ETV Bharat / state

ବିଧାନସଭା ବଜେଟ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିଜେପିର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ

author img

By

Published : Feb 20, 2023, 9:26 PM IST

ବିଧାନଭା ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗୃହରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ବିଜେପି । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ବିଜେପି ବିଧାୟକ ଦଳ ବୈଠକ
ବିଜେପି ବିଧାୟକ ଦଳ ବୈଠକ

ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଶାସକ ଦଳକୁ ଘେରିବାକୁ ବିରୋଧି ଶିବିରରେ ପ୍ରସ୍ତୁତ ହେଉଛି ରଣନୀତି । ଅଧିବେଶନ ପୂର୍ବରୁ ସୋମବାର ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଛି ବିଧାୟକ ଦଳ ବୈଠକ । ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ବିଜେପି ବିଧାୟକଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ ।

କେଉଁ କେଉଁ ପ୍ରସଙ୍ଗ ବିଧାନସଭାରେ ଉଠାଯିବ, ସେଥିପାଇଁ ସରିଛି ରୁଦ୍ଧଦ୍ଵାର ବୈଠକ । ବିଧାୟକ ଦଳ ବୈଠକ ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, "ବଜେଟ ଅଧିବେଶନକୁ ନେଇ ବିଜେପିର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ତଥା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି । ରାଜ୍ୟରେ ଆଇନ୍ ଶୃଙ୍ଖଳା ନାହିଁ । ସେହିପରି ଧାନ ମଣ୍ଡିର ଅବ୍ୟବସ୍ଥା ତଥା କଟନୀ ଛଟନୀ ପ୍ରସଙ୍ଗକୁ ଦ୍ବିତୀୟ ମୁଖ୍ୟ ପ୍ରସଙ୍ଗ ଭାବେ ବିଧାନସଭାରେ ଉପସ୍ଥାପନ କରିବ ବିଜେପି । ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ବିଜୁଳି ଦରଦାମ ବୃଦ୍ଧି, ଚାଉଳ ପ୍ରସଙ୍ଗ, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଏଭଳି ବହୁ ପ୍ରସଙ୍ଗ ରହିଛି । ସବୁଠୁ ବଡକଥା ହେଲା ରାଜ୍ୟ ସରକାର ହକି ବିଶ୍ବକପ୍ ଆୟୋଜନ କରିଥିଲେ । ହେଲେ ଏଥିରେ ଯେଉଁ ମହାଦୁର୍ନୀତି ହୋଇଛି, ସେହି ଘଟଣା ସାମ୍ନାକୁ ଆଣିବ ବିଜେପି । ପ୍ରତି ପଞ୍ଚାୟତରେ ହକି ଟ୍ରଫି ବୁଲାଇବା ଏବଂ ଉତ୍ସବକୁ ନେଇ ଖର୍ଚ୍ଚ ହୋଇଥିବା ଟଙ୍କାର ହିସାବ ପ୍ରସଙ୍ଗ ଉଠାଯିବ । ସେହିଭଳି ଜଙ୍ଗଲ ନିଆଁ, ଜଙ୍ଗଲ ଜନ୍ତୁ ଶିକାର, ବେକାରୀ ସମସ୍ୟା, ମେକ ଇନ ଓଡିଶାର ବିଫଳତା ଭଳି ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାପନ କରିବୁ ।"

ନବ ଦାସ ହତ୍ୟାକାଣ୍ଡକୁ ୨୩ ଦିନ ବିତିଯାଇଥିଲେ ମଧ୍ୟ ସତ୍ୟାସତ୍ୟ ପଦାକୁ ଆସିପାରି ନାହିଁ । ଏନେଇ ଡିଜି କଣ ପ୍ରକୃତ ଡିଜି କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ସେ କେବଳ କାଗଜ କଲମରେ ଡିଜି ବୋଲି କହିଛନ୍ତି ମୋହନ । ସେ ଆହୁରି କହିଛନ୍ତି, "ତୃତୀୟ ମହଲାରେ ପ୍ରକୃତ ଡିଜି । ମୁଁ ନାଁ କହିବି ନାହିଁ, ସମସ୍ତେ ଜାଣିଛନ୍ତି । ତାଙ୍କ ଗୁଳି ପରେ କ୍ରାଇମବ୍ରାଞ୍ଚ ଏଡିଜି ଘଟଣାସ୍ଥଳରେ ପହଞ୍ଚିବା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ନବ ଦାସଙ୍କୁ ଗୁଳି ପରେ ସିଡିଏମ ମୃତ କହିଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା ଆଳରେ ଅପରେସନ କରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପ୍ରାୟୋଜିତ ହୋଇଥିବାରୁ ୨୩ ଦିନ ପରେ ବି କ୍ରାଇମବ୍ରାଞ୍ଚ ଚୁପ ହୋଇ ବସିଛି । କିଛିଦିନ ଗଲେ ସ୍ପଷ୍ଟ ଚିତ୍ର ଆସିବ ଯେ ଗୋପାଳ ଦାସ ପାଗଳ ବୋଲି ନିର୍ଦ୍ଦୋଷରେ ଖଲାସ ହୋଇଗଲା । ଏହି ପ୍ରସଙ୍ଗ ବିଧାନ ସଭାରେ ନିଶ୍ଚିତ ଉଠିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.