ETV Bharat / state

ମହିଳାଙ୍କୁ ମିଛ କହୁଛନ୍ତି ରାଜ୍ୟ ସରକାର: ବିଜେପି

author img

By

Published : Nov 30, 2022, 10:53 PM IST

ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି । ମୁଖ୍ୟମନ୍ତ୍ରୀ ମିଛ କହୁଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ମିଛ କହୁଛନ୍ତି ରାଜ୍ୟ ସରକାର: ବିଜେପି
ମହିଳାଙ୍କୁ ମିଛ କହୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି । ଗତକାଲି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଥିଲେ । ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ତେବେ ଏହା କେନ୍ଦ୍ର ସରାକାରଙ୍କ ଯୋଜନା ହୋଇଥିବାବେଳେ ରାଜ୍ୟ ସରକାର ନିଜର ଯୋଜନା ବୋଲି ମିଛ କହୁଥିବା ଅଭିଯୋଗ କରିଛି ବିଜେପି ।

ମହିଳାଙ୍କୁ ମିଛ କହୁଛନ୍ତି ରାଜ୍ୟ ସରକାର: ବିଜେପି

ଗତକାଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ପୂର୍ବରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଥିଲା । ତେବେ ଗତକାଲି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ରୂପେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, "ଏହାଦ୍ବାରା ମିଶନ ଶକ୍ତି ମାଆମାନେ ଏସଏଚଜିରୁ ଏସଏମଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବେ । ଆମର ଲକ୍ଷ ଲକ୍ଷ ମାଆ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ । ଓଡିଶାର ରୂପାନ୍ତର କ୍ଷେତ୍ରରେ ମାଆମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ । ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ମିଶନ ଶକ୍ତି ମାଆଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ପରିଣତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।"

ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି: ବିଜେପି

ବୁଧବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ରାଜ୍ୟ ସରକାରକୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା କହିଛନ୍ତି, "ଟଙ୍କିକିଆ ଚାଉଳ ଭଳି ଏସଏଚଜିଙ୍କୁ ବିନା ସୁଧରେ ଋଣ ଦେବା କେନ୍ଦ୍ର ସରକାରଙ୍କ ଯୋଜନା । ମାତ୍ର ରାଜ୍ୟ ସରକାର ଏହାକୁ ନିଜ ଯୋଜନା ବୋଲି ମିଛ କହୁଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ମିଶନ ଶକ୍ତିର ମହିଳା ୫ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ନେଇପାରିବେ, ଏହା କେବେଠାରୁ କେନ୍ଦ୍ର ସରକାର ଘୋଷଣା କରି ସାରିଛନ୍ତି । ମାର୍ଚ୍ଚ ୨୯ ତାରିଖରୁ କେନ୍ଦ୍ରମନ୍ତ୍ରୀ ସ୍ବାଧୀ ନିରଞ୍ଜନ ଜ୍ୟୋତି ଏହାକୁ ଘୋଷଣା କରିଛନ୍ତି । ଯେଉଁଥିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିପାରିବ ।"

ତେବେ କେନ୍ଦ୍ର ସରକାରଙ୍କ ଏହି ସ୍କିମରେ ରାଜ୍ୟର ୨୨ଟି ଜିଲ୍ଲା ଅନ୍ତର୍ଭୁକ୍ତ ରହିଥିବା କହିଛି ବିଜେପି । ବାକି ଯେଉଁ ୮ଟି ଜିଲ୍ଲା ରହିଛି ସେହି ଜିଲ୍ଲାର ମହିଳାଙ୍କ ପାଇଁ ରାଜ୍ୟ ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଯେଉଁ ୮ଟି ଜିଲ୍ଲାରେ ବିନା ପରିସରଭୁକ୍ତ ଏସଏଚଜି ଗ୍ରୁପ ଅଛନ୍ତି ତାହା ସାର୍ବଜନୀନ ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ସେହିପରି ଦିନ ଦୟାଲ ସ୍କିମ ଅନୁସାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ଦେଉଥିବା ଅଭିଯୋଗ ହୋଇଛି । ତେବେ ରାଜ୍ୟ ସରକାର ଏହାକୁ କିପରି ନିଜ ଯୋଜନା ବୋଲି କହୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.