ETV Bharat / state

PGI Report; ‘ସସ୍ମିତ ରିପୋର୍ଟ ପଢିକି ଆସନ୍ତୁ, ବୁଝିନଥିଲେ ଆମେ ବୁଝେଇ ଦେବୁ’

author img

By

Published : Jul 10, 2023, 5:24 PM IST

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI) ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରିଥିବା ବିଜେଡି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଥିଲେ । ଆଜି ପ୍ରେସ୍‌ମିଟ କରି ରାଜ୍ୟ ସରକାର ଓ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ...

PGI ରିପୋର୍ଟ ରାଜନୀତି
PGI ରିପୋର୍ଟ ରାଜନୀତି

PGI ରିପୋର୍ଟ ରାଜନୀତି

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (PGI) ରିପୋର୍ଟରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୨୦୨୦/୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ରହିଥିବା ବେଳେ ଏଥର ୨୪ ତମ ସ୍ଥାନରେ ରହିଛି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି, ମୁହାଁମୁହିଁ ହୋଇନ୍ତି ବିରୋଧୀ ଓ ଶାସକ ଦଳ । ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛି ବୋଲି ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏହାପରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓ ସାଂସଦ ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଏହା ମଧ୍ୟ ପଢ଼ନ୍ତୁ...PGI Report: ଓଡ଼ିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ସସ୍ମିତ ପାତ୍ର

'ସସ୍ମିତଙ୍କ କଥାରେ ଶାସନ କମ ରାଜନୀତି ବେଶୀ': ଲେଖାଶ୍ରୀ କହିଛନ୍ତି, "ପିଜିଆଇ ରିପୋର୍ଟରେ ଓଡିଶାର ସ୍ଥାନ ୧୦ରୁ ଖସିଆସି ୨୪ରେ ପହଞ୍ଚିଛି । ଏପରି ହେବା ପଛର କାରଣ ହେଲା ଶିକ୍ଷା ପ୍ରତି ରାଜ୍ୟ ସରକାର ଗୁରୁତ୍ବ ଦେଉନାହାନ୍ତି । କିପରି ଅବ୍ୟବସ୍ଥା ଭିତରେ ଚାଲିଛି ତାହା ଶିକ୍ଷା ବ୍ୟବସ୍ଥାରୁ ପରିଲକ୍ଷିତ ହେଉଛି । ଗତ ୨୩ ବର୍ଷ ବିଜେଡି ଶାସନ କାଳରେ ଶିକ୍ଷା ପ୍ରତି ଅବହେଳା କରାଯାଇଛି । 5T ସଚିବ ଦାୟିତ୍ବ ନେବା ପରେ ଶିକ୍ଷାରେ ଠିକାଦାରୀ ବ୍ୟବସ୍ଥା ପ୍ରଚଳିତ ହୋଇଛି । 5T ସଚିବ ଦାୟିତ୍ବ ନେବା ପରେ ସ୍କୁଲ ଗୁଡିକର ରଙ୍ଗରେ ପରିବର୍ତ୍ତନ ହୋଇଛି । ସବୁଜ ରଙ୍ଗରେ ରଙ୍ଗେଇ ହୋଇଛି ସ୍କୁଲ । ହେଲେ ଶିକ୍ଷା ବ୍ୟବସ୍ଥା ରସାତଳ ହୋଇଛି । କିନ୍ତୁ ବିଡମ୍ବନାର ବିଷୟ ହେଲା ବିଜେଡି ସାଂସଦ ସସ୍ମିତ ପାତ୍ର ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ନପଢି, ତର୍ଜମା ନକରି ତାଙ୍କର ବିବୃତି ରଖିଦେଲେ । ସେ କହିଛନ୍ତି କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଓଡିଶାକୁ ପୁରସ୍କୃତ କରୁଛନ୍ତି, କିନ୍ତୁ ଶିକ୍ଷା ମନ୍ତ୍ରଣାଳୟ ଜାଣିଶୁଣି ରାଜ୍ୟ ସରକାରଙ୍କ ଶିକ୍ଷା ଇଣ୍ଡେକ୍ସକୁ ତଳକୁ ନେଉଛି । ସସ୍ମିତ ଜଣେ ଶିକ୍ଷିତ ଲୋକ ହୋଇଥିବା ବେଳେ ତାଙ୍କ ବୟାନରେ ଶାସନର ସ୍ବର କମ ଏବଂ ରାଜନୀତିର ସ୍ବର ଅଧିକ ଶୁଭୁଥିବା ପରି ମନେହେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...PGI Rank: 24ତମ ସ୍ଥାନକୁ ଖସିଲା ଓଡ଼ିଶା; ବଢ଼ିଲା ରାଜନୀତି, ବିରୋଧୀଙ୍କ ଟାର୍ଗେଟରେ 5T ସ୍କୁଲ

'ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ରିପୋର୍ଟ': ଲେଖାଶ୍ରୀ ଆହୁରି କହିଛନ୍ତି, "ରାଜ୍ୟ ସରକାର ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗରେ ମନ୍ତ୍ରୀ ଓ ସଚିବଙ୍କୁ ବଦଳି କରିଛନ୍ତି । ଏହି ବଦଳି ପଛର କାରଣ କଣ ବୋଲି ? ଶିକ୍ଷା ବିଭାଗରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଏବଂ ଖରାପ ପ୍ରଦର୍ଶନ ଲାଗି ଏପରି ବଦଳି କରିଛନ୍ତି ରାଜ୍ୟ ସରକାର । ପିଜିଆଇ ଫାଇନାଲ ରିପୋର୍ଟର ସୂଚନା ଆସିବା ପରେ ଏବଂ ରାଜ୍ୟ ସରକାର ଏହା ଜାଣିବା ପରେ ମନ୍ତ୍ରୀମାନଙ୍କୁ ବଦଳ କରାଗଲା । ବଡ଼ କଥା ହେଲା ପିଜିଆଇ ରିପୋର୍ଟ ପ୍ରସ୍ତୁତି ବେଳେ ରାଜ୍ୟ ସରକାର ଦେଇଥିବା ଡାଟାକୁ ବିଚାରକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ୭୩ଟି ଇଣ୍ଡିକେଟରକୁ ବିଚାରକୁ ନିଆଯାଇ ନମ୍ବର ଦିଆଯାଇଛି । ୬ଟି ଡୋମେନରେ ବିଚାର କରାଯାଇଛି । ମୋଟ ୧୦ଟି ଷ୍ଟେଜ୍‌ ମଧ୍ୟରୁ ଓଡିଶା ତଳ ଆଡୁ ଦ୍ବିତୀୟ ସ୍ଥାନରେ ରହିଛି । ୧୦୦୦ ସ୍କୋରରୁ ଓଡିଶା ପାଇଛି ୫୦୦ରୁ ସାମାନ୍ୟ ଅଧିକ । କିନ୍ତୁ ସାଂସଦ ସସ୍ମିତ ପାତ୍ର କହୁଛନ୍ତି କେନ୍ଦ୍ର ଜାଣିଶୁଣି ଏପରି କରିଛି । ଯେତେବେଳେ ପିଜିଆଇ ତଥ୍ୟ ରାଜ୍ୟ ସରକାରଙ୍କ ଦ୍ବାରା ଆସୁଛି, ଆଇଡି ପାସୱାର୍ଡ୍‌ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ତେଣୁ ରାଜ୍ୟ ସରକାର ତଥ୍ୟ ଗୁଡିକର ତର୍ଜମା କରିପାରିବେ । ତେଣୁ ଏହି ରିପୋର୍ଟ କେବଳ କେନ୍ଦ୍ରର ନୁହେଁ, ବରଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ରିପୋର୍ଟ ।" ସସ୍ମିତ ପାତ୍ରଙ୍କୁ ଆହ୍ବାନ ଦେଇ ବିଜେପି କହିଛି, ଯଦି ସସ୍ମିତ ରିପୋର୍ଟ ପଢିକି ଆସିନାହାନ୍ତି, ରିପୋର୍ଟ ପଢିକି ଆସନ୍ତୁ, ଯଦି ବୁଝି ପାରୁନାହାନ୍ତି ଆମ ପାଖକୁ ଆସନ୍ତୁ ବୁଝେଇ ଦେବୁ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.