ETV Bharat / state

ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି: ବିଜେଡି

author img

By ETV Bharat Odisha Team

Published : Oct 10, 2023, 10:48 PM IST

ଆଜି ରାଜ୍ୟରେ ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ଓ ଅନିୟମିତତାକୁ ନେଇ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ ଜୟନାରାୟଣ । ତେବେ ତୁରନ୍ତ ଏହାର ଉତ୍ତର ଚିରାଚରିତ ଢଙ୍ଗରେ ରଖିଛି ବିଜେଡି । ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜୟନାରାୟଣଙ୍କ ମାନସିକ ସ୍ଥିତି ଠିକ୍‌ ନଥିବା ଦର୍ଶାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢ଼ନ୍ତୁ

ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି
ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି

ଭୁବନେଶ୍ବର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ରାଜ୍ୟରେ ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ଓ ଅନିୟମିତତାକୁ ନେଇ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ ଜୟନାରାୟଣ । ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି ବୋଲି କହିବା ସହ ଓଡ଼ିଶାର ବିକାଶ ଆଳରେ ହରିଲୁଟ ହେଉଥିବା ସେ ଅଭିଯୋଗ କରିଥିଲେ । ତେବେ ତୁରନ୍ତ ଏହାର ଜବାବ ରଖିଛି ବିଜେଡି । ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ମାନସିକ ସ୍ଥିତି ଠିକ ନଥିବାରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚାଳାମି କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲୋନିନ ମହାନ୍ତି କହିଛନ୍ତି । ବିଜେପି ତୁରନ୍ତ ଜୟନାରାୟଣଙ୍କର ଉତ୍ତମ ଚିକିତ୍ସା କରୁ ବୋଲି ସେ ପରାମର୍ଶ ଦେବା ସହ ସତର୍କ ରହିବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । 5T ସଚିବଙ୍କୁ ନେଇ ଜୟନରାୟଣଙ୍କ ନୂଆ ଅଭିଯୋଗର ଚିରାଚରିତ ଜବାବ ରଖିଛନ୍ତି ଲେନିନ । ଜୟ ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କରିଥିବାବେଳେ ବିଜେଡି ନେତା ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ଆମ ଓଡ଼ିଶା ନବୀନ ଓଡ଼ିଶା ଏକ ଫମ୍ପା ଆୱାଜ, ନବୀନ ଓଡ଼ିଶା ଲୁଟ ଓଡ଼ିଶାରେ ପରିଣତ ହୋଇଛି: ବିଜେପି

ଲେନିନ୍‌ ଗଣ ମାଧ୍ୟମକୁ ଦେଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି, "ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ସକ୍‌ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି । ଯେହେତୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳିଚାଉଳି ହେଉଛନ୍ତି । ଜୟନାରାୟଣଙ୍କ ଏହି ବାଚଳାମିର ଆଉ ଏକ ଉଦାହରଣ ସଭିଏଁ ଦେଖିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ ସେତେବେଳେ କଣ ଘଟିଥିଲା, ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା । ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି ।"

ଜୟଙ୍କ ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଟାଣିଛନ୍ତି ଲେନିନ । ଲେନିନ ମନମୋହନଙ୍କୁ ଅନୁରୋଧ କରି କହିଛନ୍ତି, "ତୁରନ୍ତ ଜୟନରାୟଣ ମିଶ୍ରଙ୍କର ଚିକିତ୍ସା ବ୍ୟବସ୍ଥା କରାନ୍ତୁ । ଆଉ ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି । ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚାଳାମିରୁ ଆପଣ ବର୍ତ୍ତି ପାରିବେ ନାହିଁ । ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା ? ଦୟାକରି ରାଜ୍ୟ ବିଜେପି ନେତାଏ ଜୟନାରାୟଣ ମିଶ୍ରଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଅଣଦେଖା କରନ୍ତୁ ନାହିଁ ।" ଯେତେଶୀଘ୍ର ସମ୍ଭବ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାନ୍ତୁ ବୋଲି ଲେନିନ ପ୍ରେସ ରିଲିଜରେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.