୁଦ୍ଧା ସମସ୍ତ ଗ୍ରାମପଞ୍ଚାୟତରୁ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟରେ ସାମିଲ କରିବା ଏବଂ ସମସ୍ତ ଗ୍ରାମକୁ ଓଡିଏଫ ପ୍ଲସ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାବି ପଢନ୍ତୁ- ନବ ଦାସ ହତ୍ୟା ଫଟୋ, ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ ଦିଗହରା କରିବା ପାଇଁ ଷଡ଼ଯନ୍ତ୍ର କହିଲେ ଜୟଦେବ

ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟପାଳ କହିଛନ୍ତି ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦର ଦୃଢ ମୁକାବିଲା କରାଯାଇଛି । ମୋ ସରକାର ଏବଂ ସୁରକ୍ଷା ବାହିନୀର ଆଗୁଆ ପଦେକ୍ଷେ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲାର ସଂଖ୍ୟା ବର୍ତ୍ତମାନ 21ରୁ 10କୁ ହ୍ରାସ ପାଇଛି । ବାମପନ୍ଥୀ ଉଗ୍ରବାଦ ବିରୋଧୀ ଅଭିଯାନରେ ରାଜ୍ୟ ଯେଉଁ ସଫଳତା ହାସଲ କରିଛି , ତାହାର ସବୁଠାରୁ ବଡ ଉଦାହରଣ ହେଉଛି ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଦୃଶ୍ୟପଟ୍ଟର ଆମୁଳଚୁଳ ପରିବର୍ତ୍ତନ ।

ଏହାବି ପଢନ୍ତୁ- ବାଜିବ ସାହାନାଇ, ବିବାହ ବନ୍ଧନରେ ଆବଦ୍ଧ ହେବେ ଦିବ୍ୟଶଙ୍କର

ମୋ ସରକାର ଅତ୍ୟାବଶ୍ୟକୀୟ ସେବା ପ୍ରଦାନ, ଜୀବିକା ସୁଯୋଗ ସୃଷ୍ଟି ଏବଂ ଗମନାଗମନ ସୁବିଧା ସମେତ ପ୍ରମୁଖ ଓ ମୌଳିକ ଭୀତ୍ତିଭୂମିର ବିକାଶ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଏବଂ ଅନ୍ୟାନ୍ୟ ସୁବିଧା ସହିତ କୃଷି ପାଇଁ ଜଳସେଚନ ଏବଂ ସ୍ବାସ୍ଥ୍ୟ ସେବା ଓ ଶିକ୍ଷାକୁ ପରବର୍ତ୍ତୀ ସ୍ତରକୁ ନେବାର ପ୍ରାଥମିକତା ଜାରି ରଖିବ । ମୁଁ ସ୍ପଷ୍ଟ ଭାବେ ଏକଥାର ପୁନରାବୃତ୍ତି କରିବାକୁ ଚାହେଁ ଯେ ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ଏବଂ ସମସ୍ତ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ମୋ ସରକାର ଦୃଢ ପ୍ରତିଶ୍ରୁତି ବଦ୍ଧ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.