ETV Bharat / state

୯ବର୍ଷରେ ବଢିଛି ୩ ଗୁଣା ରନ୍ଧନ ଗ୍ୟାସ ଦର, ଚୁପ କାହିଁକି ରାଜ୍ୟ ବିଜେପି ?

author img

By

Published : Mar 2, 2023, 4:58 PM IST

Updated : Mar 2, 2023, 6:52 PM IST

ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ୩ଗୁଣା ରନ୍ଧନ ଗ୍ୟାସ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ଓଡ଼ିଶା ବିଜେପି ଉତ୍ତର ରଖୁ ବୋଲି ବିଜେଡି ଦାବି କରିଛି । ଅଧିକ ପଢନ୍ତୁ

LPG rate hike
LPG rate hike

୯ବର୍ଷରେ ବଢିଛି ୩ ଗୁଣା ରନ୍ଧନ ଗ୍ୟାସ ଦର

ଭୁବନେଶ୍ବର: ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସହ ବଢି ଚାଲିଛି ରନ୍ଧନ ଗ୍ୟାସ ଦର । ଗତ ୯ବର୍ଷରେ କେନ୍ଦ୍ର ସରକାର ୩ ଗୁଣା ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି । ନଗଦ ରନ୍ଧନ ଗ୍ୟାସ ଦର ୫୦ ଟଙ୍କା ବୃଦ୍ଧି ହୋଇଛି । ଗରିବ ଲୋକଙ୍କର ମାସିକ ୫ କିଲୋ ଚାଉଳ କାଟିବା ପରେ ଗ୍ୟାସ ଦର ବୃଦ୍ଧି ହାଣ୍ଡିଶାଳ ଉପରେ ଦୋହରା ମାଡ଼ କରିଥିବା ଶାସକ ଦଳ ବିଜେଡି ଅଭିଯୋଗ ଆଣିଛି । ଓଡ଼ିଶାର ମା' ଏବଂ ଭଉଣୀଙ୍କ ଆଖିରେ ଲୁହ ଦେଖି ଓଡ଼ିଶା ବିଜେପି ନୀରବତା ଭାଙ୍ଗୁ । ଏହା କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ସୌମ୍ୟ କହିଛନ୍ତି, "କେନ୍ଦ୍ର ସରକାର ଯାହା ଚାହିଁଛନ୍ତି ମେରିଟ ଅନୁସାରେ ବିଜେଡି ସମର୍ଥନ ଦେଇ ଆସିଛି । କିନ୍ତୁ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ବାର୍ଥ ବିଜେଡି ପାଇଁ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ସ୍ବାର୍ଥ ପ୍ରସଙ୍ଗ ଯେବେ ଆସିବ ବିଜେଡି ଚୁପ ବସିବନି । କିନ୍ତୁ ରାଜ୍ୟ ବିଜେପି ଚୁପ କାହିଁକି ?"

୨୦୧୪ରେ ବିଜେପି ସରକାର ଆସିବା ପରେ କେନ୍ଦ୍ର ସରକାର ଯେଉଁ ଯୋଜନା ସାଧାରଣ ଲୋକଙ୍କ ମନକୁ ଛୁଇଁଥିଲା ତାହା ହେଉଛି ଉଜ୍ଜ୍ବଳା ଯୋଜନା । ସେବେ ଅନେକ ଉତ୍ସାହିତ କଲା ଭଳି କଥା କହିଥିଲେ ପ୍ରଧାନମନ୍ତ୍ରୀ । ଯାହା ଦଳ ମତ ନିର୍ବିଶେଷରେ ସମସ୍ତଙ୍କ ମନକୁ ଛୁଇଁଥିଲା । ଆଜି ଯେବେ ଗ୍ୟାସ ଦର ବଢୁଛି, ପ୍ରଧାନମନ୍ତ୍ରୀଙ୍କ ସେ ପ୍ରତିଶ୍ରୁତି ମନକୁ ଆସୁଛି । ଓଡ଼ିଶା ତଥା ଦେଶର ମା' ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ଜ୍ବଳା ଯୋଜନାରେ ରିହାତି ଦରରେ ରନ୍ଧନଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ ।

