ETV Bharat / state

ଜୟନାରାୟଣ ଓ ମହିଳା ପୋଲିସ ହାତାହାତି ଘଟଣା: ବିଜେଡି-ବିଜେପି ଦୋଷ ଲଦାଲଦି

author img

By

Published : Feb 16, 2023, 10:57 PM IST

ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ଜୟନାରାୟଣଙ୍କର କୁଶ ପୁତ୍ତଳିକା ଦାହ କରିବା ସହିତ ବିରୋଧି ଦଳ ନେତା ପଦରୁ ତାଙ୍କର ଇସ୍ତଫା ଦାବି କରିଛି । ନବ ଦାସ ହତ୍ୟାକାଣ୍ଡରୁ ନଜର ହଟାଇବା ପାଇଁ ବିଜେଡି ଏଭଳି ଅଭିନୟ କରୁଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେଡି-ବିଜେପି ଦୋଷ ଲଦାଲଦି
ବିଜେଡି-ବିଜେପି ଦୋଷ ଲଦାଲଦି

ବିଜେଡି-ବିଜେପି ଦୋଷ ଲଦାଲଦି

ଭୁବନେଶ୍ବର: ସମ୍ବଲପୁର ବିଧାୟକ ତଥା ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ହାତାହାତି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେଡି ଓ ବିଜେପି ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଦେଇଛନ୍ତି । ବିଜେଡି ଜୟନାରାୟଣଙ୍କର କୁଶପୁତ୍ତଳିକା ଦାହ କରିବା ସହିତ ବିରୋଧି ଦଳ ନେତା ପଦରୁ ତାଙ୍କର ଇସ୍ତଫା ଦାବି କରିଛି । ସେପଟେ ନବ ଦାସ ହତ୍ୟାକାଣ୍ଡରୁ ନଜର ହଟାଇବା ପାଇଁ ଏହା ବିଜେଡିର ଚାଲ ବୋଲି କହିଛି ବିଜେପି ।

ବିଜେଡି ମହିଳା ମୋର୍ଚ୍ଚାର ଆନ୍ଦୋଳନ: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୋଧରେ ସାରା ରାଜ୍ୟରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଛି । ବୁଧବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ବିରୋଧୀ ଦଳ ନେତା ଓ ଧନୁପାଲି ଥାନା ଅଧିକାରୀ ହାତାହାତି ହୋଇଥିଲେ । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଜୟନାରାୟଣ ମହିଳା ଅଧିକାରୀଙ୍କୁ ଚାପୁଡା ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି ମହିଳା ମୋର୍ଚ୍ଚା । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୟନାରାୟଣଙ୍କ ବିରୋଧରେ ନାରାବାଜି କରିଥିଲା । ଗାନ୍ଧିମାର୍ଗରୁ ମାଷ୍ଟର କ୍ୟାଣ୍ଟିନ ଯାଏଁ ପଦଯାତ୍ରାରେ ଯାଇ ଜୟନାରାୟଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେଡି ନେତ୍ରୀ ।

ଜୟନାରାୟଣଙ୍କୁ ଅରୂପଙ୍କ ଧମକ: ଏନେଇ ପ୍ରଶାସକରୁ ରାଜନୀତିକୁ ଆସିଥିବା ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ କହିଛନ୍ତି, "ଯାହାକୁ ଧକ୍କା ମରାହେଲା, ସେ କେବଳ ଜଣେ ମାଆ ନୁହନ୍ତି । ସେ ଜଣେ ପୋଲିସ ଅଫିସର । ଏଭଳି ଧକ୍କା ମାରୁଥିବା ଲୋକ ମୋ ଆଗରେ ପଡ଼ି ନାହାନ୍ତି । ନହେଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା, ସେ ଜାଣିଥାନ୍ତେ । ମୁଁ ଦୀର୍ଘଦିନରୁ ପୋଲିସ ଚାକିରୀରେ ରହିଥିଲି । ଆଜି ପୋଲିସ ଭାଇମାନଙ୍କ ମୁହଁକୁ ଚାହିଁ ପାରୁନି । ଏଭଳି ଲୋକଙ୍କୁ ଖୋଲା ରାସ୍ତାରେ ଉଚିତ ଜବାବ ଦେବା ଦରକାର । ମୁଁ କହୁନି ଆମେ ଆଇନକୁ ହାତକୁ ନେବା ଉଚିତ । କିନ୍ତୁ ଯେଉଁମାନେ ଧକ୍କା ମାରୁଛନ୍ତି, ସେମାନେ ଜାଣନ୍ତୁ, ଆମେ ଖାଲି ପ୍ଲାକାର୍ଡ ଧରି ଧାରଣାରେ ବସିବା ଲୋକ ନୁହେଁ । ଆମର ଗୋଟେ ହାତରେ ଗୀତା ଓ ଅନ୍ୟ ହାତରେ ଜୋତା ରହିଛି ।"

"ନୈତିକତା ଦୃଷ୍ଟିରୁ ଜୟନାରାଣ ଇସ୍ତଫା ଦିଅନ୍ତୁ": ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ସାରା ରାଜ୍ୟବାସୀ ଦେଖିଛନ୍ତି କିଭଳି ଜଣେ ବିରୋଧି ଦଳ ନେତା ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି । କେବଳ ଆମେ ନୁହେଁ, ସାରା ରାଜ୍ୟବାସୀଙ୍କର ଦାବି ହେଉଛି ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ରାଜ୍ୟବାସୀଙ୍କୁ ଏନେଇ କ୍ଷମା ପ୍ରାର୍ଥନା କରନ୍ତୁ ।" ସେହିଭଳି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି, "ନୈତିକତା ଦୃଷ୍ଟିରୁ ଜୟନାରାଣ ଇସ୍ତଫା ଦିଅନ୍ତୁ । କିମ୍ବା ବିଜେପିର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ନୈତିକତା ଦୃଷ୍ଟିରୁ ଜୟ ନାରାୟଣଙ୍କୁ କୁହନ୍ତୁ ଇସ୍ତଫା ଦେବାପାଇଁ ।"

"ନବ ଦାସ ହତ୍ୟା ଘଟଣାରୁ ନଜର ହଟାଇବା ପାଇଁ ନାଟକ କରୁଛି ବିଜେଡି": ଜବାବରେ ବିଜେପି ପଚାରିଛି ମମିତା ଓ କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ବେଳେ କେଉଁଠି ଥିଲା ବିଜେଡିର ମାଆଙ୍କୁ ସମ୍ମାନ । ନବ ଦାସ ହତ୍ୟା ଘଟଣାରୁ ନଜର ହଟାଇବା ପାଇଁ ବିଜେଡି ଏପରି ନାଟକ କରୁଛି ବୋଲି ଅଭିଯୋଗ କରିଛି ଦଳ । ନବ ଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିଜେପି ନେତା । ତେବେ ୨୦୨୪ ନିର୍ବାଚନ ପାଖେଇ ଆସୁଛି । ଏଥିପାଇଁ ଅନେକ ପ୍ରସଙ୍ଗ ମଧ୍ୟ ରହିଛି । କିନ୍ତୁ ଦୋଷ ଠେଲା ରାଜନୀତି ଭିତରେ ଅସଲ ପ୍ରସଙ୍ଗ ଲିଭିଯିବାକୁ ବସିଛି । ପୁଣି ଆଗକୁ ବିଧାନସଭାର ବଜେଟ ଅଧିବେଶନ ଆସୁଥିବାରୁ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇବା ପାଇଁ ବିରୋଧି ପୁରା ପ୍ରସ୍ତୁତ ହୋଇସାରିଲାଣି । ଦେଖିବାର କଥା ଆଗାମୀ ନିର୍ବାଚନରେ କିଏ ଲୋକଙ୍କୁ ବୁଝାଇ ପାରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.