ETV Bharat / state

ଟାଟା ପାୱାର ପାଖରେ ମୁଣ୍ଡ ବିକିଛନ୍ତି ରାଜ୍ୟ ସରକାର: ବିଜେପି

author img

By

Published : Jun 12, 2023, 5:50 PM IST

ରାଜ୍ୟରେ ପାୱାର କଟ୍‌କୁ ନେଇ ରାଜନୀତି ତେଜୁଥିବା ବେଳେ ଆଜି ଭୁବନେଶ୍ବରରୁ ଆନ୍ଦୋଳନ ଆରମ୍ଭ କରୁଛି ବିଜେପି । ସେପଟେ ଟାଟା ପାୱାର ପାଖରେ ରାଜ୍ୟ ସରକାର ମୁଣ୍ଡ ବିକିଛନ୍ତି ବୋଲି ସିଧାସଳଖ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ପାୱାର କଟ୍‌କୁ ନେଇ ବିଜେପିର ପ୍ରତିକ୍ରିୟା
ପାୱାର କଟ୍‌କୁ ନେଇ ବିଜେପିର ପ୍ରତିକ୍ରିୟା

ପାୱାର କଟ୍‌କୁ ନେଇ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ ପାୱାର କଟ୍‌କୁ ନେଇ ରାଜନୀତି ଜୋର୍ ଧରିଛି । ରାଜ୍ୟରେ ପାୱାର୍‌ କଟ୍‌ ହେଉନାହିଁ ବୋଲି ବାରମ୍ବାର ସଫେଇ ଦେଉଥିବା ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଏବେ ଦୁର୍ବଳ ଭିତ୍ତିଭୂମି ଅଛି ବୋଲି ସ୍ବୀକାର କରିଛନ୍ତି । ସେପଟେ ଟାଟା ପାୱାର ପାଖରେ ରାଜ୍ୟ ସରକାର ମୁଣ୍ଡ ବିକିଛନ୍ତି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଶକ୍ତିମନ୍ତ୍ରୀଙ୍କ ଉଦ୍ଭ୍ରାନ୍ତ ମନ୍ତବ୍ୟ ଅତି ଦୁର୍ଭାଗ୍ୟଜନକ ବୋଲି କହିଲା ବିଜେପି । ବିଦ୍ୟୁତ ବିଭ୍ରାଟକୁ ନେଇ ଆଜି ଭୁବନେଶ୍ବରରୁ ଆନ୍ଦୋଳନ ଆରମ୍ଭ କରୁଛି ବିଜେପି ।

ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଆଜି ତାରିଖରେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ବାହାରେ । ଟାଟା ପାୱାର ପାଖରେ ରାଜ୍ୟ ସରକାର ମୁଣ୍ଡ ବିକିଲା ଭଳି ସ୍ଥିତି ତିଆରି ହୋଇଛି । ଗ୍ରାମାଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଅତୀତରେ ପାୱାର କଟ୍‌ ହେଲାବେଳେ ଲୋକଙ୍କ ପାଇଁ କିଛି ରିଲିଫ ଥିଲା । ଲୋକ ଜାଣୁଥିଲେ, ଏହି ନିର୍ଦ୍ଦିଷ୍ଟ ସମୟରେ ପାୱାର କଟ୍‌ ହେବ । ଯେହେତୁ ଆମେ ନିଅଣ୍ଟିଆ ବିଜୁଳି ଉତ୍ପାଦିତ ରାଜ୍ୟ ବୋଲି ଭାବୁଥିଲେ । ତେଣୁ ଲୋକ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଥିଲେ । କିନ୍ତୁ ଏବେ ଗୋଟିଏ ପଟେ ବଳକା ବିଦ୍ୟୁତ ଉତ୍ପାଦିତ ରାଜ୍ୟ ବୋଲି କହୁଛନ୍ତି, ଆଉ ପୁଣି ଅଲିଖିତ ଭାବରେ ମନଇଚ୍ଛା ବିଜୁଳି କାଟୁଛନ୍ତି । ବର୍ଷା ଝଡ଼ ହେଲେ ତ ଅଲଗା କଥା । କିନ୍ତୁ କିଛି ନଥାଇ ବି ଯେତେବେଳେ ପାରୁଛନ୍ତି ବିଜୁଳି କାଟ୍‌ କରୁଛନ୍ତି । କେହି କହିଲା ବେଳକୁ ଅତ୍ୟନ୍ତ ଉଦ୍ଭ୍ରାନ୍ତ ଭାବେ ମନ୍ତବ୍ୟ ରଖୁଛନ୍ତି ମନ୍ତ୍ରୀ । ଯେଉଁ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ।"

ସେ ଆହୁରି କହିଛନ୍ତି, "ରାଜ୍ୟରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ ଟାଟା ପାୱାରର ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ନେଇ ଅସହନୀୟ ସ୍ଥିତିରେ ପହଞ୍ଚିଛନ୍ତି । ଯେହେତୁ ରାଜ୍ୟ ସରକାର ମୁଣ୍ଡ ବିକି ଦେଇଛନ୍ତି, ସେଥିପାଇଁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶକ୍ତି ବିଭାଗ ଟାଟା କମ୍ପାନୀ ଉପରେ ଅକୁଣ୍ଠ ସମର୍ଥନ ଅଜାଡୁଛନ୍ତି । ଏହାର ଅର୍ଥ ହେଲା ଲୋକ ହଇରାଣ ହୁଅନ୍ତୁ ପଛେ, ରାଜ୍ୟ ସରକାରଙ୍କର କୌଣସି କତୃତ୍ଵ ନାହିଁ । କିନ୍ତୁ ବିଜେପି ଚୁପ୍ ବସିବ ନାହିଁ । ଆଜି ଭୁବନେଶ୍ବରରୁ ଆନ୍ଦୋଳନ ଆରମ୍ଭ କରୁଛି ବିଜେପି । ଆଗକୁ ଗାଁ ଗହଳି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।" ସେପଟେ ଆଜି ମୁଖ୍ୟ ଶାସନ ସଚିବ ଏହାର ସମୀକ୍ଷା କରିଛନ୍ତି । ବିଜୁଳି କଟିଲେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଶକ୍ତି ବିଭାଗ ଓ ବିତରଣ କମ୍ପାନୀକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ର କଂଗ୍ରେସ ମଧ୍ୟ ଏହାକୁ ନେଇ ଶକ୍ତି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.