ETV Bharat / state

କୋର କମିଟି ବୈଠକରେ ଗୁରୁତ୍ବରୂର୍ଣ୍ଣ ନିଷ୍ପତ୍ତି, ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ୍ !

author img

By ETV Bharat Odisha Team

Published : Sep 3, 2023, 8:06 PM IST

ବିଜେପିର ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଶେଷ ହୋଇଛି। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି। ଅଧିକ ପଢନ୍ତୁ

ବିଜେପିର କୋର କମିଟି ବୈଠକ ସମ୍ପନ୍ନ
bjp core committee meeting held

bjp core committee meeting held

ଭୁବନେଶ୍ବର: ବିଜେପିର ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଶେଷ ହୋଇଛି । ଆଗାମୀ ଦିନରେ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ବୈଠକରେ ରୋଡ ମ୍ୟାପ ପ୍ରସ୍ତୁତ ନେଇ ଆଲୋଚନା ହୋଇଛି । ଏହାସହ ବୈଠକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କେମିତି ପହଞ୍ଚିବ, 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ କେମିତି ସଫଳ ହେବ, ପଞ୍ଚାୟତ ସ୍ତରରେ ସଫଳତାର ସହ ଚାଲିଥିବା ଆନ୍ଦୋଳନଗୁଡ଼ିକର ସମୀକ୍ଷା ବିଷୟରେ ଆଲୋଚନା କରାଯାଇଛି ।


ବୈଠକରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରାଜ୍ୟ ବିଜେପି ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଜୁଏଲ ଓରାମ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ରାଜ୍ୟରେ ବୃଦ୍ଧି ପାଇଥିବା ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ । ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଚାଲିଛି । ଆନ୍ଦୋଳନକୁ ତଳ ସ୍ତର ଯାଏଁ ନେବା ପାଇଁ କୋର କମିଟି ନିଷ୍ପତ୍ତି ନେଇଛି । ପରବର୍ତ୍ତୀ ସମୟରେ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ମଧ୍ୟ ଆନ୍ଦୋଳନ ହେବ । ଗ୍ରାମାଞ୍ଚଳରେ ଲୋକଙ୍କ ଭିତରେ ଥିବା ଅସନ୍ତୋଷ ବିସ୍ଫୋରକ ରୂପ ନେବ । ଓଡ଼ିଶାକୁ କେନ୍ଦ୍ର ଦେଇଥିବା 18 ଲକ୍ଷ 83 ହାଜର କୋଟି ଟଙ୍କା ଅନେକ କ୍ଷେତ୍ରରେ ବାଟମାରଣା ହୋଇଛି। ତାହାର ପର୍ଦ୍ଦାଫାଶ କରିବ ବିଜେପି ।"

ଏନେଇ ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, "17 ତାରିଖରୁ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ 7 ଦିନ ଲେଖାଏଁ 2ଟି ପର୍ଯ୍ୟାୟରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ପ୍ରତି ପଞ୍ଚାୟତରେ ଆନ୍ଦୋଳନ କାର୍ଯ୍ୟକ୍ରମ ମଧ୍ୟ ଚାଲିବ । 3ରୁ 13 ତାରିଖ ପର୍ଯ୍ୟନ୍ତ ବ୍ଲକ୍‌କୁ ମାଟି କଳସ ଶୋଭାଯାତ୍ରା ହେବ । ତାପରେ ସେହି ମାଟିକୁ ଭୁବନେଶ୍ଵରକୁ ଅଣାଯିବ ଏବଂ ପରେ ଦିଲ୍ଲୀ ନିଆଯିବ । ସେପ୍ଟେମ୍ବର 17 ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅବସରରେ ବିଶ୍ଵକର୍ମା ଯୋଜନା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଓଡ଼ିଶାରେ 2ଟି ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ତେଣୁ ଦଳର କାର୍ଯ୍ୟକର୍ତ୍ତାମାନେ ସବୁ ପଞ୍ଚାୟତରେ ଏକାଠି ହୋଇ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦେଖିବେ ।"

ଏହା ବି ପଢନ୍ତୁ...ସିଏମସିରେ ଅନିୟମିତତା ଅଭିଯୋଗ ଆଣିଲେ ବିରୋଧୀ, ତଦନ୍ତ ପ୍ରତିଶୃତି ଦେଲେ ମେୟର

"18 ତାରିଖ ଦିନ ବିଭିନ୍ନ ଜାଗାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । 25 ତାରିଖରେ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବ । 25 ତାରିଖରୁ 2 ତାରିଖ ପର୍ଯ୍ୟନ୍ତ ତଳ ସ୍ତରରୁ ସଙ୍ଗଠନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କାର୍ଯ୍ୟକ୍ରମ ହେବ । 2 ତାରିଖ ଗାନ୍ଧୀ ଜୟନ୍ତୀ ଦିନ ପ୍ରତି ପଞ୍ଚାୟତ ଏବଂ ମଣ୍ଡଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ହୋଇଛି । ରାଜନୈତିକ, ସାମାଜିକ ଏବଂ ରାଷ୍ଟ୍ରୀୟ ସଚେତନତା କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଲାଗିବେ" ବୋଲି ବିଜେପି ପକ୍ଷରୁ କୁହାଯାଇଛି ।


ବୈଠକରେ ଚନ୍ଦ୍ରୟାନ-3ର ସଫଳତା ପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି । ଗରିବ ମା'ମାନଙ୍କୁ ଏଲ୍‌ପିଜି ଗ୍ୟାସ ରିହାତି, 75 ଲକ୍ଷ ନୂଆ ମାଗଣା ଗ୍ୟାସ୍‌, ଆଦିତ୍ୟ ଏଲ-1 ଏବଂ G-20 ବୈଠକରେ ଭାରତର ଅଧ୍ୟକ୍ଷତା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦିଆଯାଇଛି । 2047ରେ ଦେଶ ସ୍ଵାଧୀନତାର 100 ବର୍ଷ ପୂର୍ତ୍ତି ଲକ୍ଷ୍ୟ ନେଇ ଏହି ସବୁ କାର୍ଯ୍ୟକ୍ରମ ହେଉଛି । ଯେଉଁ ବୀରମାନେ ଦେଶ ପାଇଁ ଶହୀଦ ହୋଇଛନ୍ତି, ସେମାନଙ୍କ ଗାଁକୁ ଯାଇ ମାଟି ଆଣିବା ସହ ସେମାନଙ୍କ ଉଦ୍ଦେଶ୍ୟରେ 75ଟି ଗଛ ଲଗାଯିବ ବୋଲି କୁହାଯାଇଛି । ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ଵାନ ଅନୁସାରେ ଶପଥ ପାଠ କରାଯିବ । ଏ ସବୁକୁ ସଫଳ କରିବା ପାଇଁ ବିଜେପି ସହଯୋଗ କରିବ ବୋଲି ସଂକଳ୍ପ ନେଇଥିବା କହିଛନ୍ତି ବିଜେପିର କର୍ମକର୍ତ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.