ETV Bharat / state

ଦଳ ସଜାଡୁଛି ବିଜେଡି; ପୋକ ଖିଆ ସଂଗଠନର ପୁନର୍ଗଠନ ଆବଶ୍ୟକ କହିଲା ବିଜେପି

author img

By

Published : Jul 8, 2023, 8:51 PM IST

ସାଧାରଣ ନିର୍ବାଚନ ପୂର୍ବରୁ ଦଳ ସଜାଡ଼ୁଛି ବିଜେପି । ରାଜ୍ୟ ଓ ଜିଲ୍ଲାସ୍ତରରେ ବିଜେଡି ନିଜର ସଂଗଠନରେ ବ୍ୟାପକ ଅଦଳବଦଳ କରୁଛି । ତେବେ ଏହାକୁ କଟାକ୍ଷ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

ଦଳ ସଜାଡୁଛି ବିଜେଡି
ଦଳ ସଜାଡୁଛି ବିଜେଡି

ଦଳ ସଜାଡୁଛି ବିଜେଡି

ଭୁବନେଶ୍ବର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସଂଗଠନକୁ ମଜବୁତ କରିବାକୁ ଲାଗି ପଡିଲେଣି ବିଭିନ୍ନ ରାଜନୈତିକ ଦଳ । ବିଜେଡି ନିଜର ସଂଗଠନରେ ବ୍ୟାପକ ଅଦଳବଦଳ କରୁଛି । ରାଜ୍ୟ ତଥା ଜିଲ୍ଲାସ୍ତରୀୟ କମିଟିରେ ନୂଆ ନିଯୁକ୍ତି ସହ ସଂଗଠନର ପୁନର୍ଗଠନ କରାଯାଉଛି । ୬ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତି ମିଳିଥିବାବେଳେ ବିଭିନ୍ନ ନେତାଙ୍କୁ ସଂଗଠନରେ ଦାୟିତ୍ବ ମିଳିଛି । ଗତଥର ଯେଉଁ ଯେଉଁ ସିଟରେ ଦଳ ହାରିଥିଲା, ସେ ଅଞ୍ଚଳକୁ ଗୁରୁତ୍ବ ଦିଆଯାଉଥିବା ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି । ସେପଟେ ଦଳୀୟ ନେତା ବିଭିନ୍ନ ଅପକର୍ମରେ ଲିପ୍ତ ଥିବାରୁ ବିଜେଡିର ପୋକ ଖିଆ ସଂଗଠନର ପୁନର୍ଗଠନ ନିହାତି ଆବଶ୍ୟକ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

'ସଂଗଠନର ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା': ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି, "ସଂଗଠନର ପୁନର୍ଗଠନ ଏକ ସ୍ବାଭାବିକ ପ୍ରକ୍ରିୟା । ସମସ୍ତ ରାଜନୈତିକ ଦଳ ଏହା କରନ୍ତି । ପୁନର୍ଗଠନ ନେଇ ଆମର ଏକ ଢାଞ୍ଚା ରହିଛି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ କମିଟି ରହିଛି । ନିର୍ବାଚନ ଯେହେତୁ ଆସୁଛି, ଦଳ ବିଭିନ୍ନ ଦିଗ ଉପରେ ଫୋକସ୍‌ କରୁଛି । ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପଦକ୍ଷେପ ନିଆଯାଉଛି । ନୂଆ ନିଯୁକ୍ତି କରାଯାଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତଥର ଯେଉଁଠାରେ ଆମେ ହାରିଥିଲୁ, ତାହାର ସମୀକ୍ଷା ହୋଇଛି । ସେ ତ୍ରୁଟିକୁ ସମାଧାନ କରିବା ପାଇଁ ପଦକ୍ଷେପ ନେଉଛୁ । ସାରା ଓଡିଶାରେ ନବୀନ ବାବୁଙ୍କ ପ୍ରତି ଜନସାଧାରଣ ଆଶା ଓ ବିଶ୍ବାସ ରହିଛି । ସରକାରଙ୍କ ବିକାଶର ଆଭିମୁଖ୍ୟ ପ୍ରତି ସମର୍ଥନ ରହିଛି । ସ୍ଥାନୀୟ ନେତୃତ୍ବ ଓ ଅନ୍ୟାନ୍ୟ ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟ ହେଉଛି । ଦକ୍ଷତା ଓ କ୍ଷମତା ଅନୁସାରେ ଏକାଧିକ ଦାୟିତ୍ବ ଦିଆଯାଉଛି । ଦଳ ବିଚାର କରି ଦାୟିତ୍ବ ଦେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...୬ ଜିଲ୍ଲାରେ ନୂଆ ବିଜେଡି ସଭାପତି ନିଯୁକ୍ତ, ଅଶ୍ୱିନୀଙ୍କୁ ଦଳର ସାଂଗଠନିକ ଦାୟିତ୍ବ