ଏହା ବି ପଢନ୍ତୁ- ଏକବିଂଶ ଶତାବ୍ଦୀ ବୈଷୟିକ ଓ ଜ୍ଞାନକୌଶଳର ଯୁଗ

ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡ଼ିଶାର ମା' ଏବଂ ଭଉଣୀଙ୍କ ଆଖିରେ ଲୁହ ଆଣିଦେଇ ନାହିଁ ବରଂ ସବୁ ପରିବାର ଆଖିରେ ଲୁହ ଆଣି ଦେଇଛି । ଯାହା ସେମାନଙ୍କୁ ଅତ୍ୟନ୍ତ କଷ୍ଟ ଦେଇଛି ବୋଲି ସୌମ୍ୟ ଓ ଶ୍ରୀମୟୀ କହିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ସହିତ ଇନ୍ଧନ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ଓଡିଶାର ୪.୫ କୋଟି ଲୋକଙ୍କୁ ବହୁତ ଯନ୍ତ୍ରଣା ଦେଉଛି । ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ଗୁରୁତ୍ବ ଦେଉଥିବା ମନେ ହେଉନାହିଁ । ପୂର୍ବରୁ ୨୧ ଲକ୍ଷ ପରିବାର ଗ୍ୟାସ ଉପଭୋକ୍ତା ଥିଲେ ।

ମୋଦି ସରକାରଙ୍କ କାର୍ଯ୍ୟକ୍ରମ ଫଳରେ ୪ ଗୁଣା ବଢି ୮୮ ଲକ୍ଷରେ ପହଞ୍ଚିଛି । ମାର୍ଚ୍ଚ ୨୦୧୪ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୧୦ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୧୧୦୩ ହୋଇଛି । ଗତ ୯ ବର୍ଷ ମଧ୍ୟରେ ଗୋଟିଏ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୩ଗୁଣା ବୃଦ୍ଧି ହୋଇଛି । ଗୋଟିଏ ପଟେ କେନ୍ଦ୍ର ସରକାର ଶସ୍ତା ରନ୍ଧନ ଗ୍ୟାସ କଥା କହୁଥିବାବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ ଦର ବଢାଇ ଚାଲିଛନ୍ତି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଉଥିବା ମାସିକ ୫ କିଲୋ ମାଗଣା ଚାଉଳକୁ ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ୯ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୩ଗୁଣା ବୃଦ୍ଧି କରି ସାଧାରଣ ଲୋକଙ୍କ ରୋଷେଇ ଘର ଏବଂ ପରିବାର ଉପରେ ଦୁଇଗୁଣା ବୋଝ ଲଦି ଦେଇଛନ୍ତି । ଲୋକେ କଞ୍ଚା ଚାଉଳ ଖାଆନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି କି ?

ଆମେ ଆଶ୍ଚର୍ଯ୍ୟ ହେଉଛୁ ଯେ ଓଡ଼ିଶା ବିଜେପି କାହିଁକି ଚୁପ ଅଛି ? ଏଥିରୁ ଜଣାପଡୁଛି ଯେ ସେମାନେ ଲୋକ ଏବଂ ମହିଳା ପ୍ରସଙ୍ଗକୁ ବିଭ୍ରାନ୍ତ କରିବାକୁ ଅଧିକ ଆଗ୍ରହୀ । ସେମାନେ କାହିଁକି ଏହିପରି ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି ଯାହା ରୋଷେଇ ଘର, ପରିବାର, ଜୀବନ ଏବଂ ଜୀବିକା ଉପରେ ପ୍ରଭାବ ପକାଇଥାଏ ? ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ଯୋଗୁଁ ଓଡ଼ିଶାର ମାଆମାନଙ୍କ ଆଖିରୁ ବାହାରୁଥିବା ଲୁହ ଅପେକ୍ଷା କ'ଣ ରାଜନୀତି କରିବା ଓଡ଼ିଶା ବିଜେପି ପାଇଁ ଗୁରୁତ୍ବପୂର୍ଣ୍ଣ କି ବୋଲି ବିଜେଡି ପ୍ରଶ୍ନ କରିଛି । ଗ୍ୟାସର ମୂଲ୍ୟ ହ୍ରାସ କରିବାରେ ଭାରତ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 2, 2023, 6:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.