ETV Bharat / state

Ink Attack Politics: କାଳିମାଡ ପାଇଁ ବିଜେପିକୁ ଦାୟୀ କଲା ବିଜେଡି

author img

By

Published : Aug 20, 2023, 12:58 PM IST

Updated : Aug 20, 2023, 1:57 PM IST

ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳି ମାଡ ପରେ ସରଗରମ ରାଜନୀତି । କାଳିମାଡ ପାଇଁ ବିଜେପିକୁ ଦାୟୀ କଲା ବିଜେଡି । ଅଧିକ ପଢନ୍ତୁ

କାଳିମାଡ ପାଇଁ ବିଜେପିକୁ ଦାୟୀ କଲା ବିଜେଡି
କାଳିମାଡ ପାଇଁ ବିଜେପିକୁ ଦାୟୀ କଲା ବିଜେଡି

Ink Attack Politics

ଭୁବନେଶ୍ବର: ସତ୍ୟବାଦୀରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ କାଳି ମାଡ ରାଜ୍ୟ ରାଜନୀତି ହଟଚମଟ ସୃଷ୍ଟି କରିଛି । ଯାହାକୁ ନେଇ ଏବେ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । କାଳି ମାଡ ପାଇଁ ବିଜେପିକୁ ଦାୟୀ କରିଛି ବିଜେଡି । ଏହାପଛରେ ବଡ ଷଡଯନ୍ତ୍ର ରହିଛି । କାଳି ମାଡ କରିଥିବା ଲୋକ ବିଜେପି ଦଳର । ବିଜେପି ହିଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଠାଇ ଏମିତି ଘୃଣ୍ୟ କାମ କରାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୁରୀ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ।

ବିଜେଡି ବିଧାୟକ କହିଛନ୍ତି, ‘‘ଏହି ଘଟଣା ପଛରେ ସମ୍ପୂର୍ଣ୍ଣ ଭାବେ ବିଜେପି ହିଁ ରହିଛି । ଭାସ୍କର ସାହୁ ଅନ୍ୟ ପ୍ରରୋଚନାରେ ପଡ଼ି ବିଶେଷକରି ବିଜେପି ତାକୁ ପଠେଇ କି ଏମିତି କାଳି ମାଡ କରିଛି । ଫାଇଭ-ଟି ସଚିବ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବାକୁ ଯାଉଥିବା ବେଳେ ବିଜେପି ସେଥିରେ ଇର୍ଷାନିତ୍ବ ହୋଇ ଯୋଜନାବଦ୍ଧ ଭାବେ ଏହି ଘଟଣା ଘଟାଇଛି । ନିଜ ଦଳ ବିରୋଧରେ ଆସୁଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ, ଦଳ ଭିତରେ କୌଣସି ଅନ୍ତର୍ଦ୍ବନ୍ଦ ନାହିଁ । କିଛି ପ୍ରାୟୋଜିତ ନୁହେଁ । ବିରୋଧୀ ଦଳର ଇସାରାରେ ଏସବୁ ହୋଇଛି । ସେହିମାନେ ପ୍ରାୟୋଜିତ ଭାବେ ଏହି କାମ କରିଛନ୍ତି ।’’

ଏହାମଧ୍ୟ ପଢନ୍ତୁ: ସତ୍ୟବାଦୀରେ 5ଟି ସଚିବଙ୍କୁ କାଳିମାଡ କରିଥିବା ଭାସ୍କରଙ୍କୁ ଛାଡିଲା ପୋଲିସ

ଭାସ୍କର ସାହୁଙ୍କ ସ୍ତ୍ରୀଙ୍କ ଅଭିଯୋଗ ଉପରେ ବିଧାୟକ ପ୍ରତିକ୍ରିୟା ଦେଇଛନ୍ତି, ''ଭାସ୍କର କେବେ ହେଲେ ଥରୁଟେ ବି ମୋ ପାଖକୁ ଆସି କୌଣସି ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରି ନାହାନ୍ତି । ସେ ଗାଁର ସମସ୍ତ ଲୋକ ମୋର । ଏହି ଜଣେ ମାତ୍ର ବ୍ୟକ୍ତି କେବଳ ବିଜେପିର ଓ ବିରୋଧୀ ଦଳକୁ ସମର୍ଥନ କରିବା ତାର ମୁଖ୍ୟ କାମ । 2009 ରୁ 2019 ପର୍ଯ୍ୟନ୍ତ ହରିପୁର ଗାଁର କ'ଣ ଉନ୍ନତି ହୋଇଛି ତାହା ଲୋକେ କହିବେ । ରାସ୍ତାଘାଟଠୁ ନେଇ ସବୁ ବିକାଶମୂଳକ କାର୍ଯ୍ୟ କରାଯାଇଛି ।''

ବିଧାୟକ ଆହୁରିମଧ୍ୟ କହିଛନ୍ତି ଯେ, କାହା ପ୍ରରୋଚନାରେ ପଡ଼ି ଭାସ୍କର ସାହୁ ଏପରି କରିଛନ୍ତି ତାହାର ତଦନ୍ତ କରିବାକୁ ତାଙ୍କ ଭାଇ ଅନୁରୋଧ କରିଛନ୍ତି । ଆମ ନିର୍ବାଚନ ମଣ୍ଡଳୀର ସମସ୍ତେ ଏହି କାଳି ମାଡ଼କୁ ନିନ୍ଦା କରିଛନ୍ତି । ଏ କାଳି ମାଡ଼ ଫାଇଭ-ଟି ସଚିବଙ୍କୁ ନୁହେଁ ସତ୍ୟବାଦୀ ମାଟିକୁ ହୋଇଛି । ଜଗନ୍ନାଥଙ୍କ ବିଶ୍ଵାସ ଅଛି ସତ ଯେମିତି ହେଲେ ପଦାକୁ ଆସିବ । ତେବେ ଏହି ଭୁଲ ପାଇଁ ତାଙ୍କ ଭାଇଙ୍କୁ କ୍ଷମା କରିଦେବାକୁ ସେ ଭିକେ ପାଣ୍ଡିଆନଙ୍କୁ ଅନୁରୋଧ କରିଥିବା ଉମାକାନ୍ତ ସାମନ୍ତରାୟ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ଏକ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିଲେ । ଏହି ସମୟରେ ତାଙ୍କ ଉପରେ କାଳି ମାଡ଼ ହୋଇଥିଲା । ଭାସ୍କର ସାହୁ ନାମକ ଜଣେ ଯୁବକ ପାଣ୍ଡିଆନଙ୍କ ମୁହଁଙ୍କୁ କାଳି ମାଡ଼ କରିଥିଲା । କାଳି ପୁରୀ ଜିଲ୍ଲାପାଳଙ୍କ ମୁହଁରେ ବି ପଡିଥିଲା । ଏହି ଘଟଣା ପରେ ସେହି ସ୍ଥାନରୁ ଭାସ୍କରକୁ ପୋଲିସ କାବୁ କରି ନେଇଥିଲା । ତେବେ ଫାଇଭ-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ତାକୁ ଏବେ ଛାଡି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2023, 1:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.