ETV Bharat / state

ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ଓଡ଼ିଶାକୁ ଆବାସ ଯୋଜନା ବନ୍ଦ କରିଥିଲେ: ବିଜେଡି

author img

By

Published : Jun 25, 2023, 9:56 PM IST

ବିଜେଡି ଓ ବିଜେପି ମଧ୍ୟରେ ଆବାସ କଳି ଥମିବାର ନାଁ ନେଉନାହିଁ । କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେପି ହାରିବା ପରେ ଜଣେ କେନ୍ଦ୍ରମନ୍ତ୍ରୀ ଷଡ଼ଯନ୍ତ୍ର କରି ଓଡ଼ିଶାକୁ ଆବାସ ଯୋଜନା ବନ୍ଦ କରିଥିଲେ ବୋଲି କହିଛି ବିଜେଡି । ଅଧିକ ପଢ଼ନ୍ତୁ

ପିଏମ୍‌ ଆବାସ ଯୋଜନାରେ ଷଡ଼ଯନ୍ତ୍ର ଅଭିଯୋଗ କଲା ବିଜେଡି
ପିଏମ୍‌ ଆବାସ ଯୋଜନାରେ ଷଡ଼ଯନ୍ତ୍ର ଅଭିଯୋଗ କଲା ବିଜେଡି

ପିଏମ୍‌ ଆବାସ ଯୋଜନାରେ ଷଡ଼ଯନ୍ତ୍ର ଅଭିଯୋଗ କଲା ବିଜେଡି

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ମୁଖ୍ୟାଳୟ ଭୁବନେଶ୍ବରସ୍ଥିତ ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସାଙ୍ଘାତିକ ଅଭିଯୋଗ ଆଣିଛି ଶାସକ ବିଜେଡି । ପିଏମ୍‌ ଆବାସ ଯୋଜନାରେ ଷଡ଼ଯନ୍ତ୍ର ଅଭିଯୋଗ କରି ବିଜେପି ଉପରେ ବର୍ଷିଲା ବିଜେଡି । ଆବାସ ଯୋଜନାରେ ବିଜେପିର କେନ୍ଦ୍ରୀୟ ନେତା ଏବଂ ଓଡିଶା ବିଜେପିର ସାଂସଦ ମାନେ ଷଡ଼ଯନ୍ତ୍ର କରିଛନ୍ତି କହିଲା ବିଜେଡି । ଓଡ଼ିଶାରେ ଗରିବ ଲୋକଙ୍କ ମୌଳିକ ଆବଶ୍ୟକତା ହେଉଛି ଘର । ହେଲେ ୨୦୧୯ ନିର୍ବାଚନରେ ବିଜେପିର ପରାଜୟ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଚକ୍ରାନ୍ତ ଫଳରେ କେନ୍ଦ୍ର ସରକାର ଆବାସ ଯୋଜନାରେ ଘର ଦେବା ବନ୍ଦ କରିଦେଇଥିବା କହିଛି ବିଜେଡି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି, "ପ୍ରଧାନମନ୍ତ୍ରୀ ଅବାସ ଯୋଜନାକୁ ନେଇ ବିଜେପି ନେତା ଆଉ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି । ଘର ପାଇବା ସମସ୍ତଙ୍କ ଅଧିକାର । ଆଉ ଘର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ହେଲେ ୨୦୧୯ ନିର୍ବାଚନ ବର୍ଷ ପରେ ବିଜେପି ବିଧାନସଭାରେ ପରାଜୟ ହେବାପରେ ସହି ପାରିଲାନି । ୧୫ ଲକ୍ଷ ଲୋକଙ୍କୁ ଘର ଦେବାରୁ ବଞ୍ଚିତ କରିବା ପାଇଁ ବିଜେପି ସାଂସଦ ଚକ୍ରାନ୍ତ କରିଥିଲେ । ସେମାନେ ଅଧିକ ଘର ପାଇଁ ଦାବି କରିବା କଥା । ଜଣେ ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀ ଆବାସ ଯୋଜନାରେ ଘର ନଦେବା ପାଇଁ ଚାପ ପକାଇଲେ । ଅଲଗା ରାଜ୍ୟର ନେତାମାନେ ଯେଉଁ ଦଳରେ ଗଲେ ବି ନିଜ ରାଜ୍ୟ ପାଇଁ ଘର ଦାବି କରନ୍ତି । ହେଲେ ସେ ଷଡ଼ଯନ୍ତ୍ର କରି ୩ ବର୍ଷ ଧରି ବନ୍ଦ କରାଇଦେଲେ ।

ସେହି ନିର୍ଦ୍ଦିଷ୍ଟ କେନ୍ଦ୍ରମନ୍ତ୍ରୀଙ୍କ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ତାଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ତାଙ୍କର ସାଂସଦ ମାନେ ୭୫ ଲକ୍ଷ ଘର ଯୋଗାଇଥିବା ଭୁଲ ତଥ୍ୟ ଦେଇଥିଲେ । ତାଙ୍କ ଷଡ଼ଯନ୍ତ୍ର କଳାହାଣ୍ଡିର ଏକ ସଭାରେ ଦେଖିବାକୁ ମିଳିଛି । ଏହି ଷଡ଼ଯନ୍ତ୍ର ସତ୍ତ୍ବେ ଆମ ମନ୍ତ୍ରୀ ଓ ଆମର କ୍ରମାଗତ ଚାପରେ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ମିଳିଲା । ହେଲେ ଯେଉଁ ୭ ଲକ୍ଷ ଲୋକ ଘର ପାଇବାରୁ ବଞ୍ଚିତ ହେଲେ, ତାଙ୍କୁ ଘର ମିଳିବ କେମିତି ? ଏହା ବିଜେପି ସାଂସଦ ଓ ମନ୍ତ୍ରୀ ଅଟକାଇଲେ । ଗ୍ରାମୀଣ ଘର ଯୋଗାଇବାରେ ଓଡ଼ିଶା ପୁରସ୍କୃତ ହୋଇଛି । କିନ୍ତୁ କେନ୍ଦ୍ର ଘର ଦେବା ଜାଗାରେ ଷଡ଼ଯନ୍ତ୍ର କରି ଅଟକାଇଲେ ।"

ସେପଟେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, "ରାଜ୍ୟ ସରକାର ମୋ ଘର ଯୋଜନା କରିଛନ୍ତି । କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାରେ ବଞ୍ଚିତ କରନ୍ତି । ଗତ ମେ ୨୯ ତାରିଖରେ ମୋ ଘର ଯୋଜନା ଘୋଷଣା ହୋଇଛି । ଏହି ଯୋଜନାରେ ୭ ଲକ୍ଷ ଘର ଯୋଗାଇ ଦିଆଯିବ । ହିତାଧିକାରୀଙ୍କୁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ, ସବ୍‌ସିଡି ଦିଆଯିବ । ରାଜ୍ୟବାସୀଙ୍କ ଆସ୍ଥାକୁ ବଜାୟ ରଖି ଆମେ ଆମ ଦାୟିତ୍ଵ ତୁଲାଇବୁ । କେନ୍ଦ୍ର ଅବହେଳା କରିଲେ ମଧ୍ୟ ଆମେ ଦେବୁ । କଠିନ ସର୍ତ୍ତକୁ କୋହଳ କରି ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ଆଖି ଆଗରେ ରଖି ଏହି ଯୋଜନା କରାଯାଇଛି । ବିଜେପିକୁ ପୁଣି ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିବେ । ମୋ ଘର ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଗଲାଣି । ଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.