ETV Bharat / state

ଅନ୍ଧାରୀ ଯୋଜନାରେ ପରିଣତ ହୋଇଛି ଉଜ୍ବଳା: ବିଜେଡି

author img

By

Published : Jun 11, 2023, 4:19 PM IST

କେନ୍ଦ୍ର ସରକାରଙ୍କ ଉଜ୍ବଳା, ଜାତୀୟ ରାଜପଥ ଏବଂ ଟେଲିକମ ଓ ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ନେତାଙ୍କୁ ଘେରିଛନ୍ତି ବିଜେଡି ସାଂସଦ ଓ ନେତାଏ । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet

ଭୁବନେଶ୍ବର: ରାଜ୍ୟରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ପ୍ରତିଯୋଗିତା ଜାରି ରହିଛି । ଏହାରି ଭିତରେ ଉଜ୍ବଳା, ଜାତୀୟ ରାଜପଥ ଏବଂ ଟେଲିକମ ଓ ବ୍ୟାଙ୍କିଂ ବ୍ୟବସ୍ଥାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । କେନ୍ଦ୍ରରେ ମୋଦି ସରକାର ଏବଂ ବିଜେପିର ରାଜ୍ୟ ନେତୃତ୍ବଙ୍କର ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଟାର୍ଗେଟ କରିଛି ବିଜୁ ଜନତା ଦଳ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଓଡ଼ିଶାର ବିକାଶ ଓ ପ୍ରଗତି ପାଇଁ କାମ କରୁଛି ବୋଲି ବିଜେଡି ସାଂସଦ ସୁଲତା ଦେଓ ଦାବି କରିଛନ୍ତି । କିନ୍ତୁ ବିଜେପି ଓଡିଶାକୁ ପଛକୁ ଟାଣିବାକୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ନେତାମାନେ ଓଡ଼ିଶାର ବିକାଶକୁ ବିରୋଧ କରୁଥିଲେ ମଧ୍ୟ ଆମେ ଓଡିଶାକୁ ଏକ ନମ୍ବର କରିବା ପାଇଁ ଆମର ଚେଷ୍ଟାକୁ ଜାରି ରଖିବୁ ବୋଲି ସେ କହିଛନ୍ତି । ୯ ବର୍ଷର ସଫଳତାକୁ ନେଇ ବିଜେପି ନେତାମାନେ ଡେଙ୍ଗୁରା ପିଟୁଛନ୍ତି, କିନ୍ତୁ ବାସ୍ତବରେ କିଛି ହୋଇନି ବୋଲି ବିଜେଡି ଅଭିଯୋଗ କରିଛି ।

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ସେ କହିଛନ୍ତି, "ଉଜ୍ବଳା ଯୋଜନାରେ ରିଫିଲିଂ ହ୍ରାସ ପାଉଛି । ହିତାଧିକାରୀଙ୍କ ସଂଖ୍ୟା ବି ହ୍ରାସ ହେବାରେ ଲାଗିଛି । ବିଜେଡି ଆନ୍ଦୋଳନ କରିଛି ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ, କିନ୍ତୁ ବିଜେପି ଚୁପ । ଜାତୀୟ ରାଜପଥ ଦୂରାବସ୍ତା ନେଇ କାହିଁକି ବିଜେପିର ନେତାମାନେ ଚୁପ ବସିଛନ୍ତି ? ରାଜ୍ୟର ଟେଲିକମ ଏବଂ ବ୍ୟାଙ୍କିଂ ବ୍ୟବସ୍ଥା କଥା ନକହିବା ଭଲ । ଏଥିରେ ବି ଚୁପ ରହିଛନ୍ତି ସେମାନେ ।"

ସେହିଭଳି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି, "ଉଜ୍ବଳା ଯୋଜନାର ଆଜି ସ୍ଥିତି କଣ, ତାହାର ଡାଟାକୁ ଗାଏବ କରି ଦିଆଯାଇଛି । ଉଜ୍ବଳା ଯୋଜନା ଏକ ଅନ୍ଧାରୀ ଯୋଜନା, ଯାହାକି ସମ୍ପୂର୍ଣ୍ଣ ବିଫଳ ହୋଇଛି । ଟ୍ରେନ ଦୁର୍ଘଟଣାରେ ବାହାନଗାରେ ୨୮୮ ଲୋକଙ୍କ ଜୀବନ ଯାଇଛି । ଜାତୀୟ ରାଜପଥ ୬୫ରେ ୬୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । କେବେ ସରିବ ତାହା କେହି ଜାଣିନାହାନ୍ତି । ଏସବୁ ଓଡିଶା ପ୍ରତି ବିଜେପିର ଅବହେଳାର ନମୂନା ।"

ସେହିଭଳି ବିଜେଡି ମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର କହିଛନ୍ତି, "ବିକାଶକୁ ବିରୋଧ କରୁଛନ୍ତି ବିଜେପି ନେତାମାନେ । ରାଜ୍ୟର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା କଥା । କିନ୍ତୁ ବିଜେଡି ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସଂସଦରେ ଉଠାଉ ଥିବାବେଳେ ବିଜେପିର ନେତାମାନେ ଭିନ୍ନ ଏକ ମୁଦ୍ରାରେ ଅଛନ୍ତି । ଆମେ ବିଜେପି ନେତାଙ୍କଠୁ ଆଶା ରଖୁଛୁ ଉଜ୍ବଳା, ଜାତୀୟ ରାଜପଥ ଏବଂ ଟେଲିକମ ଓ ବ୍ୟାଙ୍କଙ୍ଗ୍‌ ବ୍ୟବସ୍ଥା କ୍ଷେତ୍ରରେ ରାଜ୍ୟର ସ୍ବାର୍ଥକୁ ଦେଖନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.