'ପୋକ ଖିଆ ସଂଗଠନର ପୁନର୍ଗଠନ ନିହାତି ଆବଶ୍ୟକ': ସେପଟେ ବିଜେଡିର ପୁନର୍ଗଠନ ନେଇ କଟାକ୍ଷ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, "ବିଜୁ ଜନତା ଦଳକୁ ପୁନର୍ଗଠନ କରିବାକୁ ପଡିବ । ସେମାନେ ତାଙ୍କ ଦଳକୁ ପୁନର୍ଗଠନ କରିବାକୁ ବାଧ୍ୟ । ଦଳକୁ ପୋକ ଖାଇ ସାରିଲାଣି । ୨୩ ବର୍ଷର ଶାସନ ଭିତରେ ଦୁର୍ନୀତି, ଭ୍ରଷ୍ଟାଚାର, କଳେଙ୍କାରୀ ଓ ବ୍ୟଭିଚାରରେ ସେମାନେ ଛନ୍ଦି ହୋଇପଡିଛନ୍ତି । ତେଣୁ ତାଙ୍କୁ ବରାବର ଚେଞ୍ଜ୍‌ କରି ନୂଆ ମୁହଁ, ପୁରୁଣା ମୁହଁ କରିବାକୁ ପଡିବ । ଓଲଟପାଲଟ କରି ମ୍ୟୁଜିକ ଚେୟାର ଖେଳିବାକୁ ପଡିବ । ନୂଆ ବୋତଲରେ ପୁରୁଣା ମଦ ପରି ରିସାଇକେଲ କରି ତାଙ୍କୁ ନୂଆ ଦେଖାଇବାକୁ ପଡିବ । ଲୋକ ସେମାନଙ୍କର ଚାଲ, ଚେହେରା ଓ ଚରିତ୍ର ଜାଣି ସାରିଲେଣି । ଶ୍ରୀକାନ୍ତ ସାହୁ, ସମୀର ଦାସ, ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ବିଜୟ ଶଙ୍କର ଦାସ ପ୍ରମୁଖ ବ୍ୟଭିଚାରରେ ଲିପ୍ତ ଅଛନ୍ତି । ଲୋକଙ୍କୁ ଭଣ୍ଡେଇବାକୁ ତାଙ୍କର ପୁନର୍ଗଠନ ନିହାତି ଆବଶ୍ୟକ । ବିଜେପି ସଂଗଠନକୁ ସୁଦୃଢ ବରାବର କରିଚାଲିଛି । ବିଜେପିର ସାଂଗଠନିକ ପ୍ରକ୍ରିୟା ନିରନ୍ତର ପ୍ରକ୍ରିୟା । ୩ ବର୍ଷର ଥରେ ନୂଆ ନୂଆ ସଂଗଠନ ତିଆରି ହୁଏ । ନୂଆ ଲୋକଙ୍କୁ ଦାୟିତ୍ବ ଦିଆଯାଏ । ପୁରୁଣା ଲୋକଙ୍କୁ ଅଲଗା ଦାୟିତ୍ବ ଦିଆଯାଏ । ଯେତେବେଳେ କେନ୍ଦ୍ର ଓ ରାଜ୍ୟ ନେତୃତ୍ବ ଅନୁଭବ କରିବେ ଯେ ସଂଗଠନରେ ଅଦଳବଦଳ କରିବାକୁ ପଡିବ, ସେତେବେଳେ ତାହା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.