ETV Bharat / state

ଧାନ କିଣା ଓ ଚାଉଳ କାଟ ପ୍ରସଙ୍ଗ, କାଲିଠୁ ବିଜେଡିର ୩ ଦିନିଆ ଗଣ ଆନ୍ଦୋଳନ

author img

By

Published : Feb 13, 2023, 6:32 PM IST

Updated : Feb 13, 2023, 7:16 PM IST

ଧାନ କିଣା ଓ ଚାଉଳ କାଟ ପ୍ରସଙ୍ଗକୁ ନେଇ ମଙ୍ଗଳବାରଠାରୁ ବିଜେଡି କରିବ ୩ଦିନିଆ ଗଣ ଆନ୍ଦୋଳନ । ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

BJD press meet
BJD press meet

ଧାନ କିଣା ଓ ଚାଉଳ କାଟ ପ୍ରସଙ୍ଗ, କାଲିଠୁ ବିଜେଡିର ୩ ଦିନିଆ ଗଣ ଆନ୍ଦୋଳନ

ଭୁବନେଶ୍ବର: ଚାଉଳ ପ୍ରସଙ୍ଗକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ବିଜେଡି ନେତୃତ୍ବାଧୀନ ଓଡ଼ିଶା ସରକାର । କେନ୍ଦ୍ର ବିରୋଧରେ ଆନ୍ଦୋଳନ ଡାକରା ଦେଇଛି ବିଜୁ ଜନତା ଦଳ । ଆସନ୍ତାକାଲି (ମଙ୍ଗଳବାର)ଠାରୁ 3 ଦିନିଆ ରାଜ୍ୟବ୍ୟାପୀ ଗଣ ଆନ୍ଦୋଳନ କରିବ ବିଜେଡି । ଏନେଇ ଆଜି ଯୁବ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ବିଧାୟକ ଅରୁଣ ସାହୁ କହିଛନ୍ତି, "ଧାନ କ୍ରୟ ଲାଗି ଥିବା ବଜେଟରେ ଚଳିତ ଥର କେନ୍ଦ୍ର ସରକାର ୨୦ହଜାର କୋଟି ଟଙ୍କା କମ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ବ୍ୟବସ୍ଥା ଦ୍ବାରା ଓଡ଼ିଶା ଭଳି ରାଜ୍ୟ କ୍ଷତିଗ୍ରସ୍ତ ହେବ । ଉଷୁନା ଚାଉଳ ଉଠାଇବା ପରିମାଣ ମଧ୍ୟ ରାଜ୍ୟରେ କମେଇ ଦିଆଯାଇଛି । ଏହାଦ୍ବାରା ଓଡ଼ିଶାର ଚାଷୀକୂଳ କ୍ଷତିଗ୍ରସ୍ତ ହୋଇଛି । ପୂର୍ବରୁ ଓଡ଼ିଶାରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଉଥିବାବେଳେ ବର୍ତ୍ତମାନ ଉଷୁନା ଚାଉଳ ଉଠାଇବା ବରାଦକୁ ୪ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି । କେବଳ ବରଗଡ଼ ଜିଲ୍ଲାରୁ ୪ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଉଛି ।" ଆଉ ୨୯ ଜିଲ୍ଲାର ଭାଗ୍ୟ କଣ ହେବ ବୋଲି ଅରୁଣ ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଛି । ଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ମିଳୁଥିବା ଅତିରିକ୍ତ ୫ କିଲୋଗ୍ରାମ ମାଗଣା ଚାଉଳ ବନ୍ଦ ହୋଇଯାଇଛି । ୫ କେଜି ଚାଉଳ କାଟି ଦେବା ଫଳରେ ଓଡିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ । PMGKAY ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ । କୃଷକମାନେ ଏମଏସପିରୁ ବଞ୍ଚିତ ହେବେ । ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ୧୪ ହଜାର କୋଟି ଟଙ୍କା କେନ୍ଦ୍ର ଦେଉନି ବୋଲି ବିଜେଡି ଅଭିଯୋଗ କରିଛି ।

ଏହା ବି ପଢନ୍ତୁ- ମାଗଣା ଚାଉଳ ବିବାଦ, ଔଷଧ ବିକଳରେ ବିଜେଡି ତାଟିଆ କାମୁଡୁଛି କହିଲା BJP

କେନ୍ଦ୍ରର ଧାନ କିଣା ନୀତି ଯାହାକି ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବିଶେଷ କରି ପଶ୍ଚିମ ଓଡିଶାର ଚାଷୀଙ୍କୁ ପ୍ରଭାବିତ କରିବ । ସେଥିପାଇଁ ଆସନ୍ତାକାଲି ପୂର୍ବାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ବରରେ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବ । ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ । ସେହିପରି ପିଏମଜିକେଏୱାଇ କାର୍ଯ୍ୟକ୍ରମ ବନ୍ଦକୁ ବିରୋଧ କରି ୧୫ ଫେବୃଆରୀରେ ସମସ୍ତ ୩୦ଟି ଜିଲ୍ଲାରେ ବିଜୁ ଜନତା ଦଳ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ହେଡକ୍ବାର୍ଟରରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବେ ।

ସେହିପରି ଫେବୃଆରୀ ୧୬ରେ ଦଳ ପ୍ରତ୍ୟେକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ସମ୍ମୁଖରେ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିବେ । ପିଏମଜିକେଏୱାଇ କେନ୍ଦ୍ର ଦ୍ବାରା ପୁନଃ ଆରମ୍ଭ ଦାବିରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଯଦି ତାହା ଶୀଘ୍ର ନହୁଏ, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଗରିବ ଏବଂ ଓଡିଶାର କୃଷକଙ୍କ ଅଧିକାର ପାଇଁ ଲଢିବ ବୋଲି ଅରୁଣ ସାହୁ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 13, 2023, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